ଲାଗୁ ହେଲା ନୂଆ ମୂଲ୍ୟାୟନ ବ୍ୟବସ୍ଥା: ବର୍ଷକୁ ୪ଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଅସନ୍ତୋଷ ଜାହିର କଲେ ଶିକ୍ଷକ
ବିଦ୍ୟାଳୟଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ସ୍କୁଲରେ ଶିକ୍ଷକ ଅଭାବ କାରଣରୁ ଅସନ୍ତୋଷ ପ୍ରକାଶ କରିଛି, ପ୍ରାଥମିକ ଶିକ୍ଷକ ସଂଘ । ରିପୋର୍ଟ-ବିକାଶ ଦାସ


Published : July 6, 2026 at 10:11 PM IST
New grading system, ଭୁବନେଶ୍ବର : ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ ୨ଟି ଫର୍ମେଟିଭ୍ ଆସେସମେଣ୍ଟ (Formative Assessment) ଓ ୨ଟି ସମ୍ମେଟିଭ୍ ଆସେସମେଣ୍ଟ (Summative Assessment) ମୂଲ୍ୟାୟନ କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ସ୍କୁଲରେ ଶିକ୍ଷକ ଅଭାବ କାରଣରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ।
ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଛି, ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ । ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶିକ୍ଷାବର୍ଷରେ ମୋଟ୍ ୪ଟି ମୂଲ୍ୟାୟନ ବା ପରୀକ୍ଷା ଦେବାକୁ ପଡ଼ିବ । ଏହି ନୂଆ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଜାରି କରିଛି ।
ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦୁଇଟି ଏବଂ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଆଉ ଦୁଇଟି ମୂଲ୍ୟାୟନ କରାଯିବ । ଏଥିରେ ଦୁଇଟି ଫର୍ମେଟିଭ୍ ଆସେସମେଣ୍ଟ (Formative Assessment) ଏବଂ ଦୁଇଟି ସମ୍ମେଟିଭ୍ ଆସେସମେଣ୍ଟ (Summative Assessment) ରହିବ । ଏହା ମାଧ୍ୟମରେ ବର୍ଷସାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତିକୁ ନିୟମିତ ଭାବେ ଆକଳନ କରାଯିବ । ଯାହାକି କଳା ଶିକ୍ଷା, ଗଣିତ ଶିକ୍ଷା ସହିତ ଶାରୀରିକ ଶିକ୍ଷା ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯିବ ।
ଅନ୍ୟପଟେ ଶିଶୁ ବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପୂର୍ବଭଳି ଲିଖିତ ପରୀକ୍ଷା ନୁହେଁ, ବରଂ ନିରନ୍ତର ମୂଲ୍ୟାୟନ ପ୍ରଣାଳୀ ଜାରି ରହିବ । ସେମାନଙ୍କର ଶିକ୍ଷା, ଦକ୍ଷତା, ଆଚରଣ ଓ ଶ୍ରେଣୀକକ୍ଷରେ ଅଂଶଗ୍ରହଣକୁ ଆଧାର କରି ମୂଲ୍ୟାୟନ କରାଯିବ ।
ବିଭାଗ ପକ୍ଷରୁ ଜାରି ହୋଇଥିବା ବିସ୍ତୃତ ମାର୍ଗଦର୍ଶିକାରେ ପରୀକ୍ଷାର ସମୟ, ପ୍ରକ୍ରିୟା ଓ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି । ନୂଆ ବ୍ୟବସ୍ଥା ଫଳରେ ବର୍ଷ ଶେଷର ଗୋଟିଏ ପରୀକ୍ଷା ଉପରେ ନିର୍ଭରଶୀଳତା କମିବ ଏବଂ ଛାତ୍ରଛାତ୍ରୀଙ୍କ ପ୍ରକୃତ ଶିକ୍ଷାଗତ ଦକ୍ଷତାକୁ ନିୟମିତ ଭାବେ ଆକଳନ କରାଯିବ । ଏହି ପଦକ୍ଷେପ ଶିକ୍ଷାର ଗୁଣାତ୍ମକ ଉନ୍ନତି ସହ ନିରନ୍ତର ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବ ବୋଲି ଶିକ୍ଷା ବିଭାଗ ଆଶା ପ୍ରକାଶ କରିଛି ।
ଏପଟେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, "ବର୍ଷକୁ ୪ ଥର ପରୀକ୍ଷା ନୂଆ ନୁହେଁ ଏହା ପୂର୍ବରୁ ମଧ୍ୟ କରାଯାଉଥିଲା । କିନ୍ତୁ ଏଥିରେ ଅନେକ କିଛି ସଂଯୋଗ କରାଯାଇଛି । ଯାହା ସମ୍ଭବପର ନୁହେଁ । ସ୍କୁଲରେ ଶିକ୍ଷକ ଭିତ୍ତିଭୂମି ନଥାଇକି ଏଭଳି ପରୀକ୍ଷା କରିବା ସମ୍ଭବପର ନୁହେଁ । ଏହା ସହିତ ଚଳିତ ବର୍ଷ ବହି ତ୍ରୁଟିକୁ ନେଇ ଅନେକ ସମସ୍ୟା ଦେଖାଯାଇଛି । ତେଣୁ ଆମର ସଂଘ ତରଫରୁ କଳା, କ୍ରୀଡ଼ା ଶିକ୍ଷକ ସହିତ ଅନ୍ୟ ଶିକ୍ଷକ ପଦବୀ ଖାଲି ରହିଛି, ତାହାକୁ ପୂରଣ କରିବେ । ଯାହା ଫଳରେ କି ଶିକ୍ଷାଦାନ ସଠିକ ଭାବେ ହୋଇପାରିବ," ବୋଲି କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ୩୦ ବର୍ଷ ଦୀର୍ଘ ଯନ୍ତ୍ରଣାର ଅନ୍ତ: ମହିଳାଙ୍କ ହାତରୁ ବାହାରିଲା ୭ କିଲୋ ଓଜନର ବିଶାଳ ଟ୍ୟୁମର
ଏହା ମଧ୍ୟ ପଢ଼ନ୍ତୁ- ଏମ୍ସରେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ, ଚିକିତ୍ସା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କଲା ଓଡ଼ିଶା
ଇଟିଭି ଭାରତ, ଭୁବନେଶ୍ୱର

