ETV Bharat / state

କ୍ରୟଯୋଗ୍ୟ ସବୁ ଧାନ ଉଠାଯିବ, ୨୪ ବର୍ଷ ଯାଏଁ ଶାସନକୁ ଫେରିବନି ବିଜେଡି -ମୁଖ୍ୟମନ୍ତ୍ରୀ

ବିଧାନସଭାରେ କଂଗ୍ରେସ ଓ ବିଜେଡିକୁ ଧୋଇଲେ ମୁଖ୍ୟମନ୍ତ୍ରୀ । କହିଲେ, କଂଗ୍ରେସର ଆଚାର ବିଚାର ଆଶ୍ଚର୍ଯ୍ୟ କରିବା ପରି ନୁହେଁ । ସେହିପରି ଶାସନରୁ ଗଲା ପରେ ବିଜେ଼ଡିର ନୀତି ବଦଳି ସାରିଛି ।

odisha assembly cm mohan charan majhi said all  Acceptable paddy will  be procured
କ୍ରୟଯୋଗ୍ୟ ସବୁ ଧାନ ଉଠାଯିବ, ୨୪ ବର୍ଷ ଯାଏଁ ଶାସନକୁ ଫେରିବନି ବିଜେଡି -ମୋହନ (Etv Bharat)
author img

By ETV Bharat Odisha Team

Published : February 25, 2026 at 1:27 PM IST

5 Min Read
Choose ETV Bharat

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ଆୟୋଜିତ ଚାଷୀ ସମାବେଶକୁ ସିଧାସଳଖ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟର ସାଧାରଣ ଆଲୋଚନାରେ ଭାଗ ନେଇ ବିଧାନସଭାରେ ଶାଣିତ ଢଙ୍ଗରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଚାଷୀଙ୍କ ନାଁରେ କେବଳ ରାଜନୈତିକ ଫାଇଦା ପାଇଁ ନାଟକ କରୁଛନ୍ତି । ବିରୋଧୀ ଦଳ ଭୂମିକା ନିର୍ବାହ କରି ଲୋକଙ୍କ ସମସ୍ୟାକୁ ଗୃହରେ ଉଠାଇବା ବଦଳରେ କେବଳ ହୋହାଲ୍ଲା କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, 'ଫେବୃୟାରୀ 20 ତାରିଖରେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲି । 23 ତାରିଖରୁ ଏହି ବଜେଟ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ମଙ୍ଗଳବାର ଶେଷ ହୋଇଛି । ସାଧାରଣ ଆଲୋଚନାକୁ ନେଇ ଓଡିଶାବାସୀ ଆଶା କରୁଥିଲେ, ଆଉ କିଛି ସାର୍ଥକ ଆଲୋଚନା ହୋଇପାରିଥାଆନ୍ତା । କିନ୍ତୁ ଚାଷୀଙ୍କ ନାଁରେ ଯେମିତି ରାଜନୀତି କରି ଗୃହକୁ ବାରମ୍ବାର ଅଚଳ କରି ଦିଆଗଲା, ତାହା ଓଡିଶାବାସୀ ଦେଖିଛନ୍ତି । ବିରୋଧୀ ଦଳ ତାଙ୍କ ଭୂମିକା ଉପସ୍ଥାପିତ ନ କରି ହୋ ହାଲ୍ଲା କରିବା ମଧ୍ୟ ଓଡ଼ିଶାବାସୀ ଦେଖିଛନ୍ତି ।'

odisha assembly cm mohan charan majhi said all  Acceptable paddy will  be procured
କ୍ରୟଯୋଗ୍ୟ ସବୁ ଧାନ ଉଠାଯିବ, ୨୪ ବର୍ଷ ଯାଏଁ ଶାସନକୁ ଫେରିବନି ବିଜେଡି -ମୁଖ୍ୟମନ୍ତ୍ରୀ (Etv Bharat)

କଂଗ୍ରେସର ଆଚାର ବିଚାର ଆଶ୍ଚର୍ଯ୍ୟ କରିବା ପରି ନୁହେଁ

ମୁଖ୍ୟମନ୍ତ୍ରୀ କହିଛନ୍ତି, 'କଂଗ୍ରେସର ଆଚାର ବିଚାର ଆଶ୍ଚର୍ଯ୍ୟ କରିବା ପରି ନୁହେଁ । ଏହି ବିଧାନସଭାରେ କଂଗ୍ରେସର ବରିଷ୍ଠ ବିଧାୟକ ଖୁଚୁରା ଟଙ୍କା ବି ଆଣିବା ଓଡିଶାବାସୀ ଦେଖିଛନ୍ତି । ଘଣ୍ଟ, ଘଣ୍ଟା, ଗିନି ଖଞ୍ଜଣି ବି ବିରୋଧ ନାଁରେ ବାଡେଇଛନ୍ତି । ଦିଲ୍ଲୀ ଏଆଇ ଇମ୍ପାକ୍ଟ ସମିଟରେ ବିରୋଧ ନାଁ'ରେ ନଗ୍ନ ପ୍ରଦର୍ଶନ ମଧ୍ୟ ଗଣତନ୍ତ୍ରରେ ଶୋଭା ପାଏନାହିଁ । ତାହା ଦେଖି ତାଙ୍କର ଆଚାର ବିଚାର ସଂପୂର୍ଣ୍ଣ ରୂପେ ଆକାଂକ୍ଷିତ । ସେମାନେ ସବୁକିଛି କରିବାକୁ ସମର୍ଥ ।'

ଶାସନରୁ ଗଲା ପରେ ବିଜେ଼ଡିର ନୀତି ବଦଳି ସାରିଛି

ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, 'ଓଡିଶାବାସୀ ଶୁଣିଛନ୍ତି, ବିରୋଧୀ ଦଳ ନେତା ଏବଂ ବିଜେଡିର ମୁଖପାତ୍ର କହୁଥିଲେ, ଆମେ ଗତ 26 ବର୍ଷରେ କେବେ ହେଲେ ସଂସଦରେ ବିରୋଧ ପାଇଁ ନିଜ ଆସନ ଛାଡି ଗୃହର ମଧ୍ୟଭାଗକୁ ଯାଇ ନାହୁଁ । କିନ୍ତୁ ବୋଧହୁଏ ସେଇ ନୀତି କେବଳ ଶାସନ କ୍ଷମତାରେ ଥିଲା ପର୍ଯ୍ୟନ୍ତ ପାଳନ କରୁଥିଲେ । ଆଜି ଯେତେବେଳେ ରାଜ୍ୟବାସୀ ତାଙ୍କୁ ଶାସନଭାରରୁ ହଟାଇ ଦେଇଛନ୍ତି, ଏବେ ସେ ନୀତି ବଦଳି ସାରିଛି । ତେଣୁ ସେମାନେ ନୈତିକତା, ବିଧାନସଭାରେ ଅଶୋଭନୀୟ ଭାବେ ବିରୋଧ କରିବାର ଅଧିକାର ବିଷୟରେ ଉପଦେଶ ନ ଦେବା ଭଲ । ସାରା କୃଷକ ସମାଜ ଆଲୋଚନା ପାଇଁ ଅପେକ୍ଷା କରିଥିଲା । ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଁ ଦୁଇ ଦୁଇ ଥର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ନିର୍ଯ୍ୟାସ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଚାଷୀଙ୍କ ନାଁରେ ବିଧାନସଭା ଭିତରେ ଓ ବାହାରେ ନିଚ୍ଛକ ରାଜନୀତି କରୁଛନ୍ତି' ବୋଲି କହି ବିଜେଡିକୁ କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ ।

3 ବର୍ଷ ମଧ୍ୟରେ ଆଧୁନିକ ଗୋଦାମ ନିର୍ମାଣ ପ୍ରସ୍ତାବ ରହିଛି

ମୁଖ୍ୟମନ୍ତ୍ରୀ କହିଥିଲେ, କୃଷକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 2026-27 ବଜେଟରେ 42 ହଜାର 492 କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହା ପୂର୍ବ ବର୍ଷ ତୁଳନାରେ 12.3 ପ୍ରତିଶତ ଅଧିକ । ଏହି ବ୍ୟୟ ବରାଦରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ 14 ହଜାର 701 କୋଟି ଟଙ୍କା, ଜଳ ସମ୍ପଦ ବିଭାଗ ପାଇଁ 16 ହଜାର 489 କୋଟି ଟଙ୍କା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପାଇଁ 2 ହଜାର 119 କୋଟି ଟଙ୍କା ଏବଂ ସମବାୟ ବିଭାଗ ପାଇଁ 2 ହଜାର 334 କୋଟି ଟଙ୍କା ଅନ୍ତର୍ଭୁକ୍ତ । ସମୃଦ୍ଧ କୃଷକ ଯୋଜନା ଅଧୀନରେ କୁଇଣ୍ଟାଲ ପିଛା 31 ଶହ ଟଙ୍କା ମୂଲ୍ଯରେ ଧାନ କ୍ରୟ ପାଇଁ 6 ହଜାର 88 କୋଟି ଟଙ୍କାର ପ୍ରସ୍ତାବ ରହିଛି । ଧାନ ସଂଗ୍ରହ ପ୍ରକ୍ରିୟା ସହ ଚାଷୀଙ୍କୁ ପାଉଣା ସମୟୋଚିତ ପୈଠ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆବର୍ତ୍ତନ ପାଣ୍ଠିକୁ 5 ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଛି । ଯାହା ଆଗରୁ ୨ ହଜାର କୋଟି ଟଙ୍କା ଥିଲା । ଚାଷୀଙ୍କ କ୍ଷେତ୍ରରେ ଆମେ କୌଣସି କାର୍ପଣ୍ୟତା ରଖିନାହୁଁ । ଏହା ସହ ଆସନ୍ତା 3 ବର୍ଷ ମଧ୍ୟରେ ପ୍ରାୟ 11 ଲକ୍ଷ ମେଟ୍ରିକ ଟନ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି ।

ରାଜ୍ୟ କଂଗ୍ରେସକୁ କଡା ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ, 'କଂଗ୍ରେସକୁ ତ ଲୋକେ 25 ବର୍ଷ ହେଲା ପ୍ରାୟ ଭୁଲି ଯାଇଛନ୍ତି । କଂଗ୍ରେସ ସମୟର କୃଷି କଥା ଏବେକାର କୃଷି ସହିତ ତୁଳନୀୟ ନୁହେଁ । କାରଣ କଂଗ୍ରେସ ସମୟରେ ଓଡିଶା ଅନାହାର ମୃତ୍ୟୁ, କ୍ଷୁଧାର ତାଡନା, ମହାବାତ୍ୟା ସମୟରେ ଚାଉଳ ଗଣ୍ଡେ ପାଇବା ପାଇଁ ବିଭିନ୍ନ ପଡୋଶୀ ରାଜ୍ୟ ଉପରେ କିପରି ଆମେ ହାତ ପତାଉଥିଲେ, ତାହା ସମଗ୍ର ଓଡିଶାବାସୀ ଦେଖିଛନ୍ତି । ତେଣୁ ଓଡିଶାରେ କଂଗ୍ରେସର କୃଷି ପ୍ରତି ଅବଦାନ ବିଷୟରେ ଯେତେ କମ କହିଲେ ସେତେ ଭଲ । ମୁଖ୍ୟ ବିରୋଧୀ ଦଳ ବାରମ୍ବାର ଚାଷ ଓ ଚାଷୀଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଯଦି ବିଜେଡି କୃଷି ପାଇଁ ଏତେ ଭଲ କାମ କରିଛନ୍ତି, ତେବେ ବିଜେଡି ସମୟରେ ଚାଷୀଙ୍କ ଆୟ ସାରା ଦେଶରେ ଶେଷ ଆଡୁ ଦ୍ଵିତୀୟ କାହିଁକି ଥିଲା ? ଓଡିଶାର ଚାଷୀଙ୍କ ଆୟ ମାସକୁ ମାତ୍ର 5 ହଜାର 115 ଟଙ୍କା କାହିଁକି ଥିଲା ? ଏହାର ଉତ୍ତର କିଏ ଦେବ ? ବିଜେପି ସରକାରକୁ 24 ମାସ ବି ପୁରିନାହିଁ । ଯେଉଁ ତଥାକଥିତ 24 ବର୍ଷର ସରକାର ଧାନ MSP ପାଇଁ ପ୍ରାୟ 29 ଶହ ଟଙ୍କା ପ୍ରଦାନ କରିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ କରିଥିଲେ, ତାହା କରି ପାରିଲେ ନାହିଁ । କିନ୍ତୁ ବିଜେପି ସରକାର ମାତ୍ର 24 ଘଣ୍ଟାରେ କୁଇଣ୍ଟାଲ ପିଛା 31 ଶହ ଟଙ୍କା ଦେବାରେ ସମର୍ଥ ହୋଇଛି ।'

ଚାଷୀଙ୍କୁ ନିର୍ଭର ପ୍ରତିଶୃତି ଦେଉଛି, ସବୁ ସମସ୍ଯାର ସମାଧାନ କରାଯିବ

ମୁଖ୍ୟମନ୍ତ୍ରୀ କହିଥିଲେ, '24 ବର୍ଷ ଶାସନ କରି ଯେଉଁ କୃଷକ ପରିବାରର ଆୟରେ ବୃଦ୍ଧି କରି ପାରିଲେ ନାହିଁ । ବିଜେପି ସରକାର 24 ମାସରୁ ବି କମ ସମୟ ଭିତରେ ପ୍ରତି ପରିବାରର ଆୟ ଅତି କମରେ ବାର୍ଷିକ 33 ହଜାର ଟଙ୍କାରୁ ବି ଅଧିକ କରିବାରେ ସମର୍ଥ ହୋଇଛୁ । ବିଜେଡିର 24 ବର୍ଷର ସରକାର 100 ଟଙ୍କା ବୋନସ ଘୋଷଣା କରି କାହିଁକି ନିଜ ପ୍ରତିଶୃତି ରକ୍ଷା କରି ପାରିଲେ ନାହିଁ ପଚାରିଲେ କହୁଛନ୍ତି କେନ୍ଦ୍ର ସରକାର ଅନୁମତି ଦେଲେ ନାହିଁ । ଯଦି ଏହା ସତ, ତେବେ ଛତିଶଗଡର କଂଗ୍ରେସ ସରକାର କିପରି ଭାବେ ବର୍ଦ୍ଧିତ ଇନପୁଟ ସହାୟତା ଦେବାରେ ସମର୍ଥ ହୋଇଥିଲେ ? ଅସଲ କଥା ହେଉଛି, 24 ବର୍ଷର ସରକାରଙ୍କ ଚାଷୀଙ୍କ ପ୍ରତି କୌଣସି ଦରଦ ନ ଥିଲା, କେବଳ ମିଛରେ ଲୁହ ଗଡାଉଛନ୍ତି । ଇନପୁଟ ସହାୟତା ଚାଷୀଙ୍କୁ ଉତ୍ସାହ ଦେଇଛି । ଇନପୁଟ ସହାୟତା ଘୋଷଣା ପରେ ଅଧିକ ଚାଷ ହୋଇଛି । ଯାହା ଷ୍ଟୋର କରିବା ପାଇଁ ଭିତ୍ତିଭୂମି ନାହିଁ । ଭିତ୍ତିଭୂମିକୁ ତ ରାତାରାତି କରି ହେବ ନାହିଁ । ଏଥିପାଇଁ 100 ଟି ମଡେଲ ମଣ୍ଡି, ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାୟ 15 ଲକ୍ଷ ମେଟ୍ରିକ ଟନର ଗୋଦାମ ଷ୍ଟୋରେଜ ନିର୍ମାଣ କରୁଛୁ । ରାଜ୍ୟର ସବୁ ଚାଷୀଙ୍କୁ ନିର୍ଭର ପ୍ରତିଶୃତି ଦେଉଛି ଚାଷୀଙ୍କ ସବୁ ସମସ୍ଯା ସମାଧାନ କରାଯିବ । ସବୁ ଯୋଗ୍ୟ ଚାଷୀଙ୍କ ସବୁ କ୍ରୟଯୋଗ୍ୟ ସବୁ ଧାନକୁ ଉଠାଇବୁ ।'

ମୁଖ୍ୟମନ୍ତ୍ରୀ ମାୋହନ ମାଝି କହିଥିଲେ, 'ବିରୋଧୀ ଦଳର ବିଧାୟକ ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯାହା ପରିସଂଖ୍ୟାନକୁ ଦେଖିଲେ ସ୍ପଷ୍ଟ ଭାବରେ ଜଣାପଡିଯିବ । 2023-24 ବର୍ଷରେ ମୋଟ 70 ଲକ୍ଷ 88 ହଜାର ମେଟ୍ରିକ ଟନ ଧାନ ପୂର୍ବ ସରକାର ଚାଷୀଙ୍କଠାରୁ କିଣିଥିଲେ । କିନ୍ତୁ ବିଜେପି ସରକାର 2024-25 ବର୍ଷରେ ମୋଟ 92 ଲକ୍ଷ 63 ହଜାର ମେଟ୍ରିକ ଟନ ଧାନ କିଣିଛନ୍ତି । ଏହା ବାବଦକୁ 28 ହଜାର 715 କୋଟି ଟଙ୍କା ଚାଷୀ ପାଇଛନ୍ତି । ଯେଉଁଥିରେ 7 ହଜାର 408 କୋଟି ଟଙ୍କାର ବୋନସ ରହିଛି । ଚଳିତ ବର୍ଷ 60 ଲକ୍ଷ 80 ହଜାର ମେଟ୍ରିକ ଟନ ଧାନ କିଣା ସରିଛି । ଚାଷୀଙ୍କଠାରୁ ସମସ୍ତ ଧାନ କିଣିବୁ । ସେମାନଙ୍କୁ ସହାୟତା ଦେଇ ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବୁ । ବିରୋଧୀ ଦଳ ନେତା ଓଡିଶା ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ । ବିଧାନସଭା ଗୃହକୁ ଆସି ଓଡ଼ିଶାର ବିକାଶ ମଡେଲକୁ ଆଗକୁ ନେବାର ପରାମର୍ଶ ଦିଅନ୍ତୁ । ବିରୋଧୀ ଦଳଙ୍କୁ ସଦବୁଦ୍ଧି ଦିଅନ୍ତୁ । ସେମାନେ ଗୃହକୁ ଆସି ଗୃହକାର୍ଯ୍ୟରେ ଯୋଗ ଦେଇ ରାଜ୍ୟ ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ।'

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ 'ଲୋକ ସେବା ଚାହାନ୍ତି, ନେତାଙ୍କ ପ୍ରବଚନ ନୁହେଁ'; ଚାଷୀ ସମାବେଶରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍

ଏହା ମଧ୍ୟ ପଢନ୍ତୁ ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ