ଅଙ୍ଗନବାଡ଼ି କେନ୍ଦ୍ର ହେବ ଖୁସି କେନ୍ଦ୍ର, ମାର୍ଚ୍ଚ ୮ ସୁଦ୍ଧା ଶୌଚାଳୟ: ଅନୁ ଗର୍ଗ
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପ୍ରଥମ ବୈଠକରେ ବଡ଼ ଘୋଷଣା । '2026 ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ନିର୍ମାଣ କରାଯିବ।'

Published : January 2, 2026 at 10:30 AM IST
Anganwadi centers Toilets ଭୁବନେଶ୍ବର: ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାଇତ୍ୱ ଗ୍ରହଣ ପରେ ପ୍ରଥମ ସଚିବସ୍ତରୀୟ ବୈଠକ ନେଇଛନ୍ତି ଅନୁ ଗର୍ଗ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତ ବିଭାଗର ସଚିବଙ୍କ ସହିତ ଆଲୋଚନା କରି କାର୍ଯ୍ୟାନ୍ବୟନ ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ସୁବିଧା କରିବା ନେଇ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।
ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା:
ଜାତୀୟସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା କରାଯିବା ସହିତ ରକ୍ଷଣାବେକ୍ଷଣ ପାଇଁ ଗୁରୁତ୍ୱ ଦିଆଯାଇଛି ।
୨ ବର୍ଷିଆ ଆକ୍ସନ ପ୍ଲାନ:
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ ପାଇଁ ସଚିବଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ପାଇଁ ପ୍ରଥମେ ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅଭିିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟ, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ । ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା:
ମିଶନ କର୍ମଯୋଗୀ ଅଧିନରେ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି ହେବ । ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରକଳ୍ପ ଗୁଡିକର ଗୁଣାତ୍ମକତା ବଜାୟ ରଖିବା ସହିତ ପ୍ରକଳ୍ପ କାର୍ଯ୍ୟକାରିତା ତ୍ୱରାନିତ୍ୱ କରାଯିବ । ଏଥିପାଇଁ ପ୍ରକଳ୍ପଓ୍ୱାରୀ ତଦାରଖ, ବଜେଟ ଅନୁମୋଦିତ ଖର୍ଚ୍ଚ ଓ ଫଳାଫଳର ସମୀକ୍ଷା, ରାଜ୍ୟର ଦୀର୍ଘମିଆଦି ବିକାଶ ପାଇଁ ଭିତ୍ତିଭୂମି, ଶିଳ୍ପ, ବନ୍ଦର, ସଡକ, ସେତୁ ପାନୀୟ ଜଳ, ଜଳସେଚନ, ଶକ୍ତି ଓ ସହରାଂଚଳ ବିକାଶରେ ପୁଞ୍ଜି ବ୍ୟୟକୁ ତ୍ୱରାନିତ୍ୱ କରାଯିବ । ଗ୍ରାମୀଣ ବିକାଶ ପାଇଁ ମିଶନ 'ପାଓ୍ୱାର' କାର୍ଯ୍ୟକ୍ରମ ଦ୍ୱାରା ପ୍ରତି ଗ୍ରାମକୁ ବିଦ୍ୟୁତ ଶକ୍ତି, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ସବୁ ଦିନିଆ ରାସ୍ତା ସୁବିଧା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ସରକାରୀ ବୈଠକରେ ଉପସ୍ଥାପନା ଏବଂ ବୈଠକର ବିବରଣୀ ଗୁଡ଼ିକ ଓଡ଼ିଆ ଭାଷାରେ ପ୍ରସ୍ତୁତି କରାଯିବ । ଯେଉଁ ବିଭାଗର ଓ୍ୱେବସାଇଟ ଓଡ଼ିଆ ଓ ଇଂରାଜୀରେ ଅପଡେଟ କରାଯାଇନାହିଁ, ତାହାକୁ ଅଦ୍ୟତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜନ ଅଭିଯୋଗଗୁଡିକ ୧୦ ଦିନ ଭିତରେ ଫଇସଲା କରି ବିବରଣୀ ପ୍ରଦାନ, ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ବିବରଣୀ ପରିଦର୍ଶନ ପୋର୍ଟାଲରେ ଉଲ୍ଲେଖ ଓ ଏହାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅନୁସରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଅନୁ ଗର୍ଗ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ, ଜାନୁଆରୀ 1ରେ ନେବେ ଦାୟିତ୍ବପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ‘ସ୍ୱପ୍ନର ଓଡ଼ିଶା ଗଠନ ଲକ୍ଷ୍ୟ’ |
ରାଜ୍ୟର ବିତ୍ତୀୟ ପ୍ରଦର୍ଶନ:
ବୈଠକରେ ପ୍ରଥମେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋଚନା କରାଯାଇଛି । ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ତିନି ମାସ ରହିଥିବା ବେଳେ ବିଭିନ୍ନ ବିଭାଗଙ୍କୁ ୨୦୨୫-୨୬ ବଜେଟ ଅନୁମୋଦିତ ପ୍ରସ୍ତାବିତ କାର୍ଯ୍ୟ କରି ଖର୍ଚ୍ଚ ବୃଦ୍ଧି ଓ ଲକ୍ଷ୍ୟ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥି ସହିତ ରାଜ୍ୟର ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ କରିବାକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ଡିସେମ୍ବର ୨୭ ଓ ୨୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବସ୍ତରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା ପ୍ରସଙ୍ଗ ଉପରେ ନୂଆ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କରି ସେସବୁ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି ।
ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଉପରେ ଫୋକସ୍:
ରାଜ୍ୟ ଓ ଦେଶର ବିକାଶରେ ଉଚ୍ଚଶିକ୍ଷାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହୁଥିବାରୁ ଗୁଣାତ୍ମକ ଶିକ୍ଷା, ଗବେଷଣା, ଶିକ୍ଷାନୁଷ୍ଠାନ ଗୁଡିକରେ ଦକ୍ଷତାବିକାଶ କାର୍ଯ୍ୟକ୍ରମ, ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ, ସଂପର୍କରେ ପଦକ୍ଷେପ ନିଆଯିବାକୁ ଉଚ୍ଚଶିକ୍ଷା ବିଭାଗ ଓ ଦକ୍ଷତା ବିକାଶ ବିଭାଗ ସହିତ ଆଲୋଚନା କରାଯାଇଥିଲା । ଶ୍ରମର ମୂଲ୍ୟ ବୁଝିବା ଏବଂ ଶିଳ୍ପ କ୍ଷେତ୍ରରେ ଆବଶ୍ୟକତା ପୂରଣ ପାଇଁ ବହୁବିଧ କ୍ଷେତ୍ର, ଡିଜିଟାଲ ଦକ୍ଷତା ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତିକୁ ଅଗ୍ରାଧିକାର ଦିଆଯିବା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ବିକଶିତ ଭାରତ ଏବଂ ଓଡ଼ିଶାର ଯୋଗଦାନ:
ଶ୍ରେଣୀରେ ପାଠପଢ଼ା ସହିତ କ୍ରୀଡ଼ା ଓ ସହ-ପାଠ୍ୟକ୍ରମକୁ ଗୁରୁତ୍ୱ, ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ପର୍ଯ୍ୟଟନ ଅନୁଭୂତି ସୃଷ୍ଟି ପାଇଁ ଭିତ୍ତିଭୂମିରେ ଉନ୍ନତି, ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ଆନୁସଙ୍ଗିକ ସୁବିଧା କରାଯିବ । ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀକୁ ଗୁରୁତ୍ୱ ଦିଆଯିବ । ସ୍ୱଦେଶୀ ଇକୋସିଷ୍ଟମ ସୃଷ୍ଟି, ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ରଖିବା ପାଇଁ ସଂପୃକ୍ତ ଅଞ୍ଚଳଗୁଡ଼ିକରେ ଜୀବିକାର୍ଜନ ପାଇଁ ବ୍ୟକ୍ତିଗତ ଓ ସାମୁହିକ ଅନୁକୂଳ ସୁବିଧା ସୃଷ୍ଟି ଆଦି ସଂପର୍କରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ବିଭାଗର ଆଭିମୁଖ୍ୟ ଯେପରି ଜାତୀୟ ଆଭିମୁଖ୍ୟ ସହିତ ସଂଯୋଜିତ ହେବ । ମୂଲ୍ୟଯୁକ୍ତ କୃଷି ଉତ୍ପାଦନ ସହ ବିଶ୍ୱରେ ଭାରତ ଓ ତହିଁରେ ଓଡ଼ିଶାର ଯୋଗଦାନର ମହତ୍ୱ ସଂପର୍କରେ ଗୁରୁତ୍ୱ ଦେଇ ରଣନୀତି ପ୍ରଣୟନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ସରକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ପାଖାପାଖି 71,000 ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଏଥିରେ 6 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ସାମିଲ କରାଯାଉଛି ।
| ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ; ଶାସନ-ପ୍ରଶାସନକୁ ଅଧିକ ଦକ୍ଷ କରିବା ପାଇଁ ଦେଲେ 15 ନିର୍ଦ୍ଦେଶନାମା |
ଇଟିଭି ଭାରତ,ଭୁବନେଶ୍ବର

