ETV Bharat / state

ଓଡ଼ିଶାରେ SIR ପାଇଁ ୧୦ IAS ପର୍ଯ୍ୟବେକ୍ଷକ ନିଯୁକ୍ତ; ପ୍ରତ୍ୟେକଙ୍କୁ ୩ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ

ପ୍ରତ୍ୟେକ ପର୍ଯ୍ୟବେକ୍ଷକ ଅତିକମରେ ୩ ଥର କ୍ଷେତ୍ର ଗସ୍ତ କରିବେ; ସାଂସଦ, ବିଧାୟକ, ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ। ରିପୋର୍ଟ: ଭବାନୀ ଶଙ୍କର ଦାସ

SPECIAL INTENSIVE REVISION
ପ୍ରତ୍ୟେକ ପର୍ଯ୍ୟବେକ୍ଷକ ଅତିକମରେ ୩ ଥର କ୍ଷେତ୍ର ଗସ୍ତ କରିବେ; ସାଂସଦ, ବିଧାୟକ, ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ। (EETV Bharat Odisha)
author img

By ETV Bharat Odisha Team

Published : July 3, 2026 at 5:59 PM IST

2 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) ପ୍ରକ୍ରିୟାକୁ ସ୍ୱଚ୍ଛ, ସୁଚାରୁ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାର ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ କରିଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତ୍ୟେକ ପର୍ଯ୍ୟବେକ୍ଷକଙ୍କୁ ପ୍ରାୟ ୩ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ଜିଲ୍ଲାଭିତ୍ତିକ ପର୍ଯ୍ୟବେକ୍ଷକଙ୍କ ଦାୟିତ୍ୱ:

  1. SRC ତଥା ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲ – ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର
  2. ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ – ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ
  3. ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ – କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା
  4. ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ବି. ପରମେଶ୍ୱରନ – ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ
  5. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ – ଦେବଗଡ଼, ସମ୍ବଲପୁର ଓ ବରଗଡ଼
  6. IDCOର ପ୍ରବନ୍ଧ ନିର୍ଦ୍ଦେଶକ ଡି. ପ୍ରସନ୍ନ କୁମାର ରେଡ୍ଡୀ – ଗଞ୍ଜାମ, ଗଜପତି ଓ ରାୟଗଡ଼ା
  7. କେନ୍ଦ୍ରାଞ୍ଚଳ RDC ସୁଧାଂଶୁ ମୋହନ ସାମଲ – କଟକ, ଢେଙ୍କାନାଳ ଓ ଅନୁଗୋଳ
  8. MSME ବିଭାଗର ସଚିବ ରଶ୍ମିତା ପଣ୍ଡା – ଭୁବନେଶ୍ୱର ମହାନଗର ସମେତ ପୁରୀ, ଖୋରଧା ଓ ନୟାଗଡ଼
  9. ସାଧାରଣ ଉଦ୍ୟୋଗ ବିଭାଗର ସଚିବ ମହମ୍ମଦ ସାଦିକ ଆଲମ – ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି
  10. ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର – କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା

ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାକୁ ଅତିକମରେ ୩ ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ସେମାନେ କେବଳ ଜିଲ୍ଲା ମୁଖ୍ୟାଳୟରେ ସୀମିତ ନ ରହି ବିଭିନ୍ନ ବିଧାନସଭା ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିବେ।

ଗସ୍ତ ସମୟରେ ସେମାନେ ସମ୍ପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରିବେ। ବୈଠକରେ ସେମାନଙ୍କର ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ ଲୋଡ଼ିବେ। ସେହିପରି ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ କିମ୍ବା ସମସ୍ୟା ନେଇ ସାଧାରଣ ଲୋକଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯିବ।

ପର୍ଯ୍ୟବେକ୍ଷକଙ୍କ ଗସ୍ତ ସୂଚୀ ଓ ଟେଲିଫୋନ/ମୋବାଇଲ ନମ୍ବର ସମ୍ପୃକ୍ତ ଜିଲ୍ଲାରେ ବ୍ୟାପକ ଭାବେ ପ୍ରଚାର କରାଯିବ, ଯାହାଫଳରେ ସାଧାରଣ ଲୋକ ସହଜରେ ସେମାନଙ୍କ ସହ ଯୋଗାଯୋଗ କରିପାରିବେ।

ଯେଉଁ ବିଧାନସଭା ମଣ୍ଡଳୀରେ ଭୋଟରଙ୍କ ନାମ ବାଦ (Deletion) କିମ୍ବା ନୂଆ ନାମ ସଂଯୋଗ (Addition) ହାର ଜିଲ୍ଲାର ହାରାହାରି ତୁଳନାରେ ୧ ପ୍ରତିଶତରୁ ଅଧିକ କିମ୍ବା କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ୩ ପ୍ରତିଶତରୁ ଅଧିକ ହେବ, ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଓ ତାହାର କାରଣକୁ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ଯାଞ୍ଚ କରିବେ।

କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ପ୍ରତ୍ୟେକ ପର୍ଯ୍ୟବେକ୍ଷକ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ବିସ୍ତୃତ ରିପୋର୍ଟ ଦାଖଲ କରିବେ। ଏହାଦ୍ୱାରା କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ ନ ପଡ଼ିବେ, ଅଯୋଗ୍ୟ ବ୍ୟକ୍ତି ତାଲିକାରେ ସାମିଲ ହେବେ ନାହିଁ ଏବଂ ସମଗ୍ର ପ୍ରକ୍ରିୟା ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି।

ଅନ୍ୟପକ୍ଷରେ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବା ପରେ ଆସନ୍ତା ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।

ଉଲ୍ଲେଖଯୋଗ୍ୟ; ଚିଠା ଭୋଟର ତାଲିକା ପ୍ରକାଶ ପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆପତ୍ତି କିମ୍ବା ଅଭିଯୋଗ ଦାଖଲ କରାଯାଇପାରିବ। ଏହାଛଡ଼ା ଫର୍ମ-୬ (Form-6) ମାଧ୍ୟମରେ ନୂଆ ଭୋଟରଙ୍କ ନାମ ଯୋଡ଼ାଯାଇପାରିବ, ଫର୍ମ-୭ (Form-7) ଦ୍ୱାରା ନାମ ବାଦ ଦିଆଯାଇପାରିବ ଏବଂ ଫର୍ମ-୮ (Form-8) ମାଧ୍ୟମରେ ଭୋଟର ତାଲିକାରେ ଥିବା ଯେକୌଣସି ତଥ୍ୟର ସଂଶୋଧନ କରାଯାଇପାରିବ।

ଏହା ମଧ୍ୟ ପଢ଼ନ୍ତୁ... ଓଡ଼ିଶାରେ ଏସଆଇଆର ପ୍ରକ୍ରିୟାର ସମୀକ୍ଷା କଲେ ଭାରତର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ

ଇଟିଭି ଭାରତ, ଭୁବନେଶ୍ବର