ନିଆରା ହୋଲି: ରଙ୍ଗ ନୁହେଁ ଫୁଲରେ ହୁଏ ପାଳନ
କଟକର ରେକି ମିଶନରେ ଫୁଲରେ ପାଳନ ହୁଏ ହୋଲି । ପରସ୍ପରକୁ ଫୁଲ ଦେଇ ପାଳନ କରନ୍ତି ହୋଲି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ ।

Published : March 4, 2026 at 7:01 PM IST
ରିପୋର୍ଟ: ନାରାୟଣ ସାହୁ
Holi 2026 କଟକ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ଫଗୁ ଲଗାଇ ଏହି ପର୍ବକୁ ପାଳନ କରିବାର ପରମ୍ପରା ରହିଛି । ଏହି ଅବସରରେ ହୋଲି ପର୍ବକୁ ଚାରିଆଡେ ବେଶ ଧୂମଧାମରେ ପାଳନ କରାଯାଇଛି । ଏହି ଦିନ ପ୍ରାୟ ଅନେକ ଲୋକ ରାସାୟନିକ ରଙ୍ଗ ବ୍ୟବହାର କରୁଛନ୍ତି । ଯଦିଓ ଏହା ଆମର ପରମ୍ପରା ନୁହେଁ ମାତ୍ର ରସାୟନିକ ରଙ୍ଗ ବ୍ୟବହାର ପାଇଁ ଯୁବପିଢି ମାନେ ବେଶ ଆଗ୍ରହ କରନ୍ତି । କଟକର ରେକି ମିଶନରେ ରଙ୍ଗ ନୁହେଁ ବରଂ ଫୁଲରେ ହୋଲି ପର୍ବ ପାଳନ କରାଯାଇଛି । ପରସ୍ପରକୁ ଫୁଲ ଦେଇ ହୋଲି ପାଳନ କରିଛନ୍ତି । ଏହି ପରମ୍ପରା ଏବେକାର ନୁହେଁ ବରଂ ଦୀର୍ଘ ବର୍ଷର ।
କଟକର ରେକି ମିଶନରେ ଆଜକୁ ପ୍ରାୟ 26 ବର୍ଷ ହେବ ରଙ୍ଗ ନୁହେଁ ବରଂ ଫୁଲରେ ହୋଲି ପର୍ବ ପାଳନ କରାଯାଉଛି । ରେକି ମିଶନର ପ୍ରତିଷ୍ଠାତାଙ୍କ ଶ୍ରୀ ସନ୍ଥ କହିବା ମୁତାବକ, ‘କିଛି ନୂଆ କରି ଦେଖାଇବାର ଚିନ୍ତାଧାରା ନୁହେଁ ବରଂ ସମାଜକୁ ଏକ ବାର୍ତ୍ତା ଦେବାକୁ ଏହାର ମୂଳ ଉଦ୍ଦେଶ୍ୟ । ଯେଉଁ ରଙ୍ଗ ପ୍ରକୃତି ଦେଇଛି ତାହାକୁ ମାଧ୍ୟମ କରି ଏଠାରେ ହୋଲି ଖେଳାଯାଏ । ଏହାର ମହତ୍ତ୍ୱ ହେଉଛି ମଣିଷ ମଧ୍ୟରେ ଅନ୍ତରଙ୍ଗ ଭାବ ସୃଷ୍ଟି କରିବା ।ଅନ୍ତର ଭିତରେ ଥିବା ରଙ୍ଗର ଆଦାନ ପ୍ରଦାନ ପାଇଁ ଏହି ଫୁଲ ମାଧ୍ୟମରେ ହୋଲି ପାଳନ କରାଯାଏ । ଯିଏ ଯାହାକୁ ସମ୍ମାନ ଦିଏ, ଅର୍ଥାତ ଯିଏ ଯାହାକୁ ଭଲ ପାଏ ଏହି ଫୁଲ ଆଦାନ ପ୍ରଦାନ କରିବା ଦ୍ୱାରା ଭିତର ରଙ୍ଗକୁ ଆଦାନ ପ୍ରଦାନ କରିଥାଉ । ସେହି ଭାବ ବିନିମୟକୁ ଭିତ୍ତି କରି ହୋଲି ପର୍ବ ପାଳନ କରିବା ହେଉଛି ଏକମାତ୍ର ଉଦ୍ଦେଶ୍ୟ । ଏହି କ୍ରମରେ ଏଠାରେ ନିଆରା ଢଙ୍ଗରେ ଫୁଲ ମାଧ୍ୟମରେ ହୋଲି ପର୍ବ ପାଳନ କରାଯାଏ ।’

ଫଗୁଣ ମାସରେ ପଳାସ ଫୁଲ ଅଧିକ ଦେଖିବାକୁ ମିଳିଥାଏ । ସେଥିପାଇଁ ହୋଲି ପାଳନ ସମୟରେ ପଳାସ ଫୁଲକୁ ମୁଖ୍ୟତଃ ବ୍ୟବହାର କରାଯାଇଥାଏ । ସେହିପରି ସ୍ଥାନୀୟ ଫୁଲ ଗୁଡିକ ମଧ୍ୟ ଏହି ପର୍ବ ପାଳନ କରିବାରେ ବ୍ୟବହାର କରାଯାଇଥାଏ ।

ହୋଲି ସହ ଲଉଡି ଖେଳ:
ଏଠାରେ କେବଳ ଫୁଲ ଦ୍ୱାରା ହୋଲି ପାଳନ କରାଯାଏ ତାହା ନୁହେଁ ବରଂ ଉତ୍କଳୀୟ ପରମ୍ପରାକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ ।ପାରମ୍ପାରିକ ଲଉଡ଼ି ଖେଳ ମଧ୍ୟ କରାଯାଏ । ବିଭିନ୍ନ ଲଉଡ଼ି ଦଳକୁ ନିୟନ୍ତ୍ରଣ କରାଯାଇ ଏହିଠାରେ ଖେଳା ଯାଇଥାଏ । କେତେବେଳେ ଦାସକାଠିଆ, କେତେବେଳେ କେନ୍ଦରା ଆଉ କେତେବେଳେ ପାଲା ଆୟୋଜନ କରି ଏହି ପର୍ବ ପାଳନ କରାଯାଇଥାଏ । ବଡ଼ କଥା ହେଉଛି ପରମ୍ପରାକୁ ବଜାୟ ରଖି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

‘ହୋଲି ସମୟରେ କେମିକାଲ ରଙ୍ଗ ବ୍ୟବହାର ଏବେ ସାଧାରଣ ହୋଇଗଲାଣି । ଫଳରେ ଏହା ଦ୍ୱାରା କେତେବେକେ ଆଖି ଖରାପ ହେଉଛି ତ କେତେବେକେ ଚର୍ମରୋଗ ଦେଖା ଯାଉଛି । ତେବେ ଫୁଲରେ ହୋଲି ଖେଳିଲେ ବହୁ ଆନନ୍ଦ ଲାଗିଥାଏ । ଏହାଦ୍ୱାରା ହୋଲି ପର୍ବର ଉଦ୍ଦେଶ୍ୟ ପୂରଣ ହୋଇଥାଏ’ ବୋଲି କଟକ ବାସିନ୍ଦା କହିଛନ୍ତି ।
ଇଟିଭି ଭାରତ, କଟକ

