ନବ ଦାସ ହତ୍ୟା ମାମଲାର ନୂଆ ଟ୍ବିଷ୍ଟ; PSO କହିଲେ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି
ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ପିଏସ୍ଓ ମିତ୍ରଭାନୁଙ୍କ ବୟାନ ରେକର୍ଡ କରାଯାଇଛି । ସେ କହିଛନ୍ତି ଗୋପାଳ ଗୁଳିମାଡ଼ କରିଥିବା ମୁଁ ଦେଖିନି ।


Published : February 21, 2026 at 9:08 PM IST
|Updated : February 21, 2026 at 9:17 PM IST
ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଣି ନୂଆ ଟ୍ୱିଷ୍ଟ । ଆଜି ପିଏସ୍ଓ ମିତ୍ରଭାନୁ ଦେଓଙ୍କ ବୟାନ ରେକର୍ଡ କରାଯାଇଛି । ସେ ଦିନ ଘଟଣା ଉପରେ ନିଜର ବୟାନ ରେକର୍ଡ କରାଇଥିଲେ ପିଏସ୍ଓ ମିତ୍ରଭାନୁ । ଏହାସହିତ ଘଟଣାର ଅନ୍ୟତମ ଜଣେ ପ୍ରତ୍ୟକ୍ଷଦର୍ଶୀ ଆଶିଷ ସାହୁ ମଧ୍ୟ ନିଜର ବୟାନ ରେକର୍ଡ କରିଥିଲେ । ଝାରସୁଗୁଡା ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତରେ ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି ।
"ନବ ଦାସଙ୍କ ଗାଡ଼ିରେ ବସି ନଥିଲି, ମୁଁ ପଛ ଗାଡ଼ିରେ ବସିଥିଲି । ଯେତେବେଳେ ବାଣ ଫୁଟିବା ଭଳି ଶବ୍ଦ ହେଲା, ସେତେବେଳେ ମୁଁ ଆସି ଦେଖିଲି ନବ ଦାସ ତଳେ ପଡ଼ି ଯାଇଛନ୍ତି । ନବଙ୍କୁ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି । ସମସ୍ତେ ଗୋପାଳ ଦାସ ଗୁଳି ମାରିଦେଲା ବୋଲି କହିଲେ । ହେଲେ ଗୋପାଳ ଦାସ ଗୁଳି ମାରିବା ମୁଁ ଦେଖି ନାହିଁ," ବୋଲି ଅଦାଲତଙ୍କୁ ତାଙ୍କ ବୟାନରେ କହିଥିଲେ ପିଏସ୍ଓ ମିତ୍ରଭାନୁ ।
ପିଏସଓ ମିତ୍ର ଭାନୁ ଦେଓ ନବ ଦାସ ହତ୍ୟାକାଣ୍ଡ ଘଟଣାର ୩୮ ତମ ସାକ୍ଷୀ ରହିଥିବା ବେଳେ ୩୯ ତମ ସାକ୍ଷୀ ଭାବେ ନବ ଦାସ ଯେଉଁ ଗାଡ଼ିରେ ବସିଥିଲେ । ସେହି ଗାଡ଼ିର ପଛରେ ଥିଲେ ଆଶିଷ ସାହୁ । ତାଙ୍କୁ ମଧ୍ୟ ଆଜି ଝାରସୁଗୁଡ଼ା କୋର୍ଟ ୩୯ ତମ ସାକ୍ଷୀ ଭାବେ ଜେରା କରାଯାଇଥିଲା ।
ସେ (ପିଏସଓ) ତାଙ୍କ ବୟାନରେ ଗାଡ଼ି ପଛରେ ଥିବାରୁ କିଏ ଗୁଳି ମାରିଲା ଜଣାପଡ଼ିଲା ନାହିଁ । କିନ୍ତୁ ସେ ସମୟରେ ସମସ୍ତେ ଗୋପାଳ ଦାସ ଗୁଳି ମାରିଲା ବୋଲି କହିଥିଲେ । ତାକୁ କାବୁ କରିବାକୁ ତା ପଛରେ ଦୌଡି ଥିଲେ ବୋଲି କହିଥିଲେ । ଗୋପାଳ ଦାସ ଗୁଳି ମାରିଛି କି ନାହିଁ ବୋଲି ଜେରାରେ ସେ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ ବୋଲି ଏହି ମାମଲାକୁ ପରିଚାଳନା କରୁଥିବା ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କରିଥିଲେ । କେବଳ ସେତିକି ନୁହେଁ ଏହି ମାମଲାରେ ପୁନର୍ବାର ପ୍ରଶ୍ନ କରିଛନ୍ତି ଗୋପାଳଙ୍କ ଓକିଲ ନରେଶ ନାଏକ ।
ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ତତକାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିଲେ । ସେଠାରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଗାନ୍ଧିଛକ ଫାଣ୍ଡିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରଥମେ କ୍ରାଇମ ବ୍ରାଞ୍ଚ ତଦନ୍ତ ପରେ ସିବିଆଇ ତଦନ୍ତ ଦାବି କରିଥିଲେ ପରିବାର ଲୋକ ।
ଝାରସୁଗୁଡ଼ା, ଇଟିଭି ଭାରତ

