'ଲୋକ ସେବା ଚାହାନ୍ତି, ନେତାଙ୍କ ପ୍ରବଚନ ନୁହେଁ'; ଚାଷୀ ସମାବେଶରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍
ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ ପ୍ରଦର୍ଶନ । ଧାନ ସଂଗ୍ରହରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତକୁ ନେଇ ବିକ୍ଷୋଭ କରିଛି ଦଳ ।


Published : February 24, 2026 at 3:14 PM IST
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତକୁ ନେଇ ବିକ୍ଷୋଭ କରିଛି ଦଳ । ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ଚାଷୀ ସମାବେଶରେ ଗର୍ଜିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଲୋକ ସେବା ଚାହାନ୍ତି ନେତାଙ୍କ ପ୍ରବଚନ ନୁହେଁ, ବୋଲି କହିଛନ୍ତି ନବୀନ । ସରକାର କାହାଣୀ ନୁହେଁ, କାମ ଦରକାର ବୋଲି ସେ କହିଛନ୍ତି ।
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ବିଜେପି ସରକାର ଖୁବଶୀଘ୍ର ଦୁଇ ବର୍ଷ ପୂରଣ କରିବ । ଏ ସରକାର ନା ଠିକ୍ ନିଷ୍ପତ୍ତି ନେଇପାରୁଛନ୍ତି । ନା କାର୍ଯ୍ୟକାରୀ କରିପାରୁଛନ୍ତି । ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ । ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ କରିଥିଲା । କାଳିଆ ଯୋଜନା ଅଣା ଯାଇଥିଲା । ଚାଷୀକୂଳ ପାଇଁ ଋଣ ସୁବିଧା କରିଥିଲା । ଜଳସେଚନ ସୁବିଧା କରିଥିଲା । କିନ୍ତୁ ଏ ଡବଲ ଇଞ୍ଜିନ ସରକାର କରିଛି କଣ ?"
ବିଜେପି ସରକାରରେ ଚାଷୀଙ୍କୁ ସାର ମିଳିଲା ନାହିଁ । ଧାନ ବି ସରକାର କିଣୁନାହିଁ । ମୋହନ ସରକାରରେ କଟନୀ ଛଟନୀ ବଢ଼ି ଚାଲିଛି । ଚାଷୀ ଠିକ୍ ସମୟରେ ପଇସା ପାଉନାହିଁ । ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି । ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି । ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି । ପ୍ରସ୍ତାବ ଦେଇଥିଲି, କଟନୀ ଛଟନୀ ବନ୍ଦ ପାଇଁ ସ୍ପେସିଆଲ ସ୍କ୍ୱାର୍ଡ କର । ମିଲର ଓ ସରକାରୀ ଅଫିସରଙ୍କ ନେକ୍ସସ୍ୱ ଭାଙ୍ଗ । ଇନପୁଟ ସବସିଡିରୁ 150 କ୍ବିଣ୍ଟାଲ ସିଲିଂ ଉଠାଅ । 48 ଘଣ୍ଟାରେ DBTରେ ଚାଷୀକୁ ପଇସା ଦିଅ । ଖୋଲାରେ ପଡ଼ିଥିବା ଧାନକୁ 72 ଘଣ୍ଟାରେ କିଣାଯାଉ ।
ଦୁଃଖର କଥା ଚିଠି ଲେଖିବାର 15 ଦିନ ବିତିଗଲା । କିନ୍ତୁ କିଛି ହେଲାନାହିଁ । ବିଜେପି ସରକାରର ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି । କିନ୍ତୁ ଚାଷୀଙ୍କ ପାଇଁ ନାହିଁ ? ଗତ ଆଠ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭାରେ ଲଢୁଛି । କିନ୍ତୁ ଏ ସରକାରର ଚାଷୀ ପ୍ରତି ଖାତିର ହିଁ ନାହିଁ । ସ୍ଲୋଗାନରେ ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ । ଆଇନ ଶୃଙ୍ଖଳା କଥା ନ କହିବା ଭଲ । ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ୍ ପାଉନାହିଁ । ମା'ମାନଙ୍କୁ ସୁରକ୍ଷା ମିଳୁନାହିଁ । ଯୁବ ସମାଜକୁ ରୋଜଗାର ମିଳୁନାହିଁ । ସବୁ ପରୀକ୍ଷାରେ ପେପର ଲିକ୍ । ବିଜେପି ସରକାର ଗୋଟେ ପରୀକ୍ଷା ସଠିକ ଢଙ୍ଗରେ ପରିଚାଳନା କରିପାରିନାହାନ୍ତି ।

ସାଧାରଣ ଲୋକର ଦୁଃଖ ସରୁନାହିଁ । ଏ ସରକାର କରୁଛି କ'ଣ ? ଲୋକଙ୍କୁ ସେବା ଦରକାର । ନେତାଙ୍କ ପ୍ରବଚନ ନୁହେଁ । କାହାଣୀରେ ସରକାର ଚାଲେ ନାହିଁ । କାମ ଦରକାର । ବିଜୁ ଜନତା ଦଳ ଚାଷୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବେ । ଆଉ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ ହଜେଇ ଦେବା ।
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ରାଜ୍ୟରେ ଚାଷୀଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ଅସୁରକ୍ଷିତ । ବିଜେପି ସରକାରରେ କୃଷକ ଶୋଷିତ ଓ ଅତ୍ୟାଚାରିତ । ମହିଳାଙ୍କୁ କୌଣସି ସୁରକ୍ଷା ଦେଉନାହାନ୍ତି ସରକାର । ସ୍କୁଲ ଏବଂ କଲେଜରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ମିଳୁନାହିଁ । ତେଣୁ ସାରା ଓଡ଼ିଶାରୁ ହଜାର ହଜାର ଚାଷୀ ନେତା ଏକଜୁଟ ହୋଇଛନ୍ତି । ଗାନ୍ଧୀ ମାର୍ଗରେ ସରକାରଙ୍କ ବିରୋଧରେ ସେମାନେ ନିଜର କ୍ରୋଧ ପ୍ରକଟ କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି । ବିଜେପି ସରକାର ପ୍ରତିବାଦ ଶୁଣୁନାହାନ୍ତି । ଆଲୋଚନା କରିବାକୁ ରାଜି ହେଉନାହାନ୍ତି । ସମସ୍ୟା ସମାଧାନ ବଦଳରେ ଅସତ୍ୟ ଭାଷଣ କେବଳ ଦେଉଛନ୍ତି ।"
ବିଜେଡିର ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, "ଚାଷୀ ସମସ୍ୟା ନେଇ ଦଳ କରୁଛି ବିକ୍ଷୋଭ । ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ ସମସ୍ୟା ନେଇ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ବିଧାନସଭାକୁ ମଧ୍ୟ ଭ୍ରମିତ କରୁଛନ୍ତି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି । ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁରେ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର କାଟିଛନ୍ତି ।"
ପୂର୍ବତନ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ଚାଷୀ ଭାଇ ଆଜି ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପୂରା ବିଗିଡ଼ି ଯାଇଛି । ଓଡ଼ିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି ।"

ସେହିପରି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, "ଓଡ଼ିଶାବାସୀଙ୍କୁ ହଇରାଣ କରିବା ପାଇଁ ଏ ସରକାର ଗାଦିରେ ବସିଛନ୍ତି । ରାଜ୍ୟର ଚାଷୀ ଭାଇମାନେ କାନ୍ଦୁଛନ୍ତି । ନାରୀମାନଙ୍କ ଉପରେ ନିର୍ଯାତନା ବଢିବାରେ ଲାଗିଛି । ଏ ସରକାର ପୁରା ଫେଲ ।"
ଅନ୍ୟପକ୍ଷରେ ବିରୋଧୀ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ବିଜେପି ବିଧାନସଭାରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଏବଂ ବିଜେଡି 'ପଳାୟନବାଦୀ ମନୋଭାବ' ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି। "ମୁଁ ବିରୋଧୀ ଦଳ ନେତାଙ୍କୁ ବିତର୍କ ପାଇଁ ଆସିବାକୁ ଅନୁରୋଧ କରୁଛି ଏବଂ ତାଙ୍କୁ ଗୃହରେ ଖୋଲା ଆଲୋଚନାରେ ଅଂଶଗ୍ରହଣ କରିବାକୁ ଚ୍ୟାଲେଞ୍ଜ କରୁଛି । ସେ କ'ଣ ନିଜ ଛାତିରେ ହାତ ରଖି କହିପାରିବେ ଯେ ବିଜେଡି ସରକାର ସମୟରେ କୌଣସି କଟନି-ଛଟନି ହୋଇନଥିଲା? ଚାଷୀ ପ୍ରସଙ୍ଗରେ ବିଧାନସଭାରେ ଏଲଓପି 15 ମିନିଟ୍ ପାଇଁ ମଧ୍ୟ କହିପାରି ନଥିଲେ," ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ମୁଣ୍ଡରେ ଧାନ ବସ୍ତା ରଖି ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ଏହା ମଧ୍ୟ ପଢ଼ନ୍ତୁ- 24ରେ ଭୁବନେଶ୍ୱରରେ ବିଜେଡିର ଚାଷୀ ସମାବେଶ
ଇଟିଭି ଭାରତ, ଭୁବନେଶ୍ବର

