ନିର୍ବାଚନୀ କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ବନଜା ଦାସ
କର୍ତ୍ତବ୍ୟରେ ଚରମ ଅବହେଳା ଓ ବିଶୃଙ୍ଖଳା ପାଇଁ ନିଲମ୍ବିତ ହେଲେ ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ବନଜା ଦାସ । ରିପୋର୍ଟ- ସଞ୍ଜୟ କୁମାର ପରିଡ଼ା

Published : June 3, 2026 at 6:27 PM IST
ରାଇରଙ୍ଗପୁର (ମୟୂରଭଞ୍ଜ): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟରେ ଚରମ ଅବହେଳା ପ୍ରଦର୍ଶନ କରିବା ମହଙ୍ଗା ପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ବନଜା ଦାସ କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ସୃଷ୍ଟି କରିବା ପରି ଅଭିଯୋଗ ହୋଇଥିଲା । କାର୍ଯ୍ୟରେ ସାଂଘାତିକ ତ୍ରୁଟି ଏବଂ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବହେଳା କରିବା ଅଭିଯୋଗରେ ତାଙ୍କୁ ତୁରନ୍ତ ସରକାରୀ ସେବାରୁ ନିଲମ୍ବନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ, ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ସରକାରୀ ଚିଠି (ସଂଖ୍ୟା: ୩୫୮୩, ତାରିଖ: ୨ ଜୁନ୍ ୨୦୨୬) ମାଧ୍ୟମରେ ଶ୍ରୀମତୀ ବନଜା ଦାସଙ୍କ ବିରୋଧରେ ଓଡ଼ିଶା ନାଗରିକ ସେବା (OCS Rules, 1962) ଅନୁଯାୟୀ ନିଲମ୍ବନ ପ୍ରକ୍ରିୟା ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମତୀ ବନଜା ଦାସଙ୍କ ବିରୋଧରେ ଏକରୁ ଅଧିକ ସାଂଘାତିକ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ଗତ ୨୩ ମଇ ୨୦୨୬ ରେ ERO/AERO ମାନଙ୍କ ପାଇଁ ଆୟୋଜିତ ଭର୍ଚୁଆଲ୍ ଟ୍ରେନିଂ ପ୍ରୋଗ୍ରାମରେ ସେ ଯୋଗ ଦେଇ ନଥିଲେ । ପୂର୍ବରୁ ସୂଚନା ମିଳିବା ସତ୍ତ୍ୱେ ସେ ଟ୍ରେନିଂ ରେ ଯୋଗ ଦେଇନଥିଲେ । କାର୍ଯ୍ୟରେ ଅନୁପସ୍ଥିତ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଥିଲା । ହେଲେ ସେ କୌଣସି ଜବାବ ରଖି ନଥିଲେ । ଯାହାକି ସରକାରୀ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଥିବା ଜଣା ପଡ଼ିଥିଲା । ମେ ମାସ ୨୬ ଓ ୨୭ ତାରିଖରେ BLO ଏବଂ BLO ସୁପରଭାଇଜର ମାନଙ୍କ ପାଇଁ ଉଦ୍ଦିଷ୍ଟ ଜରୁରୀକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସେ EROଙ୍କ ବିନା ଅନୁମତିରେ ସ୍ଥଗିତ ରଖି ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ଗୁରୁତ୍ୱପୂର୍ଣ୍ଣ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଏବଂ କୌଣସି ଅନୁମତି ନ ନେଇ ସେ ଛୁଟିରେ ରହିବା ସହ ପରବର୍ତ୍ତୀ ପ୍ରଶିକ୍ଷଣ ସମୟରେ ମଧ୍ୟ ଅନୁପସ୍ଥିତ ରହିଥିଲେ ।
ରିପୋର୍ଟ ଅନୁସାରେ, ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ଏଭଳି ବାରମ୍ବାର ମନମୁଖୀ କାର୍ଯ୍ୟ ଓ ଚରମ ଶୃଙ୍ଖଳାଗତ ଅବହେଳା ଯୋଗୁଁ ବଡ଼ସାହି ବ୍ଲକରେ ଚାଲିଥିବା ‘SIR-2026’ ନିର୍ବାଚନୀ କାର୍ଯ୍ୟକ୍ରମର ସ୍ୱଚ୍ଛତା ଓ ସଠିକ୍ ସମୟସୀମା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖା ଦେଇଛି । ଫଳରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି । ଘଟଣାକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟ ସରକାର ଅନ୍ୟ ଅଧିକାରୀମାନଙ୍କ ପାଇଁ ଏକ ଶକ୍ତ ଚେତାବନୀ ଜାରି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଜଙ୍ଗଲରେ ପଡିଛି ଦୁଇଟି କ୍ଷତାକ୍ତ ଗୋଡ଼; ମିଳୁନି ମୃତଦେହର ଅବଶିଷ୍ଟ ଅଂଶ, ମହାବଳ ବାଘ ମାରିଥିବା ଅନୁମାନ
ଏହା ମଧ୍ୟ ପଢ଼ନ୍ତୁ- ଶିମିଳିପାଳରୁ ଆସିଲା ଖୁସି ଖବର; ମା' ହେଲା ମରାଠା ବାଘୁଣୀ ଜିନ୍ନତ, ଜନ୍ମ ଦେଲା ୪ଶାବକ
ଇଟିଭି ଭାରତ, ରାଇରଙ୍ଗପୁର

