No PUCC-No Fuel ନୀତିରେ ଅବ୍ୟବସ୍ଥା; ବିଜେପି ସରକାରକୁ ଘେରିଲେ ନବୀନ
'ଓଡ଼ିଶାର ଲୋକେ ଏହାଠାରୁ ଭଲ ଶାସନ ପାଇବାର ଅଧିକାରୀ। ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ ହେଲେ ମଧ୍ୟ ତାହା ସାଧାରଣ ନାଗରିକଙ୍କୁ ହଇରାଣ କରିବାର ମାଧ୍ୟମ ହେବା ଉଚିତ୍ ନୁହେଁ ।'

Published : January 9, 2026 at 3:04 PM IST
|Updated : January 9, 2026 at 3:36 PM IST
ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (Pollution Under Control Certificate-PUCC) ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନେଇ ବିଜେପି ସରକାରଙ୍କ ଭୂମିକାକୁ କଡା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, “No PUCC, No Fuel” ନିୟମକୁ ହଠାତ୍ ଲାଗୁ କରିବା ସରକାରଙ୍କ ଅପରିପକ୍ୱ ନୀତି ଓ ଅପର୍ଯ୍ୟାପ୍ତ ପ୍ରସ୍ତୁତିର ଦୃଷ୍ଟାନ୍ତ।
ନବୀନ ଏ ନେଇ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୨୦୨୬ ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ କରିବା ଘୋଷଣା ପରେ ରାଜ୍ୟର ବିଭିନ୍ନ PUCC ପରୀକ୍ଷଣ କେନ୍ଦ୍ରରେ ଭାରି ଭିଡ଼ ସୃଷ୍ଟି ହୋଇଥିଲା। ଏହି ନିୟମ ଲାଗୁ କରିବା ପୂର୍ବରୁ ବିଜେପି ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରସ୍ତୁତି କରା ଯାଇ ନ ଥିଲା। PUC ପରୀକ୍ଷଣ କେନ୍ଦ୍ରର ସଂଖ୍ୟା ବୃଦ୍ଧି, ଆଗୁଆ ପରିକଳ୍ପନା କିମ୍ବା ଆବଶ୍ୟକ ସଚେତନତା ଅଭିଯାନ କୌଣସିଟି ମଧ୍ୟ କରାଯାଇନଥିଲା" ବୋଲି ନବୀନ କହିଛନ୍ତି |
The BJP government's handling of the Pollution Under Control (PUC) Certificate enforcement has been marked by gross mismanagement and repeated policy flip-flops that have caused immense hardships, and inconvenience to the common people of Odisha. What started as a sudden…
— Naveen Patnaik (@Naveen_Odisha) January 9, 2026
ସେ ଆହୁରି କହିଛନ୍ତି, ଲୋକଙ୍କ ଅସନ୍ତୋଷ ବଢ଼ିବା ପରେ ସରକାର ବାରମ୍ବାର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ନିୟମ କାର୍ଯ୍ୟକାରୀ କରିବାକୁ ପ୍ରଥମେ ଫେବୃଆରୀ ୧ ଓ ପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ସମ୍ପ୍ରତି ୨୦୨୬ ଏପ୍ରିଲ୍ ୧ ପର୍ଯ୍ୟନ୍ତ ଜରିମାନା ଓ ଟୋଲ୍ଗେଟ୍ରେ ଇ-ଡିଟେକ୍ସନ୍ ବନ୍ଦ ରଖିବା ଘୋଷଣା କରାଯାଇଛି। ପୁନର୍ବାର ଗୁରୁବାର ରାତିରେ ପରିବହନ ବିଭାଗରୁ ନିର୍ଦେଶନାମା ଜାରି ହୋଇଛି ଯେ, ଆସନ୍ତା ଏପ୍ରିଲ ୧ ତାରିଖ ଯାଏ ଟୋଲଗେଟମାନଙ୍କରେ ମଧ୍ୟ PUCC ନଥିଲେ କୌଣସି ଜରିମାନା ନିଆ ଯିବନାହିଁ । ଏଥି ସହିତ ଇ-ଡେ଼ଟେକ୍ସନ ମଧ୍ୟ ବନ୍ଦ ରହିବ ।
'ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ, ହେଲେ ଏହା ଲୋକଙ୍କୁ ହଇରାଣ କରିବାର ମାଧ୍ୟମ ହେବା ଉଚିତ୍ ନୁହେଁ'
ପରିବେଶ ସୁରକ୍ଷା ଆବଶ୍ୟକ ବୋଲି ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାର ଲୋକେ ଏହାଠାରୁ ଭଲ ଶାସନ ପାଇବାର ଅଧିକାରୀ। ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ ହେଲେ ମଧ୍ୟ ତାହା ସାଧାରଣ ନାଗରିକଙ୍କୁ ହଇରାଣ କରିବାର ମାଧ୍ୟମ ହେବା ଉଚିତ୍ ନୁହେଁ ।"
ବିଜୁ ଜନତା ଦଳ ସବୁ ସମୟରେ ଲୋକଙ୍କ ସହ ରହିଛି ଓ PUCC ପରୀକ୍ଷଣ ବ୍ୟବସ୍ଥାକୁ ସରଳ କରିବା, କେନ୍ଦ୍ର ସଂଖ୍ୟା ବଢ଼ାଇବା ଓ ଏହି ସମୟରେ କୌଣସି ଅନ୍ୟାୟ ଜରିମାନା ନ ଲାଗୁ କରିବାକୁ ସେ ଦାବି କରିଛନ୍ତି।" ମୁଁ ବିଜେପି ସରକାରଙ୍କୁ ଏହି ଭୁଲରୁ ଶିଖିବା ଏବଂ ହଠାତ୍ ନିଷ୍ପତ୍ତି ନେବା ପରିବର୍ତ୍ତେ ଓଡ଼ିଶାର ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବାକୁ ଅନୁରୋଧ କରୁଛି " ବୋଲି ନବୀନ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି ।
ଓଡିଶା ସରକାର ସବୁ ଗାଡିମାନଙ୍କରେ PUCC କୁ ବାଧ୍ୟତା ମୂଳକ କରିବା ପାଇଁ ଜାନୁଆରୀ ୧ ରୁ 'No PUCC No Fuel ' ନିୟମ ଲାଗୁ କରିଥିଲେ । ସରକାରଙ୍କର ଏହି ନିର୍ଦ୍ଦେଶ ପରେ PUCC ଆଣିବା ପାଇଁ ପ୍ରଦୂଷଣ ଯାଞ୍ଚ ଗାଡି ପାଖରେ ଗାଡିଚାଳକ ମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ପିୟୁସି ସାର୍ଟିଫିକେଟ ବାଧ୍ୟତାମୂଳକ କରିବା ପରି ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବ୍ୟାନ, ନୋ ହେଲମେଟ ନୋ ପେଟ୍ରୋଲ ଆଦି ନିୟମ ଲାଗୁ କରିଥିଲେ ରାଜ୍ୟ ସରକାର। କିନ୍ତୁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନଥିବାରୁ ଏସବୁ ନିୟମ ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରି ନ ଥିଲା । ଯାହା ଫଳରେ ଲୋକେ ଦିନ କେଇଟା ପରେ ସମସ୍ତ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଗଲେ । ତେବେ ଏହି ନିୟମର ଯେ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ପ୍ରଦୂଷଣ ଯାଞ୍ଚ ଭ୍ୟାନ୍ ଆଗରେ ପ୍ରବଳ ଭିଡ଼...ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ଗାଡି ଚାଳକ
ଏହା ମଧ୍ୟ ପଢନ୍ତୁ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି: ଫେବୃଆରୀ 1 ପର୍ଯ୍ୟନ୍ତ ବଢିଲା PUCC ଅବଧି

