ଶରଣକୁଳ ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW, ଗିରଫ କରିବାକୁ କ୍ରାଇମବ୍ରାଞ୍ଚର ଚଢ଼ାଉ
ପୂର୍ବତନ ଆଇଆଇସିଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ହଟାଇବା ପରେ NBW ଜାରି । ରିପୋର୍ଟ: ସତ୍ୟଜିତ ରାଉତ

Published : August 26, 2026 at 11:19 AM IST
NBW Issued ଭୁବନେଶ୍ବର: ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ପାଇଁ ଅଡୁଆ ବଢ଼ିଛି । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଉଠାଇବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋର୍ଟ ସୁଜିତଙ୍କ ବିରୋଧରେ ଗିରଫ ବିହୀନ ଜାମିନ ପରୱାନା (NBW) ଜାରି କରିଛନ୍ତି । ସୁଜିତ ଗିରଫଦାରୀରୁ ବର୍ତ୍ତିବା ପାଇଁ ଫେରାର ଥିବାବେଳେ ତାଙ୍କୁ ଗିରଫ କରିବାକୁ ଆଜି(ବୁଧବାର) କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

ଆଜି (ବୁଧବାର)ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଟିମ୍ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ନିକଟସ୍ଥତ ଏକ ଆପାର୍ଟମେଣ୍ଟରେ ଥିବା ସୁଜିଙ୍କ ବାସଭବନରେ ଚଢ଼ାଉ କରିଥିଲା । ହେଲେ ସୁଜିତଙ୍କୁ ନ ପାଇ ପୋଲିସ ଟିମ୍ ଫେରିଆସିଛି । ଏପରିକି ପରିବାର ସଦସ୍ୟମାନେ ମଧ୍ୟ ସୁଜିତଙ୍କ ବିଷୟରେ କୌଣସି ତଥ୍ୟ ଦେଇନଥିଲେ । ତେବେ ସୁଜିତଙ୍କୁ ଧରିବାକୁ ଟିମ୍ ଆଉ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିବାକୁ ଯୋଜନା କରିଛି ।
ବଢିଲା ପୂର୍ବତନ ଆଇଆଇସିଙ୍କ ପାଇଁ ଅଡୁଆ:
ଯୌନ ନିର୍ଯାତନା ଅଭିଯୋଗରେ ସୁଜିତଙ୍କ ନାମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ମାମଲା ରୁଜୁ କରି ତଦନ୍ତ କରୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁଜିତ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ନିକଟରେ କିଛିଦିନ ତଳେ ହାଜର ହୋଇଥିଲେ । ତେବେ ପୂର୍ବରୁ ସୁଜିତଙ୍କ ଗିରଫଦାରୀ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ତେବେ ଏହି ମାମଲାରେ CAW & CW ଟିମ୍ ତଥ୍ୟ ପ୍ରମାଣ ସମ୍ବଳିତ ଚାର୍ଜଶିଟ ଦାଖଲ କରିଥିଲା । ଏହାପରେ ହାଇକୋର୍ଟ ରହିତାଦେଶ ଉଠାଇଦେବାରୁ ସୁଜିତଙ୍କ ପାଇଁ ଅଡୁଆ ବଢ଼ିଛି ।
ଅଭିଯୋଗ ପରେ ନିଲମ୍ବିତ କରିଥିଲେ DGP:
ଏହି ଘଟଣାରେ ଅଭିଯୋଗ ଆସିବା ପରେ ଜୁନ ୧୮ ତାରିଖରେ ସୁଜିତଙ୍କୁ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW)ର ଜଣେ ଡିଏସ୍ପି ଏହି ଘଟଣାର ତଦନ୍ତ ମଧ୍ୟ କରୁଛନ୍ତି । ତେବେ ଜୁନ ୨୨ ତାରିଖରେ ପୋଲିସ ଡିଜି ସୁଜିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଘଟଣାରେ ଏସ୍ପିଙ୍କ ରିପୋର୍ଟ ଆଧାରରେ ଡିଜିପି ତାଙ୍କୁ ନିଲମ୍ବିତ କରିଥିଲେ । ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ସେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧୀନରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।
ପୂର୍ବତନ ଆଇଆଇସିଙ୍କ ନାଁରେ କଣ ଅଭିଯୋଗ ରହିଛି ?
ପୀଡ଼ିତା ଅଭିଯୋଗ ଅନୁଯାୟୀ, ଏକ ଜାଗା ବିବାଦକୁ ନେଇ ଗ୍ରାମବାସୀଙ୍କ ସହ ତାଙ୍କର ମେ’ ୩ ତାରିଖରେ ଗଣ୍ଡଗୋଳ ହୋଇଥିଲା । ଏନେଇ ସେ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର ଦାସ ତାଙ୍କୁ ଫୋନ କରି ପ୍ରେମ ନିବେଦନ କରୁଥିଲେ । ଏପରିକି ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଘଟଣାର ପ୍ରଘଟ କଲେ ମିଛ କେସରେ ପରିବାର ଲୋକଙ୍କୁ ଫସେଇ ଜେଲ ପଠାଇ ଦେବାର ଧମକ ଦେଇଥିବା ପୀଡ଼ିତା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର

