ETV Bharat / state

ହାତରେ ନାହିଁ ହସ୍ତରେଖା; ଆଧାର ପାଇଁ ବାଧକ ସାଜିଛି ଚର୍ମ ରୋଗ, ସରକାରୀ ସୁବିଧାରୁ ବଞ୍ଚିତ ସମୀର

ବଂଶାନୁକ୍ରମିକ ଚର୍ମ ରୋଗରେ ପୀଡ଼ିତ ଥିବା ସମ୍ବଲପୁରର ସମୀର ଖାଁଙ୍କ ହାତରେ ନାହିଁ ଫିଙ୍ଗର ପ୍ରିଣ୍ଟ୍ । ଆଧାର କାର୍ଡରୁ ବଞ୍ଚିତ ସେ ଓ ତାଙ୍କ ପୁଅ । ରିପୋର୍ଟ- ବାଦଶାହ ଜୁସ୍ମନ ରଣା

No Fingerprints No Aadhaar
ହାତରେ ନାହିଁ ହସ୍ତରେଖା; ଆଧାର ପାଇଁ ବାଧକ ସାଜିଛି ଚର୍ମ ରୋଗ, ସରକାରୀ ସୁବିଧାରୁ ବଞ୍ଚିତ ସମୀରଙ୍କ ପରିବାର (ETV Bharat Odisha)
author img

By ETV Bharat Odisha Team

Published : September 2, 2026 at 5:00 PM IST

3 Min Read
Choose ETV Bharat

ସମ୍ବଲପୁର: ହାତରେ ନାହିଁ ହସ୍ତରେଖା । ଆଧାର କାର୍ଡ ତିଆରିରେ ରୋଗ ସାଜିଛି ବାଧକ । ହିଁ ଆଜ୍ଞା ! କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ଆଧାର କାର୍ଡ ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏକ ଗରିବ ଶ୍ରେଣୀର ପରିବାର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁରରୁ । ବଂଶନୁକ୍ରମିକ ଚର୍ମ ରୋଗ ପାଇଁ ସାକ୍ଷୀପଡ଼ା ଇଦଗାହା ଠାରେ ରହୁଥିବା ସମୀର ଖାଁ ଆଧାର କାର୍ଡରୁ ବଞ୍ଚିତ ରହିଛନ୍ତି । ଫଳରେ ତାଙ୍କ ପରିବାର ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି ।

ହାତରେ ନାହିଁ ହସ୍ତରେଖା; ଆଧାର ପାଇଁ ବାଧକ ସାଜିଛି ଚର୍ମ ରୋଗ, ସରକାରୀ ସୁବିଧାରୁ ବଞ୍ଚିତ ସମୀରଙ୍କ ପରିବାର (ETV Bharat Odisha)

ହାତ ଅଛି ହେଲେ ଫିଙ୍ଗର ପ୍ରିଣ୍ଟ୍ ନାହିଁ :

ସମୀର ଖାଁଙ୍କ ବୟସ 40 ବର୍ଷ । ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ ଏବଂ ଗୋଟିଏ ଝିଅ । ସେ ବହୁତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ଜମିରେ ଏକ ଟିଣ ଛପର ଘର କରି ରହୁଛନ୍ତି । ପେଷାରେ ସମୀର ହେଉଛନ୍ତି ଜଣେ ଶ୍ରମିକ । ରାସ୍ତା ନିର୍ମାଣ ସମୟରେ ସେ ପିଚୁ ଢାଳିବାର କାମ କରନ୍ତି । ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଲା ମୂଳରୁ ତାଙ୍କ ପାଖରେ ଆଧାର କାର୍ଡ ନାହିଁ । ତେବେ ଏମିତି ନୁହେଁ ଯେ ସେ କେବେ ଆଧାର କାର୍ଡ ତିଆରି କରିବାକୁ ଚେଷ୍ଟା କରି ନାହାଁନ୍ତି ।

No Fingerprints No Aadhaar
ଆଧାର କାର୍ଡ ପାଇଁ ବଂଶନୁକ୍ରମିକ ଚର୍ମ ରୋଗ ସାଜିଛି ବାଧକ (ETV Bharat Odisha)

ସେ ଯେତେବେଳେ ଆଧାର କାର୍ଡ ତିଆରି କରିବାକୁ ଯାଇଛନ୍ତି, ସେଠାରେ ହାତର ଟିପ ଚିହ୍ନ ବା ବାୟୋମେଟ୍ରିକ୍ସ ଦେବାକୁ ପଡ଼ିଥାଏ । ଆଉ ବିଡ଼ମ୍ବନାର ବିଷୟ ଯେ, ସମୀରଙ୍କ ହାତରେ କୌଣସି ଚିହ୍ନ ବା ହସ୍ତରେଖା ନାହିଁ । ଯାହା ଦ୍ୱାରା ସେ କୌଣସି ବାୟୋ ମେଟ୍ରିକ୍ସ ବା ଫିଙ୍ଗର ପ୍ରିଣ୍ଟ୍ ଦେଇପାରନ୍ତି ନାହିଁ । ଫଳରେ କୌଣସି ସ୍ଥାନରେ ତାଙ୍କର ଆଧାର କାର୍ଡ ହୋଇ ପାରୁନାହିଁ । ତାଙ୍କ ହାତରେ ଏକ ବଂଶାନୁକ୍ରମିକ ଚର୍ମ ରୋଗ ହୋଇଥିବା ଯୋଗୁଁ ହାତରେ ଥିବା ସବୁ ଚିହ୍ନ ଉଭେଇ ଯାଇଛି । ଫଳରେ ସେ ଏଭଳି ସମସ୍ୟା ଦୀର୍ଘ ବର୍ଷ ହେଲା ଭୋଗି ଆସୁଛନ୍ତି ।

No Fingerprints No Aadhaar
ହାତରେ ନାହିଁ ହସ୍ତରେଖା; ଆଧାର ପାଇଁ ବାଧକ ସାଜିଛି ଚର୍ମ ରୋଗ, ସରକାରୀ ସୁବିଧାରୁ ବଞ୍ଚିତ ସମୀରଙ୍କ ପରିବାର (ETV Bharat Odisha)

ବାପା-ପୁଅଙ୍କ ନାହିଁ ଆଧାର କାର୍ଡ:

ଆଧାର କାର୍ଡ ନଥିବାରୁ ତାଙ୍କୁ କୌଣସି ସରକାରୀ ଯୋଜନାର ଲାଭ ମିଳୁନାହିଁ । ତାଙ୍କର ସ୍ତ୍ରୀଙ୍କ ଆଧାର କାର୍ଡ ଥିଲେ ମଧ୍ୟ ସମୀରଙ୍କ ଆଧାର କାର୍ଡ ନଥିବାରୁ ତାଙ୍କୁ ମଧ୍ୟ କୌଣସି ସରକାରୀ ଯୋଜନାର ଲାଭ ମିଳୁନଥିବା ସମୀର କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ତାଙ୍କର ଗୋଟିଏ 10 ବର୍ଷର ପୁଅ ମୁଜାହିଦ ଖାଁ ମଧ୍ୟ ସେହି ସମାନ ଚର୍ମ ରୋଗରେ ପୀଡ଼ିତ । ତେଣୁ ତାଙ୍କର ମଧ୍ୟ ଆଧାର କାର୍ଡ ତିଆରି ହୋଇପାରୁନାହିଁ ।

No Fingerprints No Aadhaar
ଆଧାର କାର୍ଡ ପାଇଁ ବଂଶନୁକ୍ରମିକ ଚର୍ମ ରୋଗ ସାଜିଛି ବାଧକ (ETV Bharat Odisha)


ଏହି ସମସ୍ୟାକୁ ନେଇ ସମୀର ଖାଁ କହିଛନ୍ତି,"ମୋର ଆଧାର କାର୍ଡ ନଥିବାରୁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି । ମୋର ହାତ ପାପୁଲିରେ ଏକ ଚର୍ମ ରୋଗ ଥିବାରୁ ପାପୁଲିର ଚର୍ମ ଫାଟି ଫାଟି ଯାଇଛି । ଆଉ ଆଧାର କାର୍ଡ ତିଆରି କରିବାକୁ ଗଲେ ସେଠାରେ ଫିଙ୍ଗର୍ ପ୍ରିଣ୍ଟ୍ ଆବଶ୍ୟକ ପଡୁଛି । ତେଣୁ ସେମାନେ ମୋର ଆଧାର କାର୍ଡ ତିଆରି ହୋଇ ପାରିବନି ବୋଲି କହୁଛନ୍ତି । ଏଥିପାଇଁ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଓ ପୋଷ୍ଟ ଅଫିସ୍ ସହ ବହୁ ସ୍ଥାନକୁ ଯାଇଛି,କିନ୍ତୁ ସବୁଠାରୁ ନିରାଶ ହୋଇ ଫେରିଛି । ଶେଷରେ କୌଣସି ଉପାୟ ନ ପାଇ ଅସହାୟ ହୋଇପଡ଼ିଛି । ମୁଁ ଓ ମୋର ପରିବାର କୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରୁନାହାଁନ୍ତି ।"

Doctor Tanmay Padhi
ଡାକ୍ତର ତନ୍ମୟ ପାଢ଼ୀ (ETV Bharat Odisha)

ସମୀରଙ୍କ ଏହି ରୋଗକୁ ନେଇ କ'ଣ କହିଛନ୍ତି ବିଶେଷଜ୍ଞ ?


ସମ୍ବଲପୁରର ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ତନ୍ମୟ ପାଢ଼ୀ କହିଛନ୍ତି,"ଏଭଳି ରୋଗୀ ଆମ ପାଖକୁ ଆସନ୍ତି । ସେମାନେ ବିଭିନ୍ନ ଆଧାର ସେଣ୍ଟରକୁ ଯାଇ ନିରାଶ ହୋଇ ଫେରିକି ଆମ ପାଖକୁ ଆସନ୍ତି । ଏହି ରୋଗକୁ 'Palmoplantar Keratoderma" ବୋଲି କୁହାଯାଏ । ଏହି ରୋଗ ହେଲେ ହାତ ଓ ପାଦର ଚର୍ମ ଅତ୍ୟଧିକ ମୋଟା ହୋଇଯାଏ । ତେବେ ଏହି ରୋଗ ଶରୀର ପ୍ରତି ଏତେ ହାନୀକାରକ ଭଳି ଲାଗୁନାହିଁ । ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏହି ରୋଗ ଥିବାରୁ ଆମେ ବଂଶାନୁକ୍ରମିକ ରୋଗ ବୋଲି କହିପାରିବା । ଏହା ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଭଳିଆ ଚିକିତ୍ସା ନାହିଁ । କାରଣ ଏହା ଜିନର ମ୍ୟୁଟେସନ୍ ଯୋଗୁଁ ହୋଇଥାଏ । ମୁଖ୍ୟତଃ ଦେହରେ ଥିବା କିଛି ପ୍ରୋଟିନ୍ ଯେମିତି କି କେରାଟିନ୍, କ୍ଲୋରୀକ୍ଲିନରେ କିଛି ପରିବର୍ତ୍ତନ ଆସିବାରୁ ଏହା ହୋଇଥାଏ ।"

ଏହି ରୋଗ ଭଲ ହୋଇପାରିବ କି ?

"ଏହି ପରିବର୍ତ୍ତନ ଜିନ୍ ସ୍ତରରେ ହୋଇଥାଏ, ତେଣୁ ବାହାରୁ ଔଷଧ ଦେଇ ତାକୁ ସାମୟିକ ଆଶ୍ୱସ୍ତି ଦେଇ ପାରିବା କିନ୍ତୁ ସମ୍ପୂର୍ଣ୍ଣ ଭଲ କରି ହେବ ନାହିଁ । ମୁଖ୍ୟତଃ କିଛି ମଲମ ବା ଔଷଧ ଦ୍ୱାରା ଏଭଳି ରୋଗୀଙ୍କୁ ସ୍ୱଳ୍ପକାଳୀନ ଆଶ୍ୱସ୍ତି ହିଁ ଦେଇ ହେବ । ସେ ଆଧାର କାର୍ଡ ତିଆରି କରି ପାରୁନାହାନ୍ତି ଓ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି, ତେଣୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଟିକେ ସହାନୁଭୂତିଶୀଳ ହୁଅନ୍ତୁ । କାରଣ ଏହା ଏକ ଅନୁବଂଶୀକ ରୋଗ ଅଟେ" ବୋଲି ଡାକ୍ତର ତନ୍ମୟ ପାଢ଼ୀ କହିଛନ୍ତି

ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଜିଲ୍ଲାପାଳ:

ସେପଟେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି,"ଗଣମାଧ୍ୟମରୁ ଏହି ସୂଚନା ପାଇଛି । ଆମେ ଆଧାର କାର୍ଡ ସମ୍ପର୍କିତ ନୋଡାଲ୍ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛୁ ଯେ, ଏହି ଘଟଣାର ତଦନ୍ତ କରି ଉକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ।"

ରୋଗ ପାଇଁ ପୂରା ପରିବାର ସରକାରୀ ସୁବିଧାରୁ ବଞ୍ଚିତ । ଆଶା ଜିଲ୍ଲାପାଳ ତାଙ୍କ ଦୁଃଖ ବୁଝି ଆଧାରକାର୍ଡ କରିଦେଲେ ଉପକୃତ ହେବେ ପରିବାର ।

ଏହା ମଧ୍ୟ ପଢନ୍ତୁ:

ପେଶା ଶ୍ରମିକ, ନିଶା ଚିତ୍ରକଳା ଓ ସଙ୍ଗୀତ, କୋରାପୁଟର ନିଆରା ପ୍ରତିଭା ଭୂଷଣଙ୍କ ପାଇଁ ଅର୍ଥ ସାଜିଛି ବାଧକ

19 ବର୍ଷର ନିଆରା ସମ୍ପର୍କର ଅନ୍ତ, ପରଲୋକରେ ପୋଷା ଛେଳି 'କୁଆଁର' , ଚାରିକାନ୍ଧ ଦେଲେ ପରିବାର ଓ ପଡ଼ୋଶୀ

ଶ୍ରୁତିବାଧିତ ସ୍କୁଲ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: କଥା କୁହେ ହାତ, ନୀରବତାରେ ଗଢୁଛନ୍ତି ଗଜାନନ

ଇଟିଭି ଭାରତ, ସମ୍ବଲପୁର