ରାଜ୍ୟରେ ସୃଷ୍ଟି କରାଯିବ ବାଉଁଶ ବଣ; ଭାରତ ସରକାରଙ୍କ ପାଖରେ ୩୨ କୋଟିର ପ୍ରସ୍ତାବ
ଜାତୀୟ ବାଉଁଶ ସମ୍ମିଳନୀ 2026 । ପୁଣିଥରେ ଓଡ଼ିଶାରେ ବାଉଁଶ ଜଙ୍ଗଲ ସୃଷ୍ଟି କରି ଗ୍ରାମ୍ୟ ଅର୍ଥନୀତିକୁ ଆଗକୁ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

Published : January 9, 2026 at 7:01 PM IST
Bamboo Forests ଭୁବନେଶ୍ବର: ଗ୍ରାମ୍ୟାଞ୍ଚଳରେ ଲକ୍ଷାଧିକ ପରିବାର ପାଇଁ ସ୍ଥାୟୀ ଜୀବିକାର ମାଧ୍ୟମ ଅଟେ ଗ୍ରୀନ ଗୋଲ୍ଡ ବା ବାଉଁଶ । ପରିବେଶ ସୁରକ୍ଷା ସହ ଗ୍ରାମ୍ୟ ଜୀବିକା ଓ ସବୁଜ ଅର୍ଥନୀତିରେ ବାଉଁଶର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତର ସବୁଜ ଅର୍ଥନୀତିର ଏକ ପ୍ରମୁଖ ଶକ୍ତି ବାଉଁଶ । ଏବେ ଧିରେ ଧିରେ ବାଉଁଶ ଜଙ୍ଗଲ ଅବକ୍ଷୟ ହେବାକୁ ବସିଛି । ପୁଣିଥରେ ଗ୍ରୀନ ଗୋଲ୍ଡ ଜଙ୍ଗଲ ସୃଷ୍ଟି କରି ଗ୍ରାମ୍ୟ ଅର୍ଥନୀତିକୁ ଆଗକୁ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଜାତୀୟ ବାମ୍ବୋ ମିଶନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପାଖରେ ୩୨ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ।
ବାଉଁଶ ଗଛ ପାଇଁ ୩୨ କୋଟି ପ୍ରସ୍ତାବ:
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ଓଡ଼ିଶାରେ ବାଉଁଶର ଆବଶ୍ୟକତା ସବୁଠାରୁ ଅଧିକ ରହିଛି । ବାଉଁଶକୁ ନେଇ ଦେଶ ବିଦେଶରେ ଓଡିଶା ପ୍ରଚାର ପ୍ରସାର କରୁଛି । ଏହାଦ୍ୱାରା ଲୋକଙ୍କ ରୋଜଗାର ବଢିବା ସହିତ ସେମାନେ ନିଜେ କିଭଳି ଆତ୍ମନିର୍ଭରଶୀଳ ହେବେ ଓ ଅନ୍ୟମାନଙ୍କୁ କିଭଳି ରୋଜଗାର ଦେଇପାରିବେ ସେନେଇ ଯୋଜନା କରାଯାଉଛି । ପୂର୍ବରୁ ଲୋକକଥା ରହିଛି ଯେ, ବାଉଁଶ ହେଉଛି ଗୋଟିଏ ଗରିବ ଲୋକଙ୍କ ଗଛ, କିନ୍ତୁ ବର୍ତ୍ତମାନ ଏହା ଗ୍ରୀନ ଗୋଲ୍ଡ କୁହାଯାଉଛି । ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କିଛି ଜିନିଷ ବାଉଁଶରୁ ପ୍ରସ୍ତୁତ କରାଯାଉଛି ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି "ଭାରତ ସରକାରଙ୍କ ନିକଟରେ ଜାତୀୟ ବାମ୍ବୋ ମିଶନ ମାଧ୍ୟମରେ ଆମେ ୩୨ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବ ରଖିଛୁ । ଓଡ଼ିଶାର ଚାଷୀଙ୍କ ପାଇଁ ବିଭିନ୍ନ ସୁବିଧା ସହଯୋଗ କରିବା, କିଭଳି ଭାବରେ ଚାଷୀମାନେ ଉପକୃତ ହୋଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ।"

ଏସବୁ ଜିଲ୍ଲାରେ ସୃଷ୍ଟି ହେବ ବାଉଁଶ ଜଙ୍ଗଲ:
ଓଡ଼ିଶାରେ ବାଉଁଶ ଗଛ ପାଇଁ ଉପଯୋଗୀ ବହୁତ ଭଲ ଜଳବାୟୁର ରହୁଛି । ରାଜ୍ୟରେ ବାଉଁଶ ଜଙ୍ଗଲ ସୃଷ୍ଟି କରାଯିବ । ରାୟଗଡା, କଟକ ଜିଲ୍ଲାର ବଡମ୍ବା ଓ ନରସିଂହପୁର, ରାୟଗଡା, ମାଲକାନଗିରି, ଶିମିଳିପାଳ ଆଦି ସ୍ଥାନରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କ ନଜରରେ ରହିଛି । ରାଜ୍ୟରେ ପୂର୍ବରୁ ଯେଉଁ ଜଙ୍ଗଲରେ ବାଉଁଶ ଗଛ ପ୍ରଚୁର ମାତ୍ରାରେ ରହିଥିଲା, ସେହି ଜଙ୍ଗେଲରେ ପୁଣିଥରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଚିନ୍ତା କରାଯାଉଛି । ଫଳରେ ଚାଷୀଟିଏ ବାହାର ବଜାର ଉପରେ ନିର୍ଭର ନକରି ନିଜେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବ ସେନେଇ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛନ୍ତି । ବାଉଁଶକୁ ନେଇ ଜୀବନଯାପନ କରୁଥିବା କାରିଗରାମାନଙ୍କ ରୋଜଗାର ବଢାଇବା ପାଇଁ ପଦକ୍ଷେପ ନିଆଯାଉଛି । ସେମାନଙ୍କ ପାଇଁ ସବୁ କିଛି ଉନ୍ନତମାନର କାର୍ଯ୍ୟ କରାଯାଉଛି ବୋଲି ନ୍ୟାସନାଲ ବାଉଁଶ ସମ୍ମିଳନୀ ୨୦୨୬ କାର୍ଯ୍ୟକ୍ରମରେ ଜଙ୍ଗଲ ମନ୍ତ୍ରୀ ଗଣେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।

ଓଡ଼ିଶାରେ ବାଉଁଶକୁ ସାଧାରଣ ଭାବରେ ଦୁଇଟି ବର୍ଗରେ ବର୍ଗୀକୃତ କରାଯାଇଛି । ଗୋଟିଏ ହେଉଛି ଶିଳ୍ପ ବାଉଁଶ, ଯାହା ଶିଳ୍ପ ଉଦ୍ଦେଶ୍ୟରେ କିମ୍ବା କାଗଜ କଳ ଦ୍ୱାରା ବ୍ୟବହୃତ ହୋଇଥାଏ । ଅନ୍ୟଟି ହେଉଛି ବାଣିଜ୍ୟିକ ବାଉଁଶ ଯାହା ମୁଖ୍ୟତଃ ଘରୋଇ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସହିତ ଗ୍ରାମୀଣ କାରିଗରମାନଙ୍କ ପାଇଁ ବ୍ୟବହୃତ ହୋଇଥାଏ । ଓଡ଼ିଶାରେ ବାଉଁଶର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୪ ଲକ୍ଷ ମେଟ୍ରିକ ଟନ ହେବ ବୋଲି ଆକଳନ କରାଯାଇଛି ବୋଲି ଜାତୀୟ ବାଉଁଶ ସମ୍ମିଳନୀରେ କୁହାଯାଇଛି ।।

ଏହା ମଧ୍ୟ ପଢ଼ନ୍ତୁ... ବାଘ ବଂଶବୃଦ୍ଧି ପାଇଁ ପ୍ରୟାସ; ଦେବ୍ରୀଗଡ଼କୁ ଆସିବେ 2 ନୂଆ ବାଘ ବନବିଭାଗ ବନ୍ଦ କରିଦେଲା ଜଙ୍ଗଲ ରାସ୍ତା, ଖାଦ୍ୟ-ପାନୀୟ ପାଇଁ ହନ୍ତସନ୍ତ ଛୋଟକାଇ ଗାଁଲୋକେ |
ଓଡ଼ିଶାର ଆଦିବାସୀ ଓ ଗ୍ରାମ୍ୟ ଅଞ୍ଚଳରେ ବାଉଁଶର ବ୍ୟବହାର ବର୍ଷ ବର୍ଷ ଧରି ଚାଲିଆସିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବ ଉଦ୍ୟୋଗୀମାନେ ବାଉଁଶ ଆଧାରିତ ହସ୍ତଶିଳ୍ପ, ଫର୍ଣ୍ଣିଚର, ଲାଇଫ ଷ୍ଟାଇଲ ପ୍ରଡକ୍ଟ, ପ୍ୟାକେଜିଂ ଓ ପରିବେଶ ବନ୍ଧୁ ବିକଳ୍ପର ଉତ୍ପାଦ ତିଆରି କରି ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ।


