ETV Bharat / state

ବ୍ରହ୍ମପୁରରେ ପ୍ରତିଷ୍ଠା ହେବ WSC କ୍ୟାମ୍ପସ; ଦକ୍ଷତା ବୃଦ୍ଧି ସହିତ ନିଯୁକ୍ତି କ୍ଷେତ୍ରରେ ଯୁବପିଢି଼ଙ୍କୁ ମିଳିବ ସୁଯୋଗ

ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରାରମ୍ଭିକ ପଦକ୍ଷେପ ଆରମ୍ଭ କରିଛି, ଗଞ୍ଜାମ ଜିଲ୍ଲାରେ ଚିହ୍ନଟ କରାଯାଇଛି । ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ

New World Skill Center Campus In Brahmapur
ବିଶ୍ୱ ଦକ୍ଷତା କେନ୍ଦ୍ର (ETV Bharat)
author img

By ETV Bharat Odisha Team

Published : July 3, 2026 at 10:24 AM IST

3 Min Read
Choose ETV Bharat

WORLD SKILL CENTRE BERHAMPUR, ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଉନ୍ନତ ଦକ୍ଷତା ବିକାଶ ଭିତ୍ତିଭୂମିକୁ ବିସ୍ତାର କରିବା ଲକ୍ଷ୍ୟରେ, ରାଜ୍ୟ ସରକାର ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର (World Skill Centers)ର ଏକ ନୂତନ କ୍ୟାମ୍ପସ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ପ୍ରସ୍ତାବିତ କ୍ୟାମ୍ପସ ସ୍ଥାପନ ପାଇଁ ପ୍ରାରମ୍ଭିକ ପଦକ୍ଷେପ ଆରମ୍ଭ କରିଛି । ଏନେଇ ଗଞ୍ଜାମ ଜିଲ୍ଲାରେ ସ୍ଥାନ ଚିହ୍ନଟ କରାଯାଇଛି । ରାଜ୍ୟ ସରକାର ଓଡ଼ିଶାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବୃତ୍ତିଗତ କରିବାରେ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି । ସେହିପରି ସମ୍ବଲପୁରରେ ମଧ୍ୟ ଆଉ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୬-୨୭ ଆର୍ଥକ ବର୍ଷର ବଜେଟରେ ରାଜ୍ୟରେ ଦୁଇଟି ବିଶ୍ୱ ଦକ୍ଷତା କେନ୍ଦ୍ର କରାଯିବାକୁ ସ୍ଥିର ହୋଇଛି । ରାଜ୍ୟ ବଜେଟରେ ୨୭୮ କୋଟି ଟଙ୍କାର ଏକ ପର୍ଯ୍ୟାପ୍ତ ବ୍ୟୟବରାଦ ସହିତ ଘୋଷଣା କରାଯାଇଥିବା ଏହି ଯୁଗ୍ମ କେନ୍ଦ୍ରଗୁଡ଼ିକ ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ମେଳ ଖାଉଥିବା ବିଶ୍ୱସ୍ତରୀୟ, ଶିଳ୍ପ-ସମର୍ଥିତ ତାଲିମ ପ୍ରଦାନ କରିବ । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା (SD&TE) ବିଭାଗକୁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲ୍ଲାର କନିଶି ତହସିଲ ଅନ୍ତର୍ଗତ ଲାଉଡିଗାଁ ମୌଜାରେ ଏକ ବିସ୍ତୃତ 40 ଏକର ଜମି ଓ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ ନିକଟରେ ସ୍ଥାନ ଚିହ୍ନଟ କରାଯାଇଥିଲା । ସେଥିରୁ ଲଉଡ଼ିଗାଁ ମୌଜାକୁ ଚୂଡ଼ାନ୍ତ ଭାବେ ଚୟନ କରାଯାଇଛି ।

ବ୍ରହ୍ମପୁରରେ ପ୍ରତିଷ୍ଠା ହେବ WSC କ୍ୟାମ୍ପସ; ଦକ୍ଷତା ବୃଦ୍ଧି ସହିତ ନିଯୁକ୍ତି କ୍ଷେତ୍ରରେ ଯୁବପିଢି଼ଙ୍କୁ ମିଳିବ ସୁଯୋଗ (ETV Bharat Odisha)

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ କହିଛନ୍ତି, "ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ଦୁଇଟି ସ୍ଥାନ ଚିହ୍ନଟ କରାଯାଇଥିଲା । ଆଇଜର (IISER) ପାଖ ଲାଉଡିଗାଁରେ ବିଶ୍ୱ ଦକ୍ଷତା କେନ୍ଦ୍ରର ନୂତନ କ୍ୟାମ୍ପସ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାରେ ରହିଥିବା ଯୁବପିଢ଼ି ସେଥିରୁ ଅନେକ ସୁଯୋଗ ପାଇପାରିବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଏବଂ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଏହା ଅନେକ ସହଯୋଗ କରିବ ।"

New World Skill Center Campus In Brahmapur
ବ୍ରହ୍ମପୁର ପ୍ରତିଷ୍ଠା ହେବ ବିଶ୍ୱ ଦକ୍ଷତା କେନ୍ଦ୍ର (ETV Bharat)

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି କେନ୍ଦ୍ର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲାର ଅନେକ ଯୁବ ବର୍ଗ ଏଥିରେ ଉପକୃତ ହେବେ । ଗଞ୍ଜାମ ଜିଲ୍ଲାର ଅନେକ ଯୁବ ବର୍ଗ କର୍ମନିଯୁକ୍ତି ଅଭାବରୁ ଦାଦନ ଖଟିବାକୁ ବିଭିନ୍ନ ରାଜ୍ୟ ତଥା ବିଦେଶକୁ ଯାଉଥିବା ବେଳେ ଏପରି କେନ୍ଦ୍ର ପ୍ରତିଷ୍ଠା ହେଲେ କେବଳ ଯେ ଦାଦନ ଶ୍ରମିକ ଚାଲାଣ କମିବ ତାହା ନୁହେଁ ବରଂ ଅନେକ ଯୁବବର୍ଗ ବୈଷୟିକ କୁଶଳୀ ଶିକ୍ଷା ପାଇବା ସହିତ ଅନେକ ମାତ୍ରାରେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।


ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ଗତ ବଜେଟରେ ଏହାକୁ ଅନୁମୋଦିତ କରାଯାଇଥିବା । ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିସାରିଛନ୍ତି । ଗଞ୍ଜାମରେ ୱାଲର୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ହେବ, ଯାହାକୁ ବଜେଟରେ ପ୍ରାବଧାନ ହୋଇସାରିଛି ।"

ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବା ପରେ, କ୍ୟାମ୍ପସଟି ବୃତ୍ତିଗତ ଶିକ୍ଷାକୁ ସୁଦୃଢ଼ ​​କରିବ ଏବଂ ଦକ୍ଷିଣ ଓଡ଼ିଶାର ଯୁବକମାନଙ୍କ ପାଇଁ ଶିଳ୍ପ-ମୁଖୀ ତାଲିମ ସୁଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ନୂତନ ସୁବିଧା ରାଜ୍ୟର ଦକ୍ଷତା ବିକାଶ ପଦକ୍ଷେପଗୁଡ଼ିକୁ ବୃଦ୍ଧି କରିବା ଏବଂ ଛାତ୍ର ଏବଂ ଚାକିରି ଖୋଜୁଥିବା ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗକୁ ଉନ୍ନତ କରିବା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ ଭାବରେ କାର୍ଯ୍ୟ କରିବ ।

ଏନେଇ କଟକର ଡିଟିଇଟିର ଯୁଗ୍ମ ନିର୍ଦ୍ଦେଶକ ଇଂ. ରଜତ ପାଣିଗ୍ରାହୀ କହିଛନ୍ତି, "ଗଞ୍ଜାମ ଜିଲ୍ଲାରେ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ପଲିଟେକନିକ୍ ଶିକ୍ଷାନୁଷ୍ଠାନ ରହିଛି । ଏଠାକାର ବିଦ୍ୟାର୍ଥୀ ନିଜର ଶିକ୍ଷା ଶେଷ କରି ନିଯୁକ୍ତି ପାଇବା ପାଇଁ ବାହାରକୁ ଯାଉଛନ୍ତି, ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରିବା ପାଇଁ ସେମାନେ ଯାହା କୁଶଳୀ ଶିକ୍ଷା ପାଉଛନ୍ତି ତାହାଠାରୁ ଅଧିକା ମାର୍ଜିତ ଓ ଉଚ୍ଚ ମାନର କୁଶଳୀ ଶିକ୍ଷା ଏହି ୱାଲର୍ଡ ସ୍କିଲ୍ ସେଣ୍ଟରରୁ ପାଇପାରିବେ । ଗଞ୍ଜାମ ଜିଲ୍ଲା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକତା ରହିଥିବା ବେଳେ ଅନେକ ବିଦ୍ୟାର୍ଥୀ ଏହାରି ମାଧ୍ୟମରେ ସୁବିଧା ପାଇପାରିବେ ।"


ୱାର୍ଲ୍ଡ ସ୍କିଲ୍ ସେଣ୍ଟର ହେଉଛି ଏକ ପ୍ରମୁଖ ରାଜ୍ୟ ପରିଚାଳିତ ପ୍ରତିଷ୍ଠାନ ଯାହା ଯୁବ ବୃତ୍ତିଗତଙ୍କ ମଧ୍ୟରେ ଚାକିରି ପ୍ରସ୍ତୁତିକୁ ଉନ୍ନତ କରିବା ପାଇଁ ଶିଳ୍ପ ଆବଶ୍ୟକତା ସହିତ ବିଶ୍ୱସ୍ତରୀୟ ମାନଦଣ୍ଡପ୍ରାପ୍ତ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରିବା ଉପରେ ଧ୍ୟାନ ଦିଏ । ଭୁବନେଶ୍ୱରରେ ଏକ WSC କ୍ୟାମ୍ପସ୍ ପୂର୍ବରୁ କାର୍ଯ୍ୟକ୍ଷମ ହୋଇସାରିଛି । ସେହିପରି ସରକାର ସହରରେ ଦ୍ୱିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ସିଙ୍ଗାପୁର-ଭିତ୍ତିକ ITE ଶିକ୍ଷା ସେବା ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।ରାଜ୍ୟର ତୃତୀୟ ଏବଂ ଚତୁର୍ଥ ବିଶ୍ୱ ଦକ୍ଷତା କେନ୍ଦ୍ର (WSC) କ୍ୟାମ୍ପସ ପ୍ରତିଷ୍ଠା ସମ୍ବଲପୁର ଏବଂ ଗଞ୍ଜାମ ଜିଲ୍ଲାରେ ହେବ ।

ଏହା ମଧ୍ୟ ପଢ଼ନ୍ତୁ...

ଖୁବ୍ ଶୀଘ୍ର ବ୍ରହ୍ମପୁର-ସମ୍ବଲପୁରରେ ବିଶ୍ବ ଦକ୍ଷତା କେନ୍ଦ୍ର; ଜମି ଚିହ୍ନଟ ପ୍ରକ୍ରିୟା ଶେଷ, ଭୂମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ

ଲକ୍ଷ୍ନୌ ଅଗ୍ନିକାଣ୍ଡ ପରେ ଚେତିଲେ ଓଡ଼ିଶା ସରକାର; ଏଣିକି ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଅଡିଟ୍ ବାଧ୍ୟତାମୂଳକ

ଇଟିଭି ଭାରତ, ବ୍ରହ୍ମପୁର