ବଜେଟ୍ ୨୦୨୬-୨୭: ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ, ବିଶ୍ୱମାନର ଭିତ୍ତିଭୂମିକୁ ଅଗ୍ରାଧିକାର
ପର୍ଯ୍ୟଟନ କ୍ଷେତ୍ର ପାଇଁ ମୋଟ ୧୦୨୩ କୋଟି ଟଙ୍କା ବ୍ୟବସ୍ଥା ପ୍ରସ୍ତାବ । ଗତ ବର୍ଷ ତୁଳନାରେ ପ୍ରାୟ ୨୫ ପ୍ରତିଶତ ଅଧିକ ଆବଣ୍ଟନ ।

Published : February 20, 2026 at 9:17 PM IST
ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ପୁଞ୍ଜିବିନିଯୋଗ ଓ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଏକ ବ୍ୟାପକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । “ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭” ଅଧୀନରେ ଆତିଥ୍ୟ ଓ ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦ୍ଵିତୀୟ ପୂର୍ଣ୍ଣ ବଜେଟରେ ମୋଟ୍ ୨୦୧୩ କୋଟି ଟଙ୍କାର ବ୍ୟୟ ଅଟକଳ ରଖିବା ସହ ଅନେକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ଯୋଜନା ଘୋଷଣା କରିଛନ୍ତି ।
"ମୁଁ ପର୍ଯ୍ୟଟନ କ୍ଷେତ୍ର ପାଇଁ ମୋଟ ୧ ହଜାର ୨୩ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଉଛି, ଯାହା ଗତ ବର୍ଷର ଆବଣ୍ଟନ ତୁଳନାରେ ପ୍ରାୟ ୨୫ ପ୍ରତିଶତ ଅଧିକ । ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିବିନିଯୋଗକୁ ଅଧିକ ଆକର୍ଷକ କରିବା, ନୂତନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହନ ଏବଂ ନିବେଶକ ପ୍ରୋତ୍ସାହନ ରାଶିର ତ୍ୱରିତ ବିତରଣ ପାଇଁ ମୁଁ ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି, ୨୦୨୬ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଉଛି," ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ।
୨୦୪୭ ସୁଦ୍ଧା ଓଡ଼ିଶାକୁ ୫ କୋଟିରୁ ଅଧିକ ଘରୋଇ ଓ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରଖି ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ୨୫ ହଜାର ହୋଟେଲ ପ୍ରକୋଷ୍ଠ ସୃଷ୍ଟି କରିବା ଅନ୍ୟତମ ।
ପୁରୀରେ “ଶାମୁକା” ମେଗା ପ୍ରକଳ୍ପ:
ପୁରୀରେ ପ୍ରାୟ ୧୫୦୦ ଏକର ଅଞ୍ଚଳରେ “ଶାମୁକା ପ୍ରକଳ୍ପ” କାର୍ଯ୍ୟକାରୀ କରାଯିବ । ସମୁଦ୍ରତଟରେ ହେବାକୁ ଥିବା ଏହି ପ୍ରକଳ୍ପ ପୁରୀର ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବାରୁ ଜାତୀୟ-ଅନ୍ତର୍ଜାତୀୟ ସଂଯୋଗକୁ ସୁନିଶ୍ଚିତ କରିବ । ଏଠାରେ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର (WTC) ସ୍ଥାପିତ ହେବା ସହିତ ସମ୍ମିଳନୀ, ପ୍ରଦର୍ଶନୀ, ଆଲୋଚନା ଓ ନବସୃଜନ କାର୍ଯ୍ୟକଳାପ ପାଇଁ ଗ୍ଲୋବାଲ୍ ପ୍ଲାଟଫର୍ମ ତିଆରି ହେବ, ବୋଲି ମାଝୀ କହିଥିଲେ ।
ହୀରାକୁଦର ସମନ୍ୱିତ ବିକାଶ:
ପୁରୀ ଛଡ଼ା ହୀରାକୁଦକୁ ମଧ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହୀରାକୁଦ ଡ୍ୟାମ୍, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି । ଜଳାଶୟ କ୍ଷେତ୍ର ବିକାଶ ପାଇଁ ପୂର୍ବରୁ ୯୯ କୋଟି ଟଙ୍କା ଅନୁମୋଦିତ ହୋଇଛି, ବୋଲି ମାଝୀ କହିଛନ୍ତି ।
‘ଚିଲିକା ପୁନରୁଦ୍ଧାର’ ଯୋଜନା:
ଏସିଆର ସବୁଠାରୁ ବଡ଼ ଲୁଣିଆ ଜଳ ହ୍ରଦ ଚିଲିକାର ପରିବେଶର ସୁରକ୍ଷା ପାଇଁ ‘ଚିଲିକା ପୁନରୁଦ୍ଧାର’ ନାମକ ନୂତନ ଯୋଜନା ଘୋଷଣା କରାଯାଇଛି ।
ନୂତନ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ
ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ଜମି ଉପଲବ୍ଧ କରାଇବାରେ ‘ଟୁରିଜମ୍ ଲ୍ୟାଣ୍ଡ ବ୍ୟାଙ୍କ’ ଯୋଜନା ଆରମ୍ଭ ହେବ । ୨୫ ହଜାର ହୋଟେଲ୍ କକ୍ଷ ସୃଷ୍ଟି ପାଇଁ ୧୫ଟି ଗନ୍ତବ୍ୟସ୍ଥଳରେ ଜମି ଚିହ୍ନଟ ହୋଇଛି । ୨୦୨୬-୨୭ ପାଇଁ ଜମି ଅଧିଗ୍ରହଣ ଓ ପ୍ରାଥମିକ ଭିତ୍ତିଭୂମି ବିକାଶରେ ୧୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ନଦୀତଟ ବିକାଶ ପ୍ରକଳ୍ପ
ମହାନଦୀ (ସମ୍ବଲପୁର ଓ କଟକ), ଦୟା (ଭୁବନେଶ୍ୱର), ବୁଢାବଳଙ୍ଗ (ବାରିପଦା) ଓ ବୈତରଣୀ ନଦୀତଟ ସହିତ ୫ଟି ସ୍ଥାନରେ ସମଗ୍ର ବିକାଶ ପାଇଁ ୫୦୦ କୋଟି ଟଙ୍କାର ପ୍ରକଳ୍ପ ଯୋଜନା ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୦୦ କୋଟି ଓ ଜଳସମ୍ପଦ ବିଭାଗରେ ୮୦ କୋଟି ଟଙ୍କା ବରାଦ ପ୍ରସ୍ତାବ ରହିଛି ।
ଐତିହ୍ୟ ଓ ଧାର୍ମିକ ସ୍ଥଳ ବିକାଶ
ଅଭଡ଼ା, ସମଲେଇ, ଏକାମ୍ର ଓ ଅନ୍ୟାନ୍ୟ ମନ୍ଦିର ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରାଯିବ । ତାରିଣୀ ପୀଠ, ଯୋରନ୍ଦାର ମହିମାଗାଦି, କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ର ଓ ଯାଜପୁରର ବିରଜାକ୍ଷେତ୍ରରେ ଉନ୍ନତି କାମ ହେବ । ଖଲିଆପାଲିରେ ସନ୍ଥ ଭୀମଭୋଇଙ୍କ ସମାଧି ପୀଠ ବିକାଶ ପାଇଁ ୩୫ କୋଟି ଟଙ୍କାର ପ୍ରକଳ୍ପ ରହିଛି ।
ସାମୁଦ୍ରିକ ଆକ୍ୱାରିୟମ୍ ଓ ହୋମ୍ଷ୍ଟେ ଯୋଜନା
ପୁରୀରେ ସାମୁଦ୍ରିକ ଆକ୍ୱାରିୟମ୍ ସ୍ଥାପନ ପ୍ରସ୍ତାବ ରହିଛି । ଏହା ପର୍ଯ୍ୟଟକ ରହଣୀ ସମୟ ବଢ଼ାଇବା ସହିତ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବ । ଗ୍ରାମାଞ୍ଚଳରେ ପର୍ଯ୍ୟଟନ ପ୍ରୋତ୍ସାହନ ପାଇଁ ‘ଓଡ଼ିଶା ହୋମ୍ଷ୍ଟେ ଏଷ୍ଟାବ୍ଲିଶମେଣ୍ଟ ସ୍କିମ୍’ ଆରମ୍ଭ ହେବ ।
ଇକୋ-ଟୁରିଜମ୍ ଓ ନନ୍ଦନକାନନ ମାଷ୍ଟରପ୍ଲାନ୍
ଇକୋ-ଟୁରିଜମ୍ରେ ଗୁରୁତ୍ୱ ଦେଇ ବାଲିପୁଟ, ଶିମିଳିପାଳର ନୱାନା, କରଞ୍ଜିଆର ଦେଓକୁ ନୂତନ ଗନ୍ତବ୍ୟସ୍ଥଳ ଭାବେ ଯୋଡ଼ାଯିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ ହେବ । ଜଣାଶୁଣା ହୋଟେଲ ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ କୁହନ୍ତି, "ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ସରକାର ଯେଉଁ ଟାର୍ଗେଟ ରଖିଛନ୍ତି, ତାଠାରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ । ଏହିସବୁ ଘୋଷଣାକୁ ଆନ୍ତରିକତାର ସହିତ କାର୍ଯ୍ୟକାରୀ କରାଯିବର ଆବଶ୍ୟକତା ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ- ପୁରୀରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ଡିଜିଟାଲ୍ ହୁଣ୍ଡି ସହ ଶାମୁକା ପ୍ରକଳ୍ପ
ଏହା ମଧ୍ୟ ପଢ଼ନ୍ତୁ- Odisha Budget 2026: ବଜେଟରେ 16 ନୂଆ ଯୋଜନା, ମଡେଲ୍ ମଣ୍ଡି ପାଇଁ 100 କୋଟି
ଏହା ମଧ୍ୟ ପଢ଼ନ୍ତୁ- Budget Highlights; 3 ଲକ୍ଷ 10 ହଜାର କୋଟିର ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ କେଉଁ ଯୋଜନାକୁ ମିଳିଲା କେତେ ?
ଏହା ମଧ୍ୟ ପଢ଼ନ୍ତୁ- ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ବଜେଟରେ 10 ହଜାର 145 କୋଟି ଟଙ୍କା
ଇଟିଭି ଭାରତ, ଭୁବନେଶ୍ବର

