ETV Bharat / state

ରାଜଧାନୀରେ ଚାଞ୍ଚଲ୍ୟ: ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ହତ୍ୟା, ୩ ମାସ ତଳେ ହୋଇଥିଲା ବାହାଘର

ନିଶାଶକ୍ତ ଅବସ୍ଥାରେ ଯୁବ ବ୍ୟବସାୟୀ ରାହୁଲ ରଞ୍ଜନ ମହାରଣାଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଧରାପଡିଲେ ଅଭିଯୁକ୍ତ । କମିଶନରେଟ ପୋଲିସର ତନାଘନା ।

Bhubaneswar Murder
ମୃତ ରାହୁଲ ରଞ୍ଜନ ମହାରଣା (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 11:10 AM IST

2 Min Read
Choose ETV Bharat

ରିପୋର୍ଟ: ସତ୍ୟଜିତ୍‌ ରାଉତ

Bhubaneswar Murder ଭୁବନେଶ୍ବର: ରକ୍ତରଞ୍ଜିତ ହେଲା ରାଜଧାନୀ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନି ଗାଁ ସ୍କୁଲ ପଡ଼ିଆରେ ଗତକାଲି (ଶନିବାର) ରାତି ପ୍ରାୟ 10ଟା ବେଳେ ଜଣେ ଯୁବ ବ୍ୟବସାୟୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତକ ହେଲେ ଜଗନ୍ନାଥନଗରର ରାହୁଲ ରଞ୍ଜନ ମହାରଣା । ରାହୁଲ ଜଣେ ୟୁଟୁବର ଭାବେ ମଧ୍ୟ ବେଶ୍ ଜଣାଶୁଣା । ସେ ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦିବ୍ୟାଦର୍ଶିନୀ ଦାସଙ୍କ ସ୍ୱାମୀ ବୋଲି ଜଣାପଡିଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି ।

ରାଜଧାନୀରେ ଚାଞ୍ଚଲ୍ୟ: ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ହତ୍ୟା, ୩ ମାସ ତଳେ ହୋଇଥିଲା ବାହାଘର (ETV Bharat Odisha)

ଯୁବ ବ୍ୟବସାୟୀକୁ ହତ୍ୟା:

ରାହୁଲଙ୍କ ପଳାଶୁଣୀରେ କାନାଲ ରୋଡରେ ଏକ ଗ୍ୟାସ ଏଜେନ୍ସି ଅଛି । ୩ ମାସ ତଳେ ରାହୁଲ ବିବାହ କରିଥିଲେ । କ୍ୟାପିଟାଲ ହସ୍ପିଟାଲରେ ରାହୁଲଙ୍କ ମୃତଦେହକୁ ରଖାଯାଇଛି । ଆଜି (ରବିବାର) ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ପଡ଼ିଆ ମଝିରେ ମଦ୍ୟପାନକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକ କହିଛନ୍ତି । ପୋଲିସ ହତ୍ୟା ପଛରେ ପ୍ରକୃତ କାରଣ ଜାଣିବାକୁ ଅନୁସନ୍ଧାନ ଜାରି ରଖିଛି ।

Rahul Ranjan Moharana Murder
ରାହୁଲ ରଞ୍ଜନ ମହାରଣା (ETV Bharat Odisha)

ଅନ୍ଧାରରେ ଛୁରୀ ଭୁସିଦେଲେ:

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତକାଲି (ଶନିବାର) ରାତି ପ୍ରାୟ ୯ଟା ୩୦ ବେଳେ ଜିଜିପି କଲୋନି ସ୍କୁଲ ପଡ଼ିଆ ପାର୍ଶ୍ୱରେ ଥିବା ଏକ ଷ୍ଟେଜ୍ ଉପରେ ୩ ଜଣ ଅଜଣା ଯୁବକ ମଦ୍ୟପାନ କରୁଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳର ଶିବା ନାମକ ଯୁବକ ସେଠାକୁ ଯାଇ ମଦ୍ୟପାନ ନ କରିବାକୁ ବାରଣ କରିଥିଲେ । ଏହାକୁ ନେଇ ଶିବା ଓ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଶିବାଙ୍କୁ ସେମାନେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଶିବା ଆହତ ହୋଇ ତଳେ ପଡିଯାଇଥିଲେ । ଏହା ଦେଖି ନିକଟରେ ଥିବା ରାହୁଲ ଓ କିଛି ଜଣ ସେଠାକୁ ଯିବାରୁ ସେମାନଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଅନ୍ଧାର ରାତିର ସୁଯୋଗ ନେଇ ତାହାରି ମଧ୍ୟରେ ରାହୁଲଙ୍କ ଛାତିକୁ କେହି ଜଣେ ଦୁର୍ବୃତ୍ତ ଛୁରୀ ଭୁସି ଦେଇଥିଲେ । ସେହି ସମୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଗୁରୁତର ରାହୁଲଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Rahul Ranjan Moharana Murder
ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ହତ୍ୟା (ETV Bharat Odisha)



କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା:

ଘଟଣାକୁ ବିଳମ୍ବିତ ରାତି ଯାଏ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ରାହୁଲଙ୍କ ସାଙ୍ଗସାଥି ଓ ସମ୍ପର୍କୀୟମାନଙ୍କ ମୃତଦେହ ବ୍ୟବଚ୍ଛେଦ ଗୃହ ନିକଟରେ ଭିଡ଼ ଜମିଥିଲା । ଏପରିକି କିଛି ସମୟ ହୋହଲ୍ଲା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା ।

businessman Rahul Ranjan Moharana Murder
ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ହତ୍ୟା (ETV Bharat Odisha)

FIR ପୂର୍ବରୁ ସବୁ ଅଭିଯୁକ୍ତ ଧରାପଡ଼ିଲେ, ଛୁରୀ ଜବତ:

ହତ୍ୟାକାଣ୍ଡରେ ସମ୍ପୃକ୍ତ ସବୁ ଅଭିଯୁକ୍ତମାନଙ୍କୁ ଏଫଆଇଆର ହେବା ପୂର୍ବରୁ ଧରାଯାଇଛି ବୋଲି ରବିବାର ସକାଳେ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ଜଣକ ପାଖରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି । ଏନେଇ ମାମଲା ରୁଜୁ କରାଯାଇ ଆଇନଗତ ଗିରଫ ପ୍ରକ୍ରିୟା ଜାରି ରହିଛି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।



ବାହାରୁ ଆସି ନିଶାସକ୍ତ ଦୁର୍ବୃତ୍ତମାନେ କାଣ୍ଡ ଘଟାଇଛନ୍ତି:

ସ୍ଥାନୀୟ ବାସିନ୍ଦା କରୁଣାକାର ବଳିଆରସିଂ କହିଛନ୍ତି, ‘ମୃତ ରାହୁଲ ଆମ ଅଞ୍ଚଳର ହୋଇଥିବା ବେଳେ ସେ ବହୁତ ଭଲ ସ୍ଵଭାବର ଥିଲେ । ସେ ବ୍ୟବସାୟ କରୁଥିଲେ । ତାଙ୍କ ପରିବାର ମଧ୍ୟ ବହୁତ ଭଲ । ଆମ ଅଞ୍ଚଳରେ ତା ସହ ଏମିତି ଘଟିବ ବୋଲି ଆମେ କଳ୍ପନା କରିପାରୁନାହୁଁ । ବାହାରୁ ଆସି ନିଶା ଖାଇ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଛନ୍ତି ବୋଲି ଭାବୁଛି । ୩ ଜଣ ଦୁର୍ବୃତ୍ତ ନିଶା ସେବନ କରୁଥିଲେ । ଏମାନେ ଯାଇ ବିରୋଧ କରିବାରୁ ପାଟି କରିବାରୁ ବଚସା ହୋଇଥିଲା । ଦୁର୍ବୃତ୍ତମାନେ ରାଗରେ ଏମିତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଶାଗ ତୋଳିବାକୁ ଯାଇଥିବା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ଅଭିଯୁକ୍ତ ଗିରଫ

ଯୁବତୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ, ପ୍ରେମିକ ସମେତ 2 ଗିରଫ

ଅଭିନେତ୍ରୀ ନିକିତା ହତ୍ୟା ମାମଲା; ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ, ନ୍ୟାୟ ମିଳିଲା କହିଲେ ମା'-ବାପା

4 ମହଲାରୁ ଖସି ଯୁବତୀଙ୍କ ମୃତ୍ୟୁ: ପ୍ରେମିକ ସହ 3 ଅଟକ, ରହସ୍ୟ ଖୋଲିବ ବ୍ୟବଚ୍ଛେଦ ରିପୋର୍ଟ


ଘଟଣାସ୍ଥଳରେ ପଡ଼ିରହିଥିଲା ମଦ, ପାଣି ବୋତଲ:

ହତ୍ୟାକାଣ୍ଡ ପରେ ଶନିବାର ବିଳମ୍ବିତ ରାତିରେ ଡିସିପି ଜଗମୋହନ ମୀନା, ମଞ୍ଚେଶ୍ୱର ଥାନାଧିକାରୀ ଦୟାନିଧି ଦାସ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତେବେ ପଡ଼ିଆରେ ହଳେ ଚପଲ ଏଣେ ତେଣେ ପଡିଥିଲା । ସ୍କୁଲ ପଡିଆ ପାର୍ଶ୍ଵରେ ଥିବା ଷ୍ଟେଜ ଉପରେ ଚିପ୍ସ, ମଦ ଓ ପାଣି ବୋତଲ ପଡ଼ିରହିଥିଲା । ତେବେ ଆଜି (ରବିବାର) ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ବିଭିନ୍ନ ନମୁନା ସଂଗ୍ରହ କରିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର