ନିଆରା ନୂଆବର୍ଷ: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଡାକ୍ତର, ରକ୍ତଦାନ କଲେ ସାମ୍ବାଦିକ
ନିଆରା ବାର୍ତ୍ତା ଦେଇ ଏମ୍.କେ.ସି.ଜିରେ କାର୍ଯ୍ୟରତ ଡାକ୍ତରଙ୍କ ନବବର୍ଷକୁ ସ୍ବାଗତ । ବୃକ୍ଷରୋପଣ ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ରକ୍ତଦାନ ଶିବିର ଆୟୋଜନ କରାଯାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

Published : January 2, 2026 at 1:51 PM IST
ବ୍ରହ୍ମପୁର: ନିଆରା ଢଙ୍ଗରେ ଏମ୍.କେ.ସି.ଜି ମେଡିକାଲ ପରିସରରେ ନୂଆବର୍ଷକୁ ସ୍ବାଗତ କରାଯାଇଛି । ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନେ ନବବର୍ଷ ଉପଲକ୍ଷେ ବୃକ୍ଷରୋପଣ କରିଥିଲେ । ସେହିପରି ଛତ୍ରପୁର ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ବାରା ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଭିନ୍ନ ଉପାୟରେ ନବବର୍ଷର ପାଳନ ସହିତ ସମାଜକୁ ଏପରି ନିଆରା ବାର୍ତ୍ତା ଦେଇ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ।
ଏମ୍କେସିଜିରେ ବୃକ୍ଷରୋପଣ:
ବିଦାୟ ନେଲା ବର୍ଷ 2025 । ବହ୍ମପୁରର ଏମ୍.କେ.ସି.ଜି ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନେ ନୂତନ ବର୍ଷକୁ ନିଆରା ଭାବେ ସ୍ବାଗତ କରିଛନ୍ତି । ଏହି ଅବସରରେ ଜିଲ୍ଲାର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନେ ବୃକ୍ଷରୋପଣ କରି ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ସେହିଭଳି ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ରକ୍ତଦାନ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ନିର୍ବାଚିତ ପ୍ରତିନିଧି ଓ ଅନ୍ୟ ପ୍ରମୁଖ ଅତିଥିମାନେ ଯୋଗଦାନ କରିଥିଲେ ।

ପରିବେଶ ସଚେତନତା ବାର୍ତ୍ତା:
ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇବାକୁ ଆସୁଥିବା କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀ ଓ ଅଧିକାରୀଙ୍କ ଠାରୁ ଅଧ୍ୟକ୍ଷା କୌଣସି ଉପହାର କିମ୍ୱା ଫୁଲତୋଡା ଗ୍ରହଣ କରିନଥିଲେ । ଏହା ପରିବର୍ତ୍ତେ ମେଡିକାଲ କଲେଜ ସମ୍ମୁ୍ଖରେ ଥିବା ଉଦ୍ୟାନରେ ସମସ୍ତ କର୍ମଚାରୀ ଓ ଡାକ୍ତରମାନଙ୍କ ସହିତ ବୃକ୍ଷରୋପଣ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ଏଥିରେ ମେଡିକାଲର ଅଧ୍ୟକ୍ଷାଙ୍କ ଠାରୁ ନେଇ ସମସ୍ତ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟରତ ଚିକିତ୍ସକମାନେ ସାମିଲ ହୋଇ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।

'ଏପରି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରିବୁ'
ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଫେସର ଡା. ସୁଚିତ୍ରା ଦାଶ କହିଛନ୍ତି,"ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଆମେ ନୂଆବର୍ଷ ଉପଲକ୍ଷେ ଉପହାର, ଫୁଲତୋଡା ଏବଂ ମିଠା ଗ୍ରହଣ କରିନଥିଲୁ । ସମସ୍ତଙ୍କୁ ଏନେଇ ଅବଗତ କରିଥିଲୁ । କଲେଜ ସାମ୍ନାରେ ଏକ ପାର୍କକୁ ପୁନରୁଦ୍ଧାର କରି ଏଠାରେ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛୁ । ଏହି କାର୍ଯ୍ୟକ୍ରମରେ ସମସ୍ତ ଷ୍ଟାଫ୍ ଓ ଅନୁଷ୍ଠାନର ସଦସ୍ୟମାନେ ସାମିଲ ହୋଇଥିଲେ । ଏପରି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରିବୁ ।"

ଭେଷଜ ଚିକିତ୍ସା ବିଭାଗର ଡାକ୍ତର ସରିତା ବେହେରା ପ୍ରଶାସନର ଏପରି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ । ସେ କହିଛନ୍ତି,"ଆମେ ପ୍ରକୃତି ସହିତ ଓତଃପ୍ରୋତ ଭାବେ ଜଡିତ । ଆମ ଯେତେ ପ୍ରକୃତିମନା ହେବା ସେତେ ସୁସ୍ଥ ରହିବା ।"
'ସୁନ୍ଦର ଫୁଲଗଛ ଲାଗିବା ପରେ ସମସ୍ତେ ଏଠାକୁ ବୁଲିବାକୁ ଆସିବେ'
ମାନସିକରୋଗ ଚିକିତ୍ସା ବିଭାଗ ଡାକ୍ତର ସ୍ୱାତୀ ମିଶ୍ର କହିଛନ୍ତି,"ଏଭଳି ଏକ ସୁନ୍ଦର ପଦକ୍ଷେପ ନେଇଥିବାରୁ ମୋର ଏମକେସିଜି ଅଧ୍ୟକ୍ଷାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଆଗରୁ ଏଠାକୁ କେହି ଆସୁନଥିଲେ । ବର୍ତ୍ତମାନ ଏଠାରେ ସୁନ୍ଦର ଫୁଲଗଛ ଲାଗିବା ପରେ ସମସ୍ତେ ଏଠାକୁ ବୁଲିବାକୁ ଆସିବେ ।"
ଗଣମାଧ୍ୟମ ପ୍ରତିନିଧିଙ୍କ ରକ୍ତଦାନ ଶିବିର:
ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ନୂତନବର୍ଷର ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏହି ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସହିତ ଅନେକ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଶୀତଦିନରେ ରକ୍ତଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଥାଏ । ଏହି ସମୟରେ ଏପରି କାର୍ଯ୍ୟକ୍ରମର ଆୟୋଜନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
'ରକ୍ତଦାନ କରି ଜୀବନ ରକ୍ଷା କରନ୍ତୁ'
ବିଜୁ ଯୁବ ଜନତା ଦଳ, ରାଜ୍ୟ କାର୍ଯ୍ୟକାରୀ ସଭାପତି, ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି,"ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ନୂତନ ବର୍ଷରେ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରି ଗଣମାଧ୍ୟମ ବା ଚତୁର୍ଥ ସ୍ତମ୍ଭ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ରକ୍ତଦାନ କରି ଜୀବନ ରକ୍ଷା କରନ୍ତୁ ବୋଲି ସମସ୍ତଙ୍କୁ ଏହି ବାର୍ତ୍ତା ଦିଆଯାଇଛି ।"
ଗଣମାଧ୍ୟମ ପ୍ରତିନିଧି ଅନୁଷ୍ଠାନ ପକ୍ଷରୁ ସନ୍ତୋଷ କୁମାର ମିଶ୍ର କହିଛନ୍ତି,"ଶୀତଦିନେ ସାଧାରଣତଃ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଥାଏ । ଏଥିପାଇଁ ନୂଆ ବର୍ଷ ଉପଲକ୍ଷେ ଆମେ ଏହି ରକ୍ତଦାନ ଶିବିରର ଆୟୋଜନ କରିଥିଲୁ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଜିଲ୍ଲାପାଳ ମଧ୍ୟ ଯୋଗ ଦେଇଥିଲେ ।"
ଇଟିଭି ଭାରତ, ବ୍ରହ୍ମପୁର

