ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ତଣ୍ଟିରେ NEET ଓ CBSE ବିଭ୍ରାଟ କଣ୍ଟା, ନୈତିକତା ଦୃଷ୍ଟିରୁ ଦିଅନ୍ତୁ ଇସ୍ତଫା: ବିଜେଡି

ବର୍ଷ ବର୍ଷ ଧରି ପରିଶ୍ରମ କରି ପରୀକ୍ଷା ଦେଉଥିବା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି ବୋଲି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ

NEET CBSE paper disruption row
କେନ୍ଦ୍ରମନ୍ତ୍ରୀଙ୍କ ତଣ୍ଟିରେ NEET ଓ CBSE ବିଭ୍ରାଟ କଣ୍ଟା, ନୈତିକତା ଦୃଷ୍ଟିରୁ ଦିଅନ୍ତୁ ଇସ୍ତଫା: ବିଜେଡି (ETV Bharat Odisha)
author img

By ETV Bharat Odisha Team

Published : June 3, 2026 at 8:31 AM IST

3 Min Read
Choose ETV Bharat

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତଣ୍ଟିରେ ଲାଗିଛି NEET ଓ ସିବିଏସଇ ବିଭ୍ରାଟ କଣ୍ଟା । NEET ଓ CBSE ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଯେତେ ସ୍ପଷ୍ଟୀକରଣ ଦେଲେ ବି ବିରୋଧୀ ଓ ବିଭିନ୍ନ ସଂଗଠନ ଶୁଣୁନାହାନ୍ତି । ସମସ୍ତେ ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି । ଏହି ପ୍ରକ୍ରିୟାରେ ବର୍ତ୍ତମାନ ସାମିଲ ହୋଇଛି ବିଜେଡି । ଧର୍ମେନ୍ଦ୍ର ଭାରତବର୍ଷରେ ସବୁଠୁ ବିଫଳ ଶିକ୍ଷାମନ୍ତ୍ରୀ ଭାବେ ଗଣାଯିବେ ବୋଲି କହିଛି ବିଜେଡି । ଦେଶରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ସେହିପରି ଆମେରିକାରରେ ଥିବା ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପତ୍ତି କାହା ପଇସାରେ ବୋଲି ପ୍ରଶ୍ନ କରିଛି ଦଳ ।

କେନ୍ଦ୍ରମନ୍ତ୍ରୀଙ୍କ ତଣ୍ଟିରେ NEET ଓ CBSE ବିଭ୍ରାଟ କଣ୍ଟା, ନୈତିକତା ଦୃଷ୍ଟିରୁ ଦିଅନ୍ତୁ ଇସ୍ତଫା: ବିଜେଡି (ETV Bharat Odisha)

ପିଲାଙ୍କ ଭବିଷ୍ୟତ ସହିତ ଖେଳ:
ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । ବିଗତ ୬ ବର୍ଷ ମଧ୍ୟରେ 4 ଥର ନିଟ୍ ପରୀକ୍ଷା ବାତିଲ ହୋଇଥିବା ବେଳେ CBSE ପରୀକ୍ଷା ସହ ଅନ୍ୟାନ୍ୟ ପରୀକ୍ଷାରେ ମଧ୍ୟ ବିଭ୍ରାଟ ସୃଷ୍ଟି ହୋଇଛି । ପିଲାଙ୍କ ଭବିଷ୍ୟତ ସହିତ ବିଜେପି ସରକାର ଖେଳୁଛି ବୋଲି ବିରୋଧୀ ଦଳ ବିଜେଡି ଆରୋପ ଲଗାଇଛି । ଦେଶରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । NEET, CBSE ପରୀକ୍ଷାରେ ବିଭାଟ ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଛି । ବିଜେପି ସରକାରକୁ କଡ଼ା ସମାଲୋଚନା କରିବା ସହ କ୍ଷୋଭ ପ୍ରକାଶ କରିଛି ବିଜୁ ଜନତା ଦଳ ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଉଛି:
ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ବାରମ୍ବାର ପରୀକ୍ଷାରେ ବିଭ୍ରାଟ ହେବା ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଗଭୀର ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ବର୍ଷ ବର୍ଷ ଧରି ପରିଶ୍ରମ କରି ପରୀକ୍ଷା ଦେଉଥିବା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ୨୦୨୪ରେ NEET ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହେଲା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ପ୍ରଥମେ ଅସ୍ୱୀକାର କଲେ । ପରେ ମାନିଲେ କିଛି ରାଜ୍ୟରେ ପେପର ଲିକ୍ ହୋଇଛି । ଚଳିତବର୍ଷ NEET, CBSE, CUET ପରୀକ୍ଷାରେ ବିଭ୍ରାଟ ହେବା ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଥିବା ବେଳେ କେତେକ ପିଲା ଆତ୍ମହତ୍ୟା କରିସାରିଲେଣି । ଏପରି ପରିସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ ରହିଥିଲେ ମଧ୍ୟ ସେ ଏହି ପ୍ରସଙ୍ଗରେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେବାରେ ବିଫଳ ହୋଇଛନ୍ତି ।


ସୁଲତା ଆହୁରି ମଧ୍ୟ କହିଛନ୍ତି, "ସୋସିଆଲ ମିଡିଆରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ଅଭିଯୋଗ ପ୍ରଚାରିତ ହେଉଛି । ଟ୍ରଷ୍ଟ ସହ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ମୃଦୁଳା ପ୍ରଧାନଙ୍କ ନାମ ଜଡିତ ଥିବାରୁ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ବିଜୁ-ନବୀନ ଇନ୍ସପିରେସନାଲ ଟ୍ରଷ୍ଟ ବିଷୟରେ ବିଭିନ୍ନ ସମୟରେ ଯେପରି ପ୍ରଶ୍ନ ଉଠିଥିଲା ଆମେ ସେଥିରେ ସ୍ପଷ୍ଟତା ଦେଇଥିଲୁ । ସେହିପରି ଧର୍ମେନ୍ଦ୍ର ବାବୁ ମଧ୍ୟ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସହ ତାଙ୍କର କିମ୍ୱା ତାଙ୍କ ପରିବାରର କି ପ୍ରକାର ସମ୍ପର୍କ ରହିଛି ତାହା ସ୍ପଷ୍ଟ କରନ୍ତୁ ।"


ପରୀକ୍ଷା ପରିଚାଳନାରେ ବିଫଳ:
ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, "ବିକଶିତ ଭାରତର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିଲା ବିଜେପି । କିନ୍ତୁ NEET, CBSE, CUET ଭଳି ଜାତୀୟ ସ୍ତରର ପରୀକ୍ଷାରେ ବାରମ୍ବାର ବିଭ୍ରାଟ ଘଟୁଥିବାରୁ ଶିକ୍ଷା ବ୍ୟବସ୍ଥା ପ୍ରତି ଲୋକଙ୍କ ରହିଥିବା ବିଶ୍ୱାସକୁ ଗଭୀର ଆଘାତ ଦେଇଛି । ଗୋଟିଏ ପରୀକ୍ଷାକୁ ସଠିକ ରୂପରେ ପରିଚାଳନା କରିବା ପାଇଁ ଶିକ୍ଷାମନ୍ତ୍ରୀଙ୍କ ଦକ୍ଷତା ନାହିଁ । ପେପର ଲିକ୍ ଯୋଗୁଁ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି । କେନ୍ଦ୍ର ସରକାର ଓ କେନ୍ଦ୍ର ଶିକ୍ଷା ବିଭାଗ ନୈତିକ ଦାୟିତ୍ୱରୁ ମୁକ୍ତ ହୋଇ ପାରିବେନାହିଁ । ବିଭିନ୍ନ ଗଣମାଧ୍ୟମ ଏବଂ ଜାତୀୟ ସମ୍ୱାଦପତ୍ରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପରୀକ୍ଷା ପରିଚାଳନାରେ ଗୁରୁତର ବିଫଳତା ପରିଲକ୍ଷିତ ହୋଇଛି । ଏହି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଯେତେବେଳେ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ଭବିଷ୍ୟତ ସମ୍ପର୍କିତ ପ୍ରସଙ୍ଗ ଆସୁଛି, ସେତେବେଳେ ସମ୍ପୃକ୍ତ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦେବା ନୈତିକ ଓ ପ୍ରଶାସନିକ ଦାୟିତ୍ୱ ।"


ସ୍ପଷ୍ଟୀକରଣ ଦିଅନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ:
ଲେନିନ ଆହୁରି ମଧ୍ୟ କହିଛନ୍ତି, "ଆମେରିକାର ମେଲୋରସ ସହରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ଯେଉଁ ଘରେ ରହି ତାଙ୍କ ଏଲ୍ଏଲ୍ଏମ୍ ଶିକ୍ଷା ଗ୍ରହଣ କରୁଥିଲେ, ସେଠାରେ ତାଙ୍କୁ ଯେଉଁମାନେ ଭେଟୁଥିଲେ ସେହି ମାନଙ୍କ ଭିତରୁ କିଛି ଲୋକଙ୍କ ଶିକ୍ଷା ଜନିତ ବ୍ୟବସାୟ ଅଛି କି ନାହିଁ । କମ୍ପ୍ୟୁଟେକ, ଏଡୁଟେକ ସଂସ୍ଥାର ନିର୍ଦ୍ଦେଶକ ରାଧାକୃଷ୍ଣ ଜୟରମଣଙ୍କୁ ଆମେରିକାରେ ତାଙ୍କ ଝିଅଙ୍କ ସ୍ଥାନୀୟ ଅଭିଭାବକ ଭାବେ ଦର୍ଶାଯାଇଛି କି ନାହିଁ, ତାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରନ୍ତୁ । ସିବିଏସଇ ପରୀକ୍ଷାର ଖାତା ଦେଖା ପାଇଁ ଏଡୁଟେକ ସଂସ୍ଥାକୁ କାମ ଦେବା ପାଇଁ ତିନି ତିନି ଥର ଟର୍ମ ଆଣ୍ଡ କଣ୍ଡିସନ ଧର୍ମେନ୍ଦ୍ର ପ୍ରଧାନ ବଦଳାଇଥିଲେ ନା ନାହିଁ, ତାହାର ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଅଛି । ନିଟ ଓ ଅନ୍ୟାନ୍ୟ ପରୀକ୍ଷାରେ ଘଟିଥିବା ଅନିୟମିତତା ପାଇଁ ସ୍ୱାଧୀନ ଭାରତବର୍ଷରେ ସବୁଠୁ ବିଫଳ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଗଣାଯିବ ।"

ଏହା ମଧ୍ୟ ପଢନ୍ତୁ:

NEET ପ୍ରଶ୍ନପତ୍ର ପ୍ରଘଟ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

21 ଜୁନ୍ NEET-UG ପୁନଃପରୀକ୍ଷା ଶତ ପ୍ରତିଶତ ତ୍ରୁଟିମୁକ୍ତ କରିବାକୁ ସରକାରଙ୍କ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

NEET ପରୀକ୍ଷା ରଦ୍ଦ ପରେ କଠୋର ନିଷ୍ପତ୍ତି, ଜୀବନ ହାରିଲେ ରାଜସ୍ଥାନର ଜଣେ ଆଶାୟୀ


ଇଟିଭି ଭାରତ, ଭୁବନେଶ୍ବର