ଦୁର୍ଘଟଣା ରୋକିବ 'ସ୍ମାର୍ଟ ରୋଡସାଇଡ୍ ସିଷ୍ଟମ': NIT ରାଉରକେଲା ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଉଦ୍ଭାବନ
ଗ୍ରାମାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ରାସ୍ତାର ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ବିପଦ କାରଣ ହୋଇରହିଛି । ସେଠାରେ ଏହି ସିଷ୍ଟମଟି ରାସ୍ତା ସୁରକ୍ଷା ବୃଦ୍ଧି ପାଇଁ ଏକ ଦକ୍ଷ ଉପାୟ ପ୍ରଦାନ କରିପାରେ ।


Published : February 27, 2026 at 11:36 PM IST
ଭୁବନେଶ୍ୱର: ଏଣିକି ଦୁର୍ଘଟଣା ରୋକିବ ସ୍ମାର୍ଟ ରୋଡସାଇଡ ସିଷ୍ଟମ । ଯାହା ବ୍ଲାଇଣ୍ଡ୍ କର୍ଣ୍ଣରରେ ଗାଡିକୁ 'ଡିଟେକ୍ଟ' କରିବା ସହ ଡ୍ରାଇଭରମାନଙ୍କୁ ନିଜ ଆଖିରେ ଦେଖିବା ପୂର୍ବରୁ ଆସୁଥିବା ଟ୍ରାଫିକ୍ ବିଷୟରେ ସତର୍କ କରିବ । ଏନଆଇଟି ରାଉରକେଲାର ଇଂଜିନିୟରିଂ ଛାତ୍ର ଛାତ୍ରୀମାନେ ଏହି ସ୍ପେଶାଲ୍ ସିଷ୍ଟମ ଉଦ୍ଭାବନ କରିଛନ୍ତି ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ୍ଆଇଟି ରାଉରକେଲା)ର ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ଏକ ଗବେଷଣା ଦଳ ଏକ ସ୍ମାର୍ଟ ରୋଡ୍ସାଇଡ୍ ସିଷ୍ଟମର ପ୍ରସ୍ତାବ ଦେଇଛନ୍ତି । ଯାହା ଗାଡ଼ିର ବ୍ଲାଇଣ୍ଡ୍ କର୍ଣ୍ଣରର ଦୃଶ୍ୟ "ଦେଖିପାରିବ" ଏବଂ ଡ୍ରାଇଭରମାନଙ୍କୁ ନିଜ ଆଖିରେ ଦେଖିବା ପୂର୍ବରୁ ଆସୁଥିବା ଟ୍ରାଫିକ୍ ବିଷୟରେ ସତର୍କ ମଧ୍ୟ କରିପାରିବ । ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ଓ ରୋଡ୍ସାଇଡ୍ ୟୁନିଟ୍ ଏବଂ ଛୋଟ ଅନ୍-ସାଇଟ୍ ପ୍ରୋସେସର୍ ସହିତ ସମନ୍ୱିତ ଏଡ୍ଜ୍ କମ୍ପ୍ୟୁଟିଂ ଟେକ୍ନୋଲୋଜି ବ୍ୟବହାର କରି ଫ୍ରେମୱାର୍କକୁ ରିଅଲ୍ ଟାଇମ୍ରେ ଆସୁଥିବା ଯାନବାହାନ ଗୁଡ଼ିକୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହିତ ତୀକ୍ଷ୍ଣ ମୋଡ଼ ( Sharp Turns) ନିକଟରେ ସ୍ଥାପନ କରାଯାଇପାରିବା ସହିତ ଛକ ପାଖକୁ ଆସୁଥିବା ଡ୍ରାଇଭରମାନଙ୍କୁ ଅଡ଼ିଓ ଓ ଭିଜୁଆଲ୍ ଆଲର୍ଟ ପଠାଇପାରିବ ।

ପ୍ରତିଷ୍ଠାନରେ ଚାଲୁଥିବା ଏକ ଗବେଷଣାରେ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, "ଏହା ଦେଖି ଖୁସି ଲାଗୁଛି ଯେ ଆମର ବି.ଟେକ୍ ଛାତ୍ରଛାତ୍ରୀମାନେ ଏବେ ସକ୍ରିୟ ଭାବରେ ପ୍ରସିଦ୍ଧ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶନ କରୁଛନ୍ତି । ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନରେ ମଧ୍ୟ ଯୋଗଦାନ ଦେଉଛନ୍ତି । ଏନେଇ ପ୍ରଫେସର ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନିଷ୍ଠା ଓ ପ୍ରଭାବଶାଳୀ କାର୍ଯ୍ୟ ମାଧ୍ୟମରେ ଗବେଷଣାର ମାନଦଣ୍ଡ ବୃଦ୍ଧି କରିବା ପାଇଁ ଅଭିନନ୍ଦନ ଜଣାଉଛି ।"
ଅଧ୍ୟୟନ କରାଯାଇଥିବା ପ୍ରଯୁକ୍ତିର ରିଅଲ୍-ୱାଲ୍ଡ୍ ପ୍ରୟୋଗ ବିଷୟରେ ଏନ୍ଆଇଟି ରାଉରକେଲାର ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ସନ୍ତୋଷ କୁମାର ଦାସ କହିଛନ୍ତି, "ଏକ ରିଅଲ୍-ୱାଲ୍ଡ୍ ପରୀକ୍ଷଣରେ, ପ୍ରସ୍ତାବିତ "ଆଇଓଟି-ଏଡ୍ଜ୍ ପାରେଡାଇମ୍-ଏନ୍ବଲ୍ଡ୍ ଭିଜନ୍-ବେସ୍ଡ୍ ଡ୍ରାଇଭିଂ ଆସିଷ୍ଟାନ୍ସ" ସିଷ୍ଟମ ବ୍ଲାଇଣ୍ଡ୍ ଜୋନ୍ରେ ଯାନବାହାନକୁ ସଫଳତାର ସହ ଚିହ୍ନଟ କରିଛି । ସେଗୁଡ଼ିକର ଗତି ଓ ଦୂରତାକୁ ସଠିକ୍ ଭାବରେ ଆକଳନ କରିଛି ।"
ଏହି ସିଷ୍ଟମଟି ରାସ୍ତା ସୁରକ୍ଷା ବୃଦ୍ଧି ପାଇଁ ଏକ ଦକ୍ଷ ଉପାୟ ପ୍ରଦାନ କରିପାରେ । ବିଶେଷକରି ଗ୍ରାମାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ଯେଉଁଠାରେ ରାସ୍ତାର ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ବିପଦ କାରଣ ହୋଇ ରହିଛି । ଏହି ସେଟ୍ଅପ୍ରେ, ରାସ୍ତାକଡ଼ ଭିତ୍ତିଭୂମିରେ ବୁଦ୍ଧିମତ୍ତାର ସହ ନିର୍ମାଣ କରାଯାଇଛି । ତେଣୁ ଜଟିଳ ଯାନବାହାନ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ । ଏହି କାର୍ଯ୍ୟ ସ୍ମାର୍ଟ ସହର ଓ ସଂଯୁକ୍ତ ଗତିଶୀଳତା ପ୍ରଣାଳୀର ଡିଜାଇନକୁ ମଧ୍ୟ ସମର୍ଥନ କରେ । ଯେଉଁଠାରେ "ଏକ ସ୍ୱଳ୍ପ ମୂଲ୍ୟର ଆଇଏମ୍ୟୁ/ ଜିପିଏସ୍ ସେନ୍ସର- ଆଧାରିତ ରିଅଲ୍ -ଟାଇମ୍ ସିଷ୍ଟମ୍" ରାସ୍ତାରେ ଦୁର୍ଘଟଣା ଘଟିଲେ ପରିସ୍ଥିତିର ବିଶ୍ଳେଷଣ ଆଧାରରେ ପୋଲିସ୍, ଅଗ୍ନିଶମ ଅଧିକାରୀ , ନିକଟବର୍ତ୍ତୀ ହସ୍ପିଟାଲ ଓ ଆମ୍ବୁଲାନ୍ସ ସେବା ସମେତ ଫାର୍ଷ୍ଟ- ରେସ୍ପନ୍ସ ଟିମ୍ ଗୁଡ଼ିକୁ ସତର୍କ କରିବାରେ ସାହାଯ୍ୟ କରିବ । ତେବେ ଏହି ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ କରିବା ପାଇଁ, ଗବେଷଣା ଦଳ "ଟ୍ରାକ୍" ନାମକ ଏକ ସ୍ମାର୍ଟଫୋନ୍ ଆପ୍ଲିକେସନ୍ ମଧ୍ୟ ବିକଶିତ କରିଛନ୍ତି । ଯାହା ସ୍ୱୟଂଚାଳିତ ଭାବରେ ସଡ଼କ ଦୁର୍ଘଟଣା ପୀଡ଼ିତମାନଙ୍କୁ ସେମାନଙ୍କର ଜରୁରୀକାଳୀନ ଯୋଗାଯୋଗ, ପୋଲିସ କିମ୍ବା ଡାକ୍ତରୀ ପ୍ରତିକ୍ରିୟାକାରୀଙ୍କ ସହ ସଂଯୋଗ କରିବାରେ ସାହାଯ୍ୟ କରିପାରିବ ।
ଏହି ଗବେଷଣା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ୍ ଅଫ୍ କମ୍ପ୍ୟୁଟେସନାଲ୍ ଭିଜନ ଆଣ୍ଡ ରୋବୋଟିକ୍ସରେ ପ୍ରକାଶିତ ହୋଇଛି । ଏହି ପେପର୍ଟି କେ.ଏଲ୍. ସଞ୍ଜୀବ ଟୁଡୁ (ବିଟେକ୍ ଗ୍ରାଜୁଏଟ୍), ପ୍ରଫେସର ସନ୍ତୋଷ କୁମାର ଦାସ, ପ୍ରଫେସର ଉମେଶ ଚନ୍ଦ୍ର ପତି ଓ ପ୍ରଫେସର ପୁନମ ସିଂହଙ୍କ ସହିତ ଏନ୍ଆଇଟି ରାଉରକେଲାର ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ରିସର୍ଚ୍ଚ ଗ୍ରାଜୁଏଟ୍ ଡ଼ା. ଗୌତମ କୁମାର ସାହୁ ଓ ଡ଼ା. ରଶ୍ମିରଞ୍ଜନ ନାୟକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର

