ଏନଆଇଟି ହେବ ଓଡ଼ିଶା ଏବଂ ଭାରତର ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ
୩୫ କୋଟି ଟଙ୍କାର ନବନିର୍ମିତ ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କରିବା ସହ ପ୍ରାୟ ୧୮୦ କୋଟି ଟଙ୍କାର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଭବନ, ଛାତ୍ରୀନିବାସ ଓ ଅତିଥି ଭବନ ଶିଳାନ୍ୟାସ କରିଛନ୍ତି ଧର୍ମେନ୍ଦ୍ର।

Published : December 28, 2025 at 4:19 PM IST
|Updated : December 28, 2025 at 5:04 PM IST
ଭୁବନେଶ୍ବର/ରାଉରକେଲା/ଅନୁଗୋଳ: ଏନଆଇଟିରେ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୃଷ୍ଟିରେ ରଖି ଏନଆଇଟି ହେବ ଓଡ଼ିଶା ଏବଂ ଭାରତର ‘ଅଭିବୃଦ୍ଧିର ଇଞ୍ଜିନ’ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରତିଷ୍ଠିତ 'କୋରାଟିଆ ଟେକ୍ନୋଲୋଜି ଭାରତୀୟ ନୌସେନାକୁ ଅଣ୍ଡର-ୱାଟର ରୋବୋଟିକ୍ସ ଯୋଗାଇବା ପାଇଁ କାର୍ଯ୍ୟାଦେଶ ପାଇବା ଗର୍ବର ବିଷୟ ବୋଲି ମଧ୍ୟ କହିଥିଲେ । ୩୫ କୋଟି ଟଙ୍କାର ନବନିର୍ମିତ ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କରିବା ସହ ପ୍ରାୟ ୧୮୦ କୋଟି ଟଙ୍କାର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଭବନ, ଛାତ୍ରୀନିବାସ ଓ ଅତିଥି ଭବନ ପାଇଁ ଶିଳାନ୍ୟାସ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ରାଉରକେଲା ଏନଆଇଟି ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀମାନେ ନିଜସ୍ବ ଷ୍ଟାର୍ଟଅପ୍ ମାଧ୍ଯମରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାର ସାମର୍ଥ୍ୟ ରଖୁଛନ୍ତି । ଆଗାମୀ ଦିନରେ ସମାଜର ଜଟିଳ ସମସ୍ୟା ଯଥା- ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଗବେଷଣା ନୂଆ ଦିଗ ଦେଖାଇବ । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଏନଆଇଟିର ମିଳିତ ସହଯୋଗରେ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ଯମ ହୋଇପାରିବ ।"
୩୫ କୋଟି ଟଙ୍କାର ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ଉଦଘାଟନ:

ଶନିବାର ଏନଆଇଟି କ୍ୟାମ୍ପସ ପରିସରରେ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରାଯାଇଥିଲା । ଏହି ପରିସରରେ ବ୍ୟାଡମିଣ୍ଟନ କୋର୍ଟ ବିଶିଷ୍ଟ ବହମୁଖୀ ସଭାଗୃହ, ଓପନ ଏୟାର ଏଟର ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ସେହିପରି ୯୧.୧୮ କୋଟି ଟଙ୍କା ବ୍ୟୟରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ନୂତନ ଭବନ, ୫୫.୩୫ କୋଟି ଟଙ୍କା ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ, ୩୩.୫୧ କୋଟି ଟଙ୍କା ବ୍ୟୟରେ ଅତିଥ୍ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ ।

'ଓଡ଼ିଶା ତଥା ଦେଶର ଶିଳ୍ପ ଏବଂ ଶିକ୍ଷାର ଏକ ପ୍ରମୁଖ ସ୍ତମ୍ଭ ରାଉରକେଲା'

ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର ହେବ ଏନଆଇଟି ରାଉରକେଲା:

ଏହି ଶିକ୍ଷାନୁଷ୍ଠାନର ଆଲୁମିନି ଜୀବନ୍ତ ଏବଂ ଏନଆଇଟି ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାର ଗ୍ରୋଥ୍ ଇଞ୍ଜିନ । ଏହି ଶିକ୍ଷାନୁଷ୍ଠାନରେ ଏଆଇ ଓ ରୋବୋଟିକ୍ସ ଭଳି ଆଧୁନିକ ବିଷୟ ଯୋଡାଯାଇଛି । ଆଗାମୀ ଦିନରେ ଦେଶରେ ଏକ ପ୍ରମୁଖ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର ଏନଆଇଟି ରାଉରକେଲା ହେବ ବୋଲି ଆଶା । ଅପରପକ୍ଷରେ ରାଉରକେଲା ଇସ୍ପାତ୍ କାରଖାନାରେ ପ୍ରାୟ ୫ ମିଲିୟନ ଟନ ଷ୍ଟିଲ୍ ଉତ୍ପାଦନ କରାଯାଉଛି । ଏହାକୁ ୨୦୩୦ ସୁଦ୍ଧା ୯.୮ ମିଲିୟନ ଟନକୁ ବଢାଇ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ବାରା ପାଖାପାଖ ୩୫ ରୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ, ଯଦ୍ବାରା ରୋଜଗାରର ଅବସର ବଢିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୩୬ ମସିହାରେ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ଓଡ଼ିଶା ଯେତେବେଳେ ୨୦୩୬ରେ ଶହେ ବର୍ଷ ପୂରଣ କରିବ, ଭାରତ ଯେତେବେଳେ ୨୦୪୭ରେ ନିଜର ସ୍ବାଧୀନତାର ଶହେ ବର୍ଷ ପାଳନ କରିବ, ସେତେବେଳେ ଏନଆଇଟି ରାଉରକେଲା ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଭୂମିକା ନିର୍ଣ୍ଣାୟକ ହେବ। ଏହା ସହିତ ଏନଆଇଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ବ୍ୟାଡମିଣ୍ଟନ ଖେଳିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତର୍ତ୍ତି, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଅନୁଗୋଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ:
ଆଜି ସକାଳେ ଅନୁଗୋଳ ସହରରେ ଆୟୋଜିତ ସ୍ଵଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୧୧ବର୍ଷ ହେଲା ସ୍ଵଚ୍ଛ ଭାରତ ଅଭିଯାନ ନାମରେ ଏକ ବିରାଟ ଜନ ଆନ୍ଦୋଳନ ଗଢି ତୋଳିଛନ୍ତି। ଯାହାକୁ ଭିତ୍ତି କରି ଆଜି ଅନୁଗୋଳରେ ସାମୁହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଗଲା ବୋଲି କହିଛନ୍ତି ଧର୍ମେନ୍ଦ୍ର । ସ୍ବଚ୍ଛ ରଖିବା କେବଳ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦାୟିତ୍ୱ ନୁହେଁ। ନାଗରିକ ମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ।
ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଅନୁଗୋଳର ଶେଷ ସ୍ୱାଧୀନ ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଭା ପରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୨୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଜଳାଶୟ ପୁନରୁଦ୍ଧାର, ରାସ୍ତା, ଅଲୋକୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଉଦଘାଟନ କହିଥିଲେ । ଏହାପରେ ଅନୁଗୋଳ ମୁନିସିପାଲଟି କାର୍ଯ୍ୟାଳୟ ଠାରୁ ଜିଲା ମୁଖ୍ୟ ଡାକ୍ତରଖାନା ପର୍ଯ୍ୟନ୍ତ ରାସ୍ତାକୁ ଝାଡୁ ମାରି ଅଳିଆ ସଫା କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଏମପି ରୁଦ୍ରନାରାୟନ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଲଲହାଡ଼ା ବିଧାୟକ ଅଶୋକ ମହାନ୍ତି, ମୁନିସପାଲଟି ଅଧ୍ୟକ୍ଷ ଅକ୍ଷୟ ସାମନ୍ତ, ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଅବଦୁଲ ଏମ ଅଖତାର ଏବଂ ଏସପି ରାହୁଲ ଜୈନଙ୍କ ସମେତ ବହୁ ପଦାଧିକାରୀ ଓ ସହରବାସୀ ଯୋଗ ଦେଇଥିଲେ।
ଏହା ମଧ୍ୟ ପଢନ୍ତୁ-ବୁର୍ଲାରେ ହେବ କ୍ଵାଣ୍ଟମ ସେଣ୍ଟର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଇଟିଭି ଭାରତ, ଭୁବନେଶ୍ବର/ଅନୁଗୋଳ

