ବୈତରଣୀରେ ନାହିଁ ବନ୍ୟା ସ୍ଥିତି, ସ୍ପଷ୍ଟ କଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
ଯାଜପୁର କଣ୍ଟାପଡାରେ ଘାଇ ସୃଷ୍ଟି ଖବରକୁ ଖଣ୍ଡନ କଲା ଜଳ ସମ୍ପଦ ବିଭାଗ। ରିପୋର୍ଟ ସଞ୍ଜୀବ ରାୟ


Published : July 7, 2026 at 2:43 PM IST
|Updated : July 7, 2026 at 3:02 PM IST
ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ପରେ ବୈତରଣୀ ନଦୀରେ ଛୋଟ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ବୈତରଣୀର ଜଳସ୍ତର କମିବା ସହ ଆଖୁଆପଦାରେ ଜଳସ୍ତର ସତର୍କ ସଂକେତ ତଳକୁ ଖସିଆସିଛି। ତେଣୁ ବର୍ତ୍ତମାନ ବୈତରଣୀରେ ବନ୍ୟା ପରିସ୍ଥିତି ନଥିବା ସ୍ପଷ୍ଟ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।
ବୈତରଣୀରେ ନାହିଁ ବନ୍ୟା ସ୍ଥିତି
ଆଖୁଆପଦାରେ ଆଜି (ମଙ୍ଗଳବାର) ଜଳସ୍ତର ୧୭.୭ ମିଟର ରହିଛି । ଯାହା ବିପଦ ସଂକେତ ଠାରୁ ତଳେ ରହିଛି। ଯାଜପୁର ଜିଲ୍ଲାର ୪ରୁ ୫ଟି ପଞ୍ଚାୟତର କିଛି ଚାଷଜମିରେ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଛି। ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ଯାଜପୁର କଣ୍ଟାପଡାରେ ଘାଇ ସୃଷ୍ଟି ହୋଇଥିବା ଖବରକୁ ମଧ୍ୟ ଖଣ୍ଡନ କରିଛି ଜଳ ସମ୍ପଦ ବିଭାଗ। ବିଭାଗର ସ୍ପଷ୍ଟୀକରଣ ଅନୁଯାୟୀ, ଏହା କୌଣସି ଘାଇ ନୁହେଁ। ଚାଷଜମିକୁ ବନ୍ୟା ପାଣିରୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଲୋକେ ଏକ ମାଟିବନ୍ଧ କରିଥିଲେ। ସେହି ବନ୍ଧ ଉପର ଦେଇ ପାଣି ପ୍ରବାହିତ ହୋଇଛି। ଭବିଷ୍ୟତରେ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମଥୁରାପଡା, କଣ୍ଟାପଡା ସମେତ ତିନୋଟି ସ୍ଥାନରେ ନୂଆ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯିବାକୁ ଯୋଜନା ହୋଇଛି।
ହୀରାକୁଦ ଉପରେ ସରକାରଙ୍କ ନଜର
ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଉପରେ ମଧ୍ୟ ସରକାରଙ୍କ ତୀକ୍ଷ୍ଣ ନଜର ରହିଥିବା କହିଛନ୍ତି ଜଳସମ୍ପଦ ଅଧିକାରୀ । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୦୬.୧୨ ଫୁଟ ରହିଛି, ଯାହାକି ଗତବର୍ଷର ଜଳସ୍ତର ୬୦୯ ଫୁଟ ତୁଳନାରେ କମ୍। ବର୍ତ୍ତମାନ ପ୍ରାୟ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ହୀରାକୁଦକୁ ପ୍ରବେଶ କରୁଥିବା ବେଳେ ଆସନ୍ତାକାଲି ସୁଦ୍ଧା ଏହା ପ୍ରାୟ ଅଢ଼େଇ ଲକ୍ଷ କ୍ୟୁସେକରେ ପହଞ୍ଚିପାରେ। ଉପରମୁଣ୍ଡରେ ବର୍ଷା ଏବଂ ଛତିଶଗଡ଼ର କଲମା ବ୍ୟାରେଜର ଗେଟ୍ ଖୋଲାଯିବା ପରେ ଜଳପ୍ରବାହ ଆହୁରି ବଢ଼ିବାର ସମ୍ଭାବନା ରହିଛି।
ଜୁଲାଇ ୯ ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର ୬୦୯ ଫୁଟ ଛୁଇଁଲେ କେତୋଟି ଗେଟ୍ ଖୋଲାଯିବ ସେନେଇ ଆସନ୍ତାକାଲି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ମୁଣ୍ଡୁଳିରେ ଜଳପ୍ରବାହ ପର୍ଯ୍ୟାୟକ୍ରମେ ବଢ଼ି ପ୍ରାୟ ସାଢ଼େ ୪ ଲକ୍ଷ କ୍ୟୁସେକରେ ପହଞ୍ଚି ସ୍ଥିର ରହିବ ବୋଲି ଆକଳନ କରାଯାଇଛି। ପ୍ରଥମେ ବର୍ଷାଜଳ ନରାଜ ଦେଇ ନିଷ୍କାସନ କରାଯିବ ତା’ପରେ ହୀରାକୁଦରୁ ଜଳ ଛଡ଼ାଯିବ। ତେଣୁ ତଳମୁଣ୍ଡର ଜିଲ୍ଲାଗୁଡ଼ିକରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ଆଶ୍ୱସ୍ତ କରିଛି।
ଏହା ମଧ୍ୟ ପଢନ୍ତୁ Rain Alert: ଓଡ଼ିଶାରେ ଆଜି ବି ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା IMD
ଏହା ମଧ୍ୟ ପଢନ୍ତୁ ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର: ବେନ୍ଦେର ନଦୀରେ ଭାସିଗଲେ ଗୋରୁ, ଅଧିକାଂଶ ଅଞ୍ଚଳ ଜଳବନ୍ଦୀ
ଇଟିଭି ଭାରତ, ଭୁବନେଶ୍ବର

