ETV Bharat / state

ଓଡ଼ିଶାରେ ଗ୍ରୀନ୍ ଟୁରିଜିମ୍‌ର ନୂଆ ଅଧ୍ୟାୟ: ଡିଜେଲ୍‌ ବଦଳରେ ଚାଲିବ EV ବୋଟ୍‌

ପ୍ରଦୂଷଣ ଓ ବଢୁଥିବା ଇନ୍ଧନ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଥମ ପର୍ଯ୍ୟାୟରେ ୫ଟି ପର୍ଯ୍ୟଟନ ସ୍ଥଳୀରେ ରହିବ EV ବୋଟ୍‌ ସୁବିଧା । ରିପୋର୍ଟ: ବିକାଶ ଦାସ

NEW CHAPTER OF GREEN TOURISM IN ODISHA: EV BOATS WILL RUN INSTEAD OF DIESEL
ଓଡ଼ିଶାରେ ଗ୍ରୀନ୍ ଟୁରିଜିମ୍‌ର ନୂଆ ଅଧ୍ୟାୟ: ଡିଜେଲ୍‌ ବଦଳରେ ଚାଲିବ EV ବୋଟ୍‌ (ETV BHARAT ODISHA)
author img

By ETV Bharat Odisha Team

Published : May 28, 2026 at 4:43 PM IST

2 Min Read
Choose ETV Bharat

EV SOLAR BOATS IN ODISHA, ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏଣିକି ରାଜ୍ୟର ପ୍ରମୁଖ ଜଳଭିତ୍ତିକ ପର୍ଯ୍ୟଟନ ସ୍ଥଳୀରେ ଚାଲିବ ପରିବେଶ ଅନୁକୂଳ EV ବୋଟ୍‌ ବା ବୈଦ୍ୟୁତିକ ଡଙ୍ଗା । ଡିଜେଲ୍‌ ବୋଟ୍‌ ଯୋଗୁଁ ହେଉଥିବା ପ୍ରଦୂଷଣ ଓ ବଢୁଥିବା ଇନ୍ଧନ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ପକ୍ଷରୁ ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି ।

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ । ଏଣିକି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଚାଲିବ ପରିବେଶ ଅନୁକୂଳ EV ବୋଟ୍ ବା ବୈଦ୍ୟୁତିକ ଡଙ୍ଗା । ବର୍ତ୍ତମାନର ତେଲ ସଙ୍କଟ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ଥିବା ପାରମ୍ପରିକ କିମ୍ବା ଡିଜେଲ୍ ବୋଟ୍‌କୁ ବଦଳାଇ EV ବୋଟ୍‌ରେ ପରିଣତ କରାଯିବ । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ- OTDC ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି । କୋରାପୁଟର କୋଲାବ ପାଇଁ ୩୦ ଆସନ ବିଶିଷ୍ଟ ବୋଟ୍ ଆସିବ । ସମ୍ବଲପୁରର ହୀରାକୁଦ ପାଇଁ ୨ଟି ସ୍ଥାନରେ ଯଥାକ୍ରମେ ୨୦ ଓ ୧୦ ଆସନ ବିଶିଷ୍ଟ ବୋଟ୍ ଚାଲିବ । କେନ୍ଦ୍ରାପଡ଼ାର ଭିତରକନିକା ପାଇଁ ୨୦ ଆସନ ଏବଂ ଖୋର୍ଦ୍ଧା ଚିଲିକାର ବରକୁଳ ପାଇଁ ୮ ଆସନ ବିଶିଷ୍ଟ ବିଳାସପୂର୍ଣ୍ଣ ବୋଟ୍‌ର ବ୍ୟବସ୍ଥା କରାଯାଉଛି । ସବୁଠାରୁ ବଡ଼ କଥା ହେଲା, ପର୍ଯ୍ୟଟକଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବୋଟ୍ ଗୁଡ଼ିକରେ EV ସହିତ ସୋଲାର ତଥା ସୌରଶକ୍ତି ଏବଂ ସିଏନଜି ବ୍ୟବହାରର ମଧ୍ୟ ସୁବିଧା ରହିବ ।

New chapter of green tourism in Odisha: EV boats will run instead of diesel
ଓଡ଼ିଶାରେ ଗ୍ରୀନ୍ ଟୁରିଜିମ୍‌ର ନୂଆ ଅଧ୍ୟାୟ: ଡିଜେଲ୍‌ ବଦଳରେ ଚାଲିବ EV ବୋଟ୍‌ (ETV BHARAT ODISHA)


ରାଜ୍ୟରେ ପ୍ରାୟ ୧୦୦ଟି ପର୍ଯ୍ୟଟନସ୍ଥଳୀରେ ବୋଟିଂ ସୁବିଧା ରହିଛି । ବିଶେଷକରି ଚିଲିକା, ତାମ୍ପରା, ଅଂଶୁପା, ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ, ଭିତରକନିକା ଆଦି ସ୍ଥାନରେ EVର ସୁବିଧା ମିଳିପାରିବ । ସେହିପରି ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନ ଗୁଡ଼ିକରେ EV ବୋଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ପରୀକ୍ଷାମୂଳକ ଭାବରେ ଗ୍ରହଣ କରାଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏନେଇ ଏକ ଟେଣ୍ଡର ଆହ୍ୱାନ କରିଛି । ଏଥିରେ ଯେଉଁ ଏଜେନ୍ସି ଟେଣ୍ଡର ପାଇବ ସେହି ଏଜେନ୍ସି ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଇଁ ୫ଟି ବିଳାସପୂର୍ଣ୍ଣ କାଟାମାରାନ୍‌, ସୋଲାର ତଥା EV ବୋଟ୍‌ ଚଲାଇବ ବୋଲି ଚିଠିରେ ଦର୍ଶାଯାଇଛି ।


ଏପଟେ ପଞ୍ଚାୟତରୁ ବ୍ଲକ ଏବଂ ତହସିଲରୁ ଜିଲ୍ଲା, ସବୁ ସ୍ତରରେ ସରକାରୀ କ୍ଷେତ୍ରରେ ଆଗାମୀ ଦିନରେ ବ୍ୟବହାର ହେବ EV (ବୈଦ୍ୟୁତିକ ଯାନ) । କୌଣସି ନୂଆ ଡିଜେଲ, ପେଟ୍ରୋଲ ଭଡ଼ା ଗାଡି ଆଉ ସରକାରୀ ସ୍ତରରେ ବ୍ୟବହାର ହେବନାହିଁ । ଏହା ସହିତ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଏଣିକି EV ଗାଡି ଚଲାଇବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଯାହା ଫଳରେ ପରିବେଶ ସୁରକ୍ଷିତ ରହିବା ସହିତ ପ୍ରଦୂଷଣ ମୁକ୍ତ ହେବ କ୍ୟାମ୍ପସ ।


ଏନେଇ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଆଧୁନିକ ଓ ପରିବେଶ ଅନୁକୂଳ କରିବା ଦିଗରେ ସରକାର ଗୁରୁତ୍ୱ ଦେଉଛନ୍ତି । ଡିଜେଲ୍‌ ବୋଟ୍‌ ପରିବର୍ତ୍ତେ EV ବୋଟ୍‌ ଚାଲୁ ହେଲେ ଇନ୍ଧନ ଖର୍ଚ୍ଚ କମିବା ସହିତ ଜଳାଶୟ ଅଞ୍ଚଳରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟାୟକ୍ରମେ EV ବୋଟ୍‌ ସେବା ବିସ୍ତାର କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ- ଏଣିକି ସରକାରୀ କାମରେ ଗଡିବ EV; ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଏହା ମଧ୍ୟ ପଢ଼ନ୍ତୁ- ତୈଳ ସଙ୍କଟ ଭିତରେ ବଢୁଛି EV ଗାଡ଼ିର ଚାହିଦା, ପରିବହନ ମନ୍ତ୍ରୀ କହିଲେ; ଇଲେକ୍ଟ୍ରିକ୍ ଯାନ କ୍ରୟ ପାଇଁ ସରକାର ଦେଉଛନ୍ତି ପ୍ରୋତ୍ସାହନ

ଇଟିଭି ଭାରତ, ଭୁବନେଶ୍ବର