ଆଗାମୀ ୪୮ ଘଣ୍ଟା ଛେଚିବ: ଭୀଷଣ ବର୍ଷା ନେଇ ରେଡ୍ ୱର୍ଣ୍ଣିଂ ଜାରି, ଆଲର୍ଟରେ ଉତ୍ତର ଓଡ଼ିଶା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୫ ଦିନ ଯାଏ ପ୍ରବଳ ବର୍ଷା ସହ ଭିଜିବ ସାରା ଓଡ଼ିଶା । ରିପୋର୍ଟ: ଦେବସ୍ମିତା ରାଉତ

Published : August 29, 2026 at 5:53 PM IST
Odisha Weather, ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୪୮ ଘଣ୍ଟା ଭୀଷଣ ବର୍ଷା ନେଇ ରେଡ୍ ୱର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୫ ଦିନ ଯାଏ ପ୍ରବଳ ବର୍ଷା ସହ ଭିଜିବ ସାରା ଓଡ଼ିଶା । ୩ ଦିନ ଯାଏ ପ୍ରବଳ ବର୍ଷିବା ସହ ବର୍ଷାରୁ ନିସ୍ତାର ନଥିବା ସତର୍କ କାରାଇଲା ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି ।
ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଥିବା ଉପର ବାୟୁ ଘୁର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହା ଆଗାମୀ ୪୮ ଘଣ୍ଟା ଯାଏଁ ଅଧିକ ଘନୀଭୂତ ହେବା ସହ ଉତ୍ତର ଓଡ଼ିଶା- ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟକୁ ଝଡ଼ବର୍ଷା ସମ୍ଭାବନା ସହ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟାରେ ଅତ୍ୟନ୍ତ ପ୍ରବଳ ବର୍ଷା ବା ଭୀଷଣ ଵର୍ଷାକୁ ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଏହି ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି କେନ୍ଦୁଝର, ଯାଜପୁର, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଏହି ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କନ୍ଧମାଳ, ବୌଦ୍ଧ ଓ ସୁବର୍ଣ୍ଣପୁର ପରି ୧୫ଟି ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କକରିଛି ପାଣିପାଗ ବିଭାଗ ।

ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ଝଟକା ପବନର ସମ୍ଭାବନା ବି ରହିଛି । ଅବଶିଷ୍ଟ ୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବାବେଳେ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଅତ୍ୟନ୍ତ ପ୍ରବଳ ବର୍ଷା ବା ଭୀଷଣ ବର୍ଷାକୁ ନେଇ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଏହି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼- ଏହି ୮ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି କେନ୍ଦ୍ରାପଡ଼ା, ଜଗତସିଂପୁର, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା, ନୟାଗଡ଼, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ନବରଙ୍ଗପୁର- ଏହି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ଝଟକା ପବନର ସମ୍ଭାବନା ବି ରହିଛି । ଅବଶିଷ୍ଟ ୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨ ତାରିଖ ଯାଏ ବର୍ଷାରୁ ନିସ୍ତାର ନଥିବା ବେଳେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଓଡ଼ିଶା ଉପକୂଳରେ ୪୦ରୁ ୫୦ ସର୍ବାଧିକ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିଵ । ତେଣୁ ଆଜିଠାରୁ ୩୧ ତାରିଖ ଯାଏ ମସ୍ଥ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଭୀଷଣ ବର୍ଷାକୁ ନେଇ ଆକସ୍ମିକ ବନ୍ୟା ସହ କୁତ୍ରିମ ବନ୍ୟା ଓ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ସହ ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ିକୁ ନେଇ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଵର୍ଷା ହୋଇଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ସହ ୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ସର୍ବାଧିକ ବର୍ଷା ମୟୂରଭଞ୍ଜ ବାଙ୍ଗିରିପୋଷୀ ରେ ୧୫୯ ମିମି ରେକର୍ଡ କରାଯାଇଛି । ସେପଟେ ଜୁନ ୧ରୁ ଏଯାବତ ୧୧୧୫.୯ ମିମି ବର୍ଷା ହୋଇଥିବା ବେଳେ ୮୯୬.୩ ଏହା ସ୍ୱାଭାବିକ ବର୍ଷାଠାରୁ ୨୫ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଥିବା ବେଳେ କେବଳ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ- ସୃଷ୍ଟି ହେଲା ଲଘୁଚାପ; ଆଜିଠୁ ଅତି ପ୍ରବଳ ବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଏହା ମଧ୍ୟ ପଢ଼ନ୍ତୁ- ୨୯ରେ ଆଉ ଏକ ଲଘୁଚାପ; ଭିଜିବ ସାରା ଓଡ଼ିଶା, ୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଇଟିଭି ଭାରତ, ଭୁବନେଶ୍ବର

