ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି; ଓଡ଼ିଶାର ସ୍ୱାର୍ଥ ପାଇଁ ଠିଆ ହେବାକୁ ଆହ୍ବନ ଦେଲେ ନବୀନ, କଡ଼ା ଜବାବ ରଖିଲା ବିଜେପି
ନୂଆ ଖଣି ଆଇନକୁ ବିରୋଧୀ କରିବା ପାଇଁ ବିଜେପି ସାଂସଦମାନଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ ।ଓଡ଼ିଶାର ସ୍ୱାର୍ଥ ପାଇଁ ଠିଆ ହେବାକୁ ଅପିଲ୍ କରିଛନ୍ତି ସେ । ରିପୋର୍ଟ-ଭବାନୀ ଶଙ୍କର ଦାସ

Published : August 29, 2026 at 2:27 PM IST
ଭୁବନେଶ୍ବର: 'ଇତିହାସ ସେମାନଙ୍କୁ ମନେ ରଖେ ଓ ସମ୍ମାନ କରେ, ଯେଉଁମାନେ ଅନ୍ୟାୟ ହେଲେ ନିଜ ଲୋକ ଓ ସେମାନଙ୍କ ସମ୍ପଦ ପାଇଁ ସ୍ୱର ଉଠାନ୍ତି । ଓଡ଼ିଶା ପାଇଁ ଏହି ଐତିହାସିକ ମୁହୂର୍ତ୍ତରେ ସାଂସଦମାନେ ଦଳୀୟ ସମର୍ଥନ ଅପେକ୍ଷା ଓଡ଼ିଶାର ସ୍ୱାର୍ଥ ପାଇଁ କେଉଁ ଭୂମିକା ନେଉଛନ୍ତି, ତାହା ହିଁ ଇତିହାସ ବିଚାର କରିବ ।' ମାଇନ୍ସ ଆଣ୍ଡ୍ ମିନେରାଲ୍ସ ଆମେଣ୍ଡମେଣ୍ଟ ବିଲ୍, ୨୦୨୬କୁ ବିରୋଧୀ କରିବା ପାଇଁ ବିଜେପି ସାଂସଦ ମାନଙ୍କୁ ଏଭଳି ଚିଠି ଲେଖି ଆହ୍ୱାନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ନିଷ୍ପତ୍ତି ସାଂସଦମାନଙ୍କ ବିବେକ ଓ ବିଚାର ଉପରେ ଛାଡ଼ିଛନ୍ତି ନବୀନ ।
Appealing Hon’ble BJP MPs of #Odisha to challenge and call for a reversal of the amendment made in the #MMDR Act that takes away the powers of the Odisha Govt. Our Parliament is the highest temple of Indian democracy. As a member of Parliament, you are the voice of Odisha in this… pic.twitter.com/CPtGoFi1CL
— Naveen Patnaik (@Naveen_Odisha) August 29, 2026
ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ୍) ଆମେଣ୍ଡମେଣ୍ଟ ବିଲ୍, ୨୦୨୬କୁ ନେଇ ରାଜନୈତିକ ତାତି ବଢ଼ିଛି । ଏହି ବିଲ୍କୁ ଲୋକସଭାରେ ସମର୍ଥନ କରିଥିବା ଓଡ଼ିଶାର ବିଜେପି ସାଂସଦମାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିଜ ବିବେକର କଥା ଶୁଣିବା ସହ ଓଡ଼ିଶାର ସ୍ୱାର୍ଥ ପାଇଁ ଠିଆ ହେବାକୁ ଅପିଲ୍ କରିଛନ୍ତି ବିଜେଡି ସଭାପତି । ରାଜ୍ୟ ସରକାରଙ୍କ କ୍ଷମତାକୁ ହ୍ରାସ କରୁଥିବା ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସେ ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଓଡ଼ିଶା ପାଇଁ ଅଗଷ୍ଟ ୧୩ କଳା ଦିନ’ । କାରଣ ଏହି ଦିନ ଓଡ଼ିଶା ବିରୋଧୀ ବିଲକୁ କେନ୍ଦ୍ର ସରକାର ପାର୍ଲିଆମେଣ୍ଟରେ ପାରିତ କରିଛନ୍ତି । ମାଇନ୍ସ ଆଣ୍ଡ ମିନେରାଲ୍ସ ଆମେଣ୍ଡମେଣ୍ଟ ବିଲ୍, ୨୦୨୬ ଓଡିଶା ବିରୋଧୀ । ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର କ୍ଷୁଣ୍ଣ ହେଉଛି । ଏହା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି କ୍ରମରେ ନବୀନ ଆଜି ବିଜେପି ସାଂସଦଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାର ବିଜେପି ସାଂସଦମାନଙ୍କୁ ନିଜ ବିବେକର କଥା ଶୁଣିବାକୁ ନବୀନ ଅନୁରୋଧ କରିଛନ୍ତି । ଏମଏମଡିଆର୍ ଆଇନ ସଂଶୋଧନ ପ୍ରତ୍ୟାହାର ପାଇଁ ପୁନର୍ବାର ଅପିଲ୍ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

ନବୀନ ଚିଠିରେ ଦର୍ଶାଇଛନ୍ତି, "ଭାରତୀୟ ସଂସଦ ହେଉଛି ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର । ସାଂସଦ ଭାବେ ଓଡ଼ିଶାର ଲୋକଙ୍କ ସ୍ୱର ଭାବେ ସେମାନେ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି । ଓଡ଼ିଶାବାସୀ ସେମାନଙ୍କୁ ନିଜ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ଭରସା କରି ସଂସଦକୁ ପଠାଇଛନ୍ତି । ତେଣୁ ଓଡ଼ିଶାର ଲୋକଙ୍କ ଉପରେ ଦୂରଗାମୀ ପ୍ରଭାବ ପକାଇପାରୁଥିବା ଏକ ଆଇନକୁ ସେମାନେ ସମର୍ଥନ କରିଥିବା ନେଇ ନବୀନ ଉଦ୍ବେଗ ପ୍ରକାଶ କରିଛନ୍ତି ।
‘ଅଗଷ୍ଟ ୧୩ ଓଡ଼ିଶା ପାଇଁ କଳା ଦିନ’:
ଅଗଷ୍ଟ ୧୩ ତାରିଖକୁ ଓଡ଼ିଶା ପାଇଁ ଏକ ‘କଳା ଦିନ’ ଭାବେ ନବୀନ ଅଭିହିତ କରିଛନ୍ତି । ସେହି ଦିନ ଲୋକସଭାରେ ଏମଏମଡିଆର୍ ଆମେଣ୍ଡମେଣ୍ଟ ବିଲ୍, ୨୦୨୬ ପାରିତ ହୋଇଥିଲା । ମାତ୍ର ୧୦ ମିନିଟରୁ କମ ସମୟର ଆଲୋଚନା ପରେ ବିଲଟି ପାରିତ ହୋଇଛି । ଏହି ବିଲର ବ୍ୟବସ୍ଥା ଓଡ଼ିଶାର ଲୋକଙ୍କ ଉପରେ ଦୂରଗାମୀ ପ୍ରଭାବ ପକାଇବ ।

MMDR ସଂଶୋଧନ ବିଲ୍ କଣ ?
ଦେଶର ମୋଟ ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶାରେ ରହିଛି । ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ନିଜର ଖଣିଜ ସମ୍ପଦ ମାଧ୍ୟମରେ ଦେଶର ଇସ୍ପାତ, ବିଦ୍ୟୁତ, ଖଣି ଓ ଭିତ୍ତିଭୂମି କ୍ଷେତ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅବଦାନ ଯୋଗୁଁ ଦେଶ ଆଜି ଅଧିକ ଶକ୍ତିଶାଳୀ ହୋଇଛି । ଏହି ଆଇନ ପ୍ରଭାବରେ ଓଡ଼ିଶାକୁ ବାର୍ଷିକ ୧୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇପାରେ । ଏହାଠାରୁ ବଡ଼ କ୍ଷତି ହେଉଛି, ନିଜ ଖଣିଜ ସମ୍ପଦ ଏବଂ ଖଣିଜ ସମୃଦ୍ଧ ଜମି ଉପରେ ରାଜ୍ୟର ନିୟନ୍ତ୍ରଣକୁ ଏକ ଆଇନଗତ ପରିବର୍ତ୍ତନ ମାଧ୍ୟମରେ ହଟାଇ ଦିଆଯାଇଛି । ଏହି ପରିବର୍ତ୍ତନ ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ପ୍ରଭାବିତ କରିବ ।
ପରିବେଶ ଓ ବିସ୍ଥାପନକୁ ନେଇ ଚିନ୍ତା :
ନବୀନ ଚିଠିରେ କେବଳ ରାଜସ୍ୱ କ୍ଷତିର କଥା ଉଠାଇନାହାନ୍ତି । ଖଣି ଖନନ ଯୋଗୁଁ ହେଉଥିବା ପ୍ରଦୂଷଣ, ବିସ୍ଥାପନ, ପରିବେଶ ଅବକ୍ଷୟ ଏବଂ ଖଣିଜ କାର୍ଯ୍ୟକଳାପ ସହ ଜଡ଼ିତ ବିପଦ ଓ ଦୁର୍ଦ୍ଦଶା ମଧ୍ୟ ଓଡ଼ିଶାର ଲୋକଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ଏହାର ସିଧାସଳଖ ପ୍ରଭାବ ରାଜ୍ୟର ଶିଶୁ ଓ ଯୁବପିଢ଼ିର ଭବିଷ୍ୟତ ଉପରେ ପଡ଼ିବ ବୋଲି ସେ ଆଶଙ୍କା କରିଛନ୍ତି । ଏହା କେବଳ ଏକ ଆଇନର ପ୍ରସଙ୍ଗ ନୁହେଁ । ଏହା ଏକ ସଶକ୍ତ ଓଡ଼ିଶା ଗଠନର ସ୍ୱପ୍ନ ସହ ଜଡ଼ିତ । ନିଜର ଭବିଷ୍ୟତ ନିଜେ ନିର୍ଦ୍ଧାରଣ କରିବା ପାଇଁ ଓଡ଼ିଶାର ଯେଉଁ ଆତ୍ମବିଶ୍ୱାସ ଓ ସମ୍ପଦ ରହିଛି । ସେଥିରେ ଏହି ଆଇନ ଆସିବା ଅନ୍ୟାୟ ।
ବିଜେପି ସାଂସଦଙ୍କୁ ନବୀନଙ୍କ ଆହ୍ୱାନ :
ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦମାନଙ୍କୁ ନିଜ ବିବେକର କଥା ଶୁଣିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ କ୍ଷମତାକୁ ହଟାଇ ଦେଉଥିବା ଏମଏମଡିଆର୍ ଆଇନର ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ଆହ୍ୱାନ ଦେବାକୁ ସେ କହିଛନ୍ତି । ଇତିହାସ ସେମାନଙ୍କୁ ମନେ ରଖେ ଓ ସମ୍ମାନ କରେ, ଯେଉଁମାନେ ଅନ୍ୟାୟ ହେଲେ ନିଜ ଲୋକ ଓ ସେମାନଙ୍କ ସମ୍ପଦ ପାଇଁ ସ୍ୱର ଉଠାନ୍ତି । ଓଡ଼ିଶା ପାଇଁ ଏହି ଐତିହାସିକ ମୁହୂର୍ତ୍ତରେ ସାଂସଦମାନେ ଦଳୀୟ ସମର୍ଥନ ଅପେକ୍ଷା ଓଡ଼ିଶାର ସ୍ୱାର୍ଥ ପାଇଁ କେଉଁ ଭୂମିକା ନେଉଛନ୍ତି, ତାହା ହିଁ ଇତିହାସ ବିଚାର କରିବ । ଶେଷରେ ଏହି ନିଷ୍ପତ୍ତି ସାଂସଦମାନଙ୍କ ବିବେକ ଓ ବିଚାର ଉପରେ ଛାଡ଼ିଛନ୍ତି ନବୀନ ।
କଡ଼ା ଜବାବ ରଖିଲା ବିଜେପି:
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସାଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି," MMDR ସଂଶୋଧନ ବିଲ୍, ୨୦୨୬ କୁ ନେଇ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠି ପଢ଼ିବା ପରେ ଆଶ୍ଚର୍ଯ୍ୟ ଲାଗୁଛି, ସତ୍ୟକୁ ଲୁଚାଇ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍ କି ? ସତ୍ୟ କଥା ପ୍ରକାଶ କରିବା ପାଇଁ ଆପଣଙ୍କର ସଙ୍କୋଚ କାହିଁକି ? MMDR ସଂଶୋଧନ ଆଇନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି । ନୂତନ ଆଇନ ଦ୍ୱାରା ଖଣି ରାଜସ୍ୱର ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ, ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ ଓ ରାଜ୍ୟ ରାଜସ୍ୱକୁ ସୁରକ୍ଷିତ କରିବା ସହ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ । ମୋଦୀ ସରକାରଙ୍କ ସ୍ୱଚ୍ଛ ଇ-ନିଲାମ ନୀତି ଯୋଗୁଁ ରାଜ୍ୟର ଖଣି ରାଜସ୍ୱ ୫,୦୦୦ କୋଟିରୁ ୫୦,୦୦୦ କୋଟିରେ ପହଞ୍ଚିଛି। ୨୦୧୫ରୁ ଆଜି ପର୍ଯ୍ୟନ୍ତ ଡିଏମଏଫ ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳ ବିକାଶ ପାଇଁ ୩୭,୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏହି ବିଲକୁ ସମର୍ଥନ କରିଛନ୍ତି । ବିରୋଧୀ ଦଳ ନେତା ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ଏହି ଐତିହାସିକ ଆଇନକୁ ସମର୍ଥନ କରିବା ଦରକାର । "
MMDR ସଂଶୋଧନ ବିଲ୍, ୨୦୨୬ କୁ ନେଇ ଓଡ଼ିଶାର ବିରୋଧୀ ଦଳ ନେତା @Naveen_Odisha ଲେଖିଥିବା ଚିଠିପଢ଼ିବା ପରେ ଆଶ୍ଚର୍ଯ୍ୟ ଲାଗୁଛି, ସତ୍ୟକୁ ଲୁଚାଇ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍ କି ? ସତ୍ୟ କଥା ପ୍ରକାଶ କରିବା ପାଇଁ ଆପଣଙ୍କର ସଙ୍କୋଚ କାହିଁକି?
— Dharmendra Pradhan (@dpradhanbjp) August 29, 2026
MMDR ସଂଶୋଧନ ଆଇନ ପ୍ରଧାନମନ୍ତ୍ରୀ… pic.twitter.com/zyZHjsvt4b
ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି," ଓଡ଼ିଶାରେ ବିରୋଧୀଙ୍କ ଏହି ଆଭିମୁଖ୍ୟ ଏକ ଅସ୍ୱସ୍ତିକର ରାଜନୈତିକ ପ୍ରଶ୍ନ ଉଠାଉଛି । ଆଜି ଯେଉଁମାନେ ସଂସ୍କାରକୁ ବିରୋଧ କରୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଅସହଜ ପ୍ରଶ୍ନ । ଯେଉଁ ରାଜନୈତିକ ବ୍ୟବସ୍ଥା ଓଡ଼ିଶା ଓ କେନ୍ଦ୍ରରେ ଶାସନ କରୁଥିବା ସମୟରେ ରାଜ୍ୟର ବ୍ୟାପକ ଖଣି ଅନିୟମିତତା ସାମ୍ନାକୁ ଆସିଥିଲା, ସେହି ରାଜନୈତିକ ପରିବେଶ ଆଜି ଓଡ଼ିଶାକୁ ଖଣିଜ ପରିଚାଳନା ବିଷୟରେ ଉପଦେଶ ଦେଉଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏମ୍.ବି. ଶାହ କମିସନ ଓଡ଼ିଶାରେ ଲୁହାପଥର ଓ ମାଙ୍ଗାନିଜ୍ ଖଣିଜର ବେଆଇନ ଉତ୍ତୋଳନର ମୂଲ୍ୟ ପ୍ରାୟ ୫୯,୨୦୦ କୋଟି ଟଙ୍କା ବୋଲି ଆକଳନ କରିଥିଲେ । ଏହି ଅର୍ଥ ଆଦାୟ କରିବାକୁ ସୁପାରିସ କରିଥିଲେ । ସେତେବେଳେ ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ବିରୋଧ କରିଥିଲା । ସରକାରର ଯୁକ୍ତି ଥିଲା ଯେ, ରାଜ୍ୟର ତଦନ୍ତକାରୀ ସଂସ୍ଥା ନିଜେ ଏହି ମାମଲାର ତଦନ୍ତ କରୁଛି । ଖଣି ଅନିୟମିତତା ଯୋଗୁଁ ଚିହ୍ନଟ ହୋଇଥିବା ରାଜସ୍ୱ କ୍ଷତିର ସମ୍ପୂର୍ଣ୍ଣ ଭରଣା କରିବାରେ ମଧ୍ୟ ଓଡ଼ିଶା ବିଫଳ ହୋଇଥିଲା ।"
ସେ ଆହୁରି କହିଛନ୍ତି," ଖଣି ବିବାଦରେ ଅଭିଯୁକ୍ତ କେତେକ କମ୍ପାନୀ ତତ୍କାଳୀନ ଶାସକ ଦଳକୁ ରାଜନୈତିକ ଚାନ୍ଦା ଦେଇଥିବା ଅଭିଯୋଗ ରହିଛି । ଯେତେବେଳେ ବ୍ୟାପକ ଭାବେ ଖଣିଜ ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା, ସେତେବେଳେ କ୍ଷମତାରେ ଥିବା ଲୋକମାନେ ଜନସାଧାରଣଙ୍କ ରାଜସ୍ୱକୁ ପର୍ଯ୍ୟାପ୍ତ ଭାବେ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଆଉ ଆଜି ଯେତେବେଳେ ନରେନ୍ଦ୍ର ମୋଦୀ ସରକାର ସ୍ୱଚ୍ଛ ନିଲାମ ପ୍ରକ୍ରିୟା, ପ୍ରତିଯୋଗିତାମୂଳକ ବିଡିଂ ଏବଂ ରାଜସ୍ୱରେ ପୂର୍ବାନୁମାନଯୋଗ୍ୟତା ଆଣୁଛି, ସେହି ରାଜନୈତିକ ଶକ୍ତିମାନେ ସଂଘୀୟ ବ୍ୟବସ୍ଥା ନେଇ ଆଶଙ୍କା ପ୍ରକାଶ କରୁଛନ୍ତି । ଓଡ଼ିଶାର ଭବିଷ୍ୟତ ପାଇଁ ଏହା ଏକ ବିଶ୍ୱସନୀୟ ଯୁକ୍ତି ନୁହେଁ ।"

ସେହିପରି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି,"ଭାରତୀୟ ଜନତା ପାର୍ଟିରେ ଯିଏ କାର୍ଯ୍ୟ କରନ୍ତି ସମସ୍ତେ ଆଗ ମାଟି ପାଇଁ କାମ କରନ୍ତି । ନବୀନ ବାବୁଙ୍କ ଉପଦେଶ ଆମକୁ ଦରକାର ନାହିଁ । ଭାରତୀୟ ଜନତା ପାର୍ଟି ପାଇଁ ପ୍ରଥମେ ଦେଶ, ପରେ ପାର୍ଟି ଶେଷରେ ବ୍ୟକ୍ତି । ଯେତେବେଳେ ମାଟିର କଥା ଆସେ ସେତେବେଳେ ଭାରତୀୟ ଜନତା ପାର୍ଟି ବୁଝିକି କାର୍ଯ୍ୟ କରେ । ଏଥିପାଇଁ ନବୀନ ବାବୁଙ୍କ ଉପଦେଶ ଦରକାର ନାହିଁ । ରାଜ୍ୟର ସ୍ବାର୍ଥ ବଳି ପଡୁଛି କି ନାହିଁ ପ୍ରଥମେ ପଢନ୍ତୁ ପରେ ମତାମତ ରଖନ୍ତୁ । ରାଜ୍ୟର କୌଣସି କ୍ଷତି ହେବ ନାହିଁ । 2014 ମସିହାରେ କୌଣସି କ୍ଷତି ହେଉନଥିଲା ଏବେ ରାଜ୍ୟର 50 ହଜାର କୋଟି ଟଙ୍କା ଲାଭ ହେଉଛି । ଗୋଟିଏ ଦେଶରେ ଗୋଟିଏ ଆଇନ ରହିବ ଏଥିରେ କ୍ଷତି ନୁହେଁ ଲାଭ ହେବ । MMDR ଆକ୍ଟକୁ ଭଲ ଭାବେ ଅଧ୍ୟୟନ କରନ୍ତୁ । ବିରୋଧୀ ଦଳ ତାଙ୍କ କାର୍ଯ୍ୟ କରିବେ ସେମାନେ ବିରୋଧ କରିବେ । ରାଜ୍ୟ ଆଗକୁ ଯିବା ସହ ଦେଶ ଆଗକୁ ଯିବ। ଦୁଇଟି ଯାକକୁ ଦେଖି ଏହି ଆକ୍ଟ ହୋଇଛି । ଏଥିରେ ରାଜ୍ୟ ଏବଂ ଦେଶର ସ୍ବାର୍ଥ ରହିଛି । ଉଭୟକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର

