ସମ୍ବଲପୁର ବାଘଲତ ଗାଁରେ ବାଟ ହୁଡ଼ିଛି ବିକାଶ ! ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହୁଅନ୍ତି ଗର୍ଭବତୀ ଏବଂ ରୋଗୀ
ରାସ୍ତା ପାଇଁ ଦଶନ୍ଧି ଧରି ସମସ୍ୟା ଭୋଗୁଛନ୍ତି ସମ୍ବଲପୁର ଜମନକିରା ବ୍ଲକ ଖରସନମାଲ ପଞ୍ଚାୟତ ବାଘଲତ ଗ୍ରାମବାସୀ ।ଗାଁରେ ବାସ କରନ୍ତି 40ଟି ପରିବାରର 189 ଜଣ । ବାଦଶାହ ଜୁସ୍ମନ ରଣାଙ୍କ ରିପୋର୍ଟ

Published : August 29, 2026 at 3:02 PM IST
SAMBALPUR BAGHALAT ROAD PROBLEM ସମ୍ବଲପୁର: କିଟିକିଟି ଅନ୍ଧାର ସାଙ୍ଗକୁ ତୁହାକୁ ହୁହା ବର୍ଷା କାଚୁଥାଏ । ଏପଟେ ଚକ୍ଚକ୍ ବିଜୁଳି ଚମକୁ ଥାଏ । ଏତିକି ବେଳେ ଜଣେ ଗର୍ଭବତୀ ମହିଳାଙ୍କ ଅସହ୍ୟ ପ୍ରସବ ଯନ୍ତ୍ରଣା ଆରମ୍ଭ ହୁଏ । ପରିବାର ଲୋକ ଜନନୀ ଏକ୍ସପ୍ରେସ୍ (102 ଆମ୍ବୁଲାନ୍ସ)କୁ ଖବର ଦିଅନ୍ତି... ଆମ୍ବୁଲାନ୍ସ ଆସିଲା ସତ.. ହେଲେ ଗାଁକୁ ନୁହେଁ.. ବରଂ ଅଟକି ରହିଲା ଗାଁ ଠାରୁ 3 କିଲୋମିଟରେ ଦୂରରେ । କାରଣ କାଦୁଅ ପଚପଚ ରାସ୍ତା ପାଇଁ ଗାଁରେ ପଶିପାରିଲାନି ଜନନୀ ଏକ୍ସପ୍ରେସ୍ .. ଏ ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଖରସନମାଲ ପଞ୍ଚାୟତର ବାଘଲତ ଗାଁର ଘଟଣା ।
ଦେଶର ସ୍ୱାଧୀନତାକୁ 80 ବର୍ଷ ବିତିଥିଲେ ମଧ୍ୟ ସମ୍ବଲପୁର ବାଘଲତ ଗାଁର ସମସ୍ୟାକୁ ଦେଖିଲେ ଏମିତି ଲାଗୁଛି ଯେ, ବିକାଶର ନୀଳ ନକ୍ସାରୁ ଏହି ଗାଁର ନାମ ଯେମିତି ଲିଭି ଯାଇଛି । ଗାଁକୁ ଏମିତି ରାସ୍ତା ଯେ, 4 ଚକିଆ ଗାଡ଼ି କଥା ଛାଡ଼ନ୍ତୁ, ପାଦରେ ଚାଲିବା ମଧ୍ୟ ମୁସ୍କିଲ୍ । ପକ୍କା ରାସ୍ତାଟିଏ ନଥିବାରୁ ଗାଁ ଲୋକେ ଦଶନ୍ଧି ଦଶନ୍ଧି ଧରି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଙ୍ଗଲ ଘେରା କାଦୁଅ ରାସ୍ତା ଅତିକ୍ରମ କରି Ground Zero ବାଘଲତ ଗାଁରେ ପହଞ୍ଚିଥିଲେ ETV Bharat ପ୍ରତିନିଧି ବାଦଶାହ ଜୁସ୍ମନ ରଣା, ଆଉ ପଚାରି ବୁଝିଥିଲେ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ସଂପର୍କରେ ...
ରାସ୍ତା ପାଇଁ ଖଟିଆରେ ବୁହାହେଲେ ଗର୍ଭବତୀ:
ETV Bharat ପ୍ରତିନିଧିଙ୍କୁ ଦୁଃଖଭରା କାହୀଣୀ କହିଥିଲେ ବାଘଲତାର ମହିଳା ମାରିୟମ ଡାଙ୍ଗ । ତାଙ୍କ କହିବା କଥା "ସେଦିନ ଅଗଷ୍ଟ 9(ନଅ) ତାରିଖ ରାତି ପ୍ରାୟ 9ଟା(ନଅଟା) ସମୟ । ବାଘଲତ ଗାଁର ଇସ୍ମାଇଲ ଡାଙ୍ଗଙ୍କ ପତ୍ନୀ ସୁକୁମାନୀ ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା । ପରିବାର ଲୋକ ଗାଁର ଆଶା ଦିଦିଙ୍କୁ ଫୋନ କଲେ । ଆଶା ଦିଦି ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କଲେ । ମାତ୍ର ଗାଁକୁ ଆମ୍ବୁଲାନ୍ସ ଆସିପାରି ନଥିଲା । ନିକଟରେ ଥିବା କାଣୀବନ୍ଦଳୀ ଗାଁ (3 କିଲୋମିଟର) ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ନେବାକୁ ପଡିବ ବୋଲି ପରିବାର ଲୋକଙ୍କୁ କୁହାଗଲା । ସେପଟେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ଅସହ୍ୟ ହେଉଥାଏ । ଏପଟେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଚକ୍ମକ୍ କରୁଥାଏ । କିଛି ଉପାୟ ନପାଇ ପରିବାର ଲୋକ, ବର୍ଷାରେ ଭିଜି ଗର୍ଭବତୀ ମହିଳାଙ୍କୁ ଖଟିଆରେ 3 କିମି ବୋହି ନେଇଥିଲେ । ରାତି 11ଟାରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। "

ମାରିୟମ ଡାଙ୍ଗ (28) କହିଛନ୍ତି, "ରାସ୍ତା ସମସ୍ୟା ପାଇଁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମ ଗାଁକୁ ଭଲ ରାସ୍ତା ପାଇଁ ସରକାରଙ୍କୁ ଅନୁରୋଧ କରୁଛୁ ।"
ବାଘଲତ ଗାଁ:
ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 30 କିଲୋମିଟର ଦୂର ବଣ ଜଙ୍ଗଲ ଘେରା ପରିବେଶରେ ରହିଛି ବାଘଲତ ଗାଁ । ରାଜ୍ୟ ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକଙ୍କ ବିଧାନସଭା କ୍ଷେତ୍ର କୁଚିଣ୍ଡାର ଜମନକିରା ବ୍ଲକ ଅଧୀନରେ ଏହି ଗାଁ ଆସୁଛି । ବାଘଲତ ଗାଁରେ ଅଧିକାଂଶ ଆଦିବାସୀ ପରିବାର ରହୁଛନ୍ତି । ସମ୍ବଲପୁର-ଜମନକିରା ଯାଉଥିବା ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଗୌଡ଼ପାଲିଠାରୁ ଏହି ଗାଁକୁ ଯିବାକୁ ରାସ୍ତା ରହିଛି । କାଣୀବନ୍ଦଳୀ ଗ୍ରାମ ପର୍ଯ୍ୟନ୍ତ ଭଲ ରାସ୍ତା ଅଛି । କାଣୀବନ୍ଦଳୀ ଗାଁରୁ ବାଘଲତ ଗାଁର 3 କିଲୋମିଟର ରାସ୍ତା ପକ୍କା ହୋଇନାହିଁ । ତାହା ମାଟି ଓ ମୋରମରେ ତିଆରି ଯାହା ବର୍ଷା ଦିନେ କାଦୁଅ ଓ ପାଣିରେ ଭର୍ତ୍ତି ହୋଇଯାଏ ।

ଅଙ୍ଗନବାଡି କର୍ମୀ ଜୟନ୍ତୀ ବୁଡ଼ଙ୍କ ସୂଚନା ଆନୁସାରେ, ଗାଁରେ 40ଟି ପରିବାର ରହୁଥିବା ବେଳେ ଜନସଂଖ୍ୟା 189 । ବର୍ତ୍ତମାନ ଏହି ଗାଁରେ 2 ଜଣ ଗର୍ଭବତୀ ଓ 2 ଜଣ ପ୍ରସୂତୀ ମାଆ ଅଛନ୍ତି ।
ଶିକ୍ଷା ସମସ୍ୟା:
ବାଘଲତରେ ଶିକ୍ଷା ବ୍ୟବସ୍ଥା କହିଲେ, ଗ୍ରାମରେ ମାତ୍ର ଗୋଟିଏ ଅଙ୍ଗନବାଡି କେନ୍ଦ୍ର ରହିଛି । ପ୍ରଥମ ଶ୍ରେଣୀରେ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ 3 କିଲୋମିଟର ଦୂରରେ ଥିବା କାଣୀବନ୍ଦଳୀ ଗାଁ କିମ୍ବା ଅନ୍ୟ ଗାଁକୁ ଯିବାକୁ ପଡେ । ମାତ୍ର ଗାଁରେ ରାସ୍ତା ସମସ୍ୟା ପାଇଁ ବର୍ଷା ଦିନେ ଅଧିକାଂଶ ଦିନ ଛାତ୍ରଛାତ୍ରୀ ସ୍କୁଲ ଯିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଅଙ୍ଗନବାଡି କର୍ମୀ ଜୟନ୍ତୀ ବୁଡ଼ ଆହୁରି କହିଛନ୍ତି, "ବର୍ଷ ବର୍ଷ ଧରି ଆମ ଗାଁରେ ରାସ୍ତା ସମସ୍ୟା ରହିଛି । ପିଲାମାନଙ୍କୁ ଗାଁ ନିକଟରେ ଥିବା ହଷ୍ଟେଲରେ ରଖିବାକୁ ବାଧ୍ୟ ହେଉଛୁ । ବଡରମା, ବାଦିବାହାଲ, ଗୁଦୁରାପଡ଼ା ଆଦି ହଷ୍ଟେଲରେ ଆମ ଗାଁ ପିଲା ରହୁଛନ୍ତି । କଲେଜ ଛାତ୍ରଛାତ୍ରୀ ଗାଁ ରାସ୍ତା ସମସ୍ୟା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଗାଁର 10 ଜଣ ଛାତ୍ରଛାତ୍ରୀ ଅନ୍ୟ ଗାଁକୁ ପାଠ ପଡ଼ିବାକୁ ଯାଉଥିବା ବେଳେ ବାକି ସମସ୍ତ ଛୁଆଙ୍କୁ ହଷ୍ଟେଲରେ ରଖାଯାଇଛି ।"

ବର୍ଷା ଦିନେ କାଦୁଅରେ ଭରିଯାଏ ରାସ୍ତା:
ଗାଁର ଲୋକେ ଚିକିତ୍ସା, ରାସନ, ଭତ୍ତା ଓ ଅନ୍ୟାନ୍ୟ ସରକାରୀ କାମ ପାଇଁ ମଧ୍ୟ ଏହି କାଦୁଅ ରାସ୍ତା ଦେଇ ଯାତାୟତ କରନ୍ତି । ବାର୍ଦ୍ଧକ୍ୟ ଭତ୍ତା କିମ୍ବା ରାସନ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯିବାକୁ ହେଲେ ମଧ୍ୟ ଲୋକଙ୍କୁ ଏହି କାଦୁଅ ରାସ୍ତା ପାର ହୋଇ ଯିବାକୁ ପଡ଼ୁଛି ।
"ମୁରା କଲେଜ"ରେ ପଡୁଥିବା ଛାତ୍ରୀ ବିଶ୍ୱାସୀ ମୁନୁକି କହିଛନ୍ତି, "ଆମ ଗାଁ ରାସ୍ତା ବର୍ଷା ଦିନେ କାଦୁଅରେ ଭରିଯାଏ । ତେଣୁ ବର୍ଷା ହେଲେ ସ୍କୁଲ କଲେଜ ଯାଇହୁଏ ନାହିଁ । ମୁଁ ପ୍ରତ୍ୟେକ ଦିନ ସାଇକେଲରେ 6 କିମି ଦୂରତାରେ ଥିବା ଆମ କଲେଜକୁ ଯାଏ । ବର୍ଷା ଦିନେ ରାସ୍ତା ଉପରେ ଆଣ୍ଠୁଏ ପାଣି ଭରିଯାଏ । ତେଣୁ ମୁଁ ସବୁଦିନ କଲେଜ ଯାଇ ପାରେନାହିଁ । ବହୁତ ଦିନ ହେଲା ଆମ ଗାଁ ରାସ୍ତା ଏମିତି ଖରାପ ଅବସ୍ଥାରେ ରହିଛି ।"

ଧାନ ତଳି ରୋଇ ପ୍ରତିବାଦ କରିଥିଲେ ଗ୍ରାମବାସୀ:
ଗ୍ରାମବାସୀଙ୍କ କହିବା ଅନୁସାରେ, ରାସ୍ତା ସମସ୍ୟାକୁ ନେଇ ସେମାନେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି । ପଲ୍ଲୀସଭାଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ହେଲେ କେହି ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଅନେକବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସମାଧାନ ନହେବରୁ ଗତ କିଛି ଦିନ ତଳେ ଗାଁ ଲୋକମାନେ ରାସ୍ତାର ଧାନ ତଳି ରୋଇ ପ୍ରତିବାଦ କରିଥିଲେ ।

ଖରସନମାଲ ସରପଞ୍ଚ ମାୟାବତୀ ମୁଣ୍ଡା କହିଛନ୍ତି, "ବାଘଲତ ଗାଁରେ ରାସ୍ତା ବହୁ ପୁରୁଣା ସମସ୍ୟା । ଏହି ରାସ୍ତାଟି ଆର. ଡି. (RD) ବିଭାଗ ଅଧୀନରେ ରହିଛି । ଏନେଇ ମୁଁ ଜିଲ୍ଲା ପ୍ରଶାସନ ଠାରେ ବହୁ ଥର ଅଭିଯୋଗ କରିଛି । ମାତ୍ର କିଛି ଲାଭ ହୋଇନାହିଁ ।"

ବାଘଲତ ଗାଁର ମୌଳିକ ସମସ୍ୟାଗୁଡ଼ିକୁ ନେଇ କୁଚିଣ୍ଡା ଉପଜିଲ୍ଲାପାଳ ସାରଭାନନ୍ ସିଙ୍କ ପ୍ରତିକ୍ରିୟା , "ସେହି ଗାଁର ରାସ୍ତାଟି ଜଙ୍ଗଲ ଜମିରେ ଅଛି ନା ଅନ୍ୟ ଜମିରେ ଅଛି ଦେଖିବାକୁ ପଡିବ । ପ୍ରଥମେ ତହସିଲଦାରଙ୍କ ଜରିଆରେ ରାସ୍ତାଟି କେଉଁ କିସମ ଜମିରେ ଅଛି ତାକୁ ଯାଞ୍ଚ କରାଯିବ । ଯଦି ତାହା ଜଙ୍ଗଲ ଜମିରେ ଥିବ ତାହେଲେ ଭିବି-ଜି ରାମ ଜି (VB-G RAM-G) ଯୋଜନାରେ ମୋରମ ପକାଇ ରାସ୍ତା ମରାମତି କରିବୁ । ପକ୍କା ରାସ୍ତା ପାଇଁ ସେହି ରାସ୍ତାର ଜମି ରାଜସ୍ବ ଜମି ହୋଇଥିବା ଆବଶ୍ୟକ, ତେଣୁ ତାହାକୁ ପ୍ରଥମେ ଆମେ ଯାଞ୍ଚ କରାଯିବ ।"
ଏହା ମଧ୍ୟ ପଢ଼ନ୍ତୁ... |
ଇଟିଭି ଭାରତ, ସମ୍ବଲପୁର

