ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ! ଦୁଇ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ
ପ୍ରେମ ବ୍ୟାପାରକୁ ନେଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ଘଟଣାରେ ଦୁଇ ଜଣ ଗିରଫ । ରିପୋର୍ଟ- ଜୀବନ ଜ୍ୟୋତି ନାୟକ

Published : May 6, 2026 at 11:09 PM IST
Murder over love affair ବାଲେଶ୍ୱର: ପ୍ରେମ ବ୍ୟାପାରକୁ ନେଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ଘଟଣାକୁ ସିମୁଳିଆ ପୋଲିସ ଗମ୍ଭୀର ସହକାରେ ନେଇ ଦୁଇ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପଇଁତିରିଶ ସାହି ଗ୍ରାମର ସୁବାସ ସୁତାରକୁ ଦୁଇ ଦିନ ତଳେ କାଞ୍ଚପଡା ଅଂଚଳର ଭଗବାନ କର ଓ ତାଙ୍କ ସହଯୋଗୀ ଘରୁ ଉଠାଇ ଆଣି ଏକ ଘରେ ହାତ ଗୋଡ଼ ବାନ୍ଧି ଠେଙ୍ଗାରେ ପିଟି ଥିଲେ । ଫଳରେରେ ସୁବାସଙ୍କ ନାକରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଯାହାକୁ ନେଇ ସେ ଗୁରୁତର ହୋଇ ପଡିବାରୁ ଆକ୍ରମଣ କରିଥିବା ଭଗବାନ କର ଓ ତାଙ୍କ ସହଯୋଗୀ ସିମୁଳିଆ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଛାଡି ଭଗବାନ ପଳେଇ ଯାଇଥିଲେ ।
ପରିବାର ଲୋକ ଖବର ପାଇ ସିମୁଳିଆ ମେଡିକାଲରେ ପହଞ୍ଚି ଭଦ୍ରକ ମେଡିକାଲକୁ ନେଇଥିଲେ । ଭଦ୍ରକ ମେଡିକାଲରେ ଡାକ୍ତର ସୁବାଷଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ସୁବାସଙ୍କ ଭିଣେଇ ସୁବାସକୁ ହତ୍ୟା କରାଯାଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସିମୁଳିଆ ପୋଲିସ ଆକ୍ରମଣ କରିଥିବା ଭଗବାନ କର ଓ ତାଙ୍କ ଭଣଜା ବୈରଞ୍ଜନ ଦାସଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ପ୍ରେମ ଜନିତ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପାରିବାରିକ ବିବାଦ ଯୋଗୁଁ ହତ୍ୟା ହୋଇଥିବା ନେଇ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ଆଜି ସିମୁଳିଆ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ସୂଚନା ଅନୁସାରେ,"ଗତ ୫ ତାରିଖ ଦିନ ତିହିଡ଼ି ଅଞ୍ଚଳର ଭବେଶ ନାୟକ ଆସି ସିମୁଳିଆ ଥାନାରେ ରିପୋର୍ଟ କଲେ ଯେ ତାଙ୍କର ଶଳା ସୁବାସ ରଞ୍ଜନ ସୁତାରଙ୍କୁ ଦୁଇଜଣ ଲୋକ ଭଗବାନ କର ଓ ବୈରଞ୍ଜନ ଦାସ ସେମାନେ ତାଙ୍କୁ ରଶିରେ ବାନ୍ଧି ପିଟିପିଟି ମାରି ଦେଇଛନ୍ତି ବୋଲି ଅଭିଯୋଗ କଲେ। ତା ଉପରେ ଆମର ସିମୁଳିଆ ଥାନା କେଶ ନଂ ୧୨୬/୨୬ ମୂଳେ ମାମଲା ରୁଜୁ ହେଲା ଏବଂ ଆଇଆଇସି ଓ ଥାନାର ଅନ୍ୟ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଜଣ ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ସେଥିରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଗଲା । ସେମାନେ ଆକ୍ରମଣରେ ବ୍ୟବହାର କରିଥିବା ରଶି ଓ ଗୋଟିଏ ଠେଙ୍ଗା ଜବତ କରାଯାଇଛି । ଏହା ଉପରେ ଅଧିକ ତଦନ୍ତ ଆମର ଚାଲିଛି । ଯଦି କିଛି ଆଉ ଅଧିକ ପ୍ରମାଣ ହସ୍ତଗତ ହେଲା ତେବେ ଆମେ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ । ତାଙ୍କର କିଛି ପାରିବାରିକ ବିଶୃଙ୍ଖଳା ବା ମନ ମନାନ୍ତର ଥିଲା, ଯାହାକି ଆମର ତଦନ୍ତ ଚାଲିଛି ଓ ତାହା ପରେ ଜଣା ପଡ଼ିବ । ବର୍ତ୍ତମାନ ସୁଦ୍ଧା ଆମର ତଦନ୍ତ ଚାଲିଛି, ତଦନ୍ତ ସରିବା ପରେ ଜଣାପଡିବ ଯେ ଏମିତି ଘଟଣା କାହିଁକି ଘଟିଲା । ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇ ଜଣଙ୍କ ସମ୍ପୃକ୍ତି ଥିଲା ସେମାନଙ୍କୁ ଗିରଫ କରାଯାଇଛି ।"
ଏହା ମଧ୍ୟ ପଢ଼ନ୍ତୁ- ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା: ତୃତୀୟ ପର୍ଯ୍ୟାୟରେ ବୋଲେରୋ ଡ୍ରାଇଭର ଓ ସହଯୋଗୀକୁ ଜେରା
ଏହା ମଧ୍ୟ ପଢ଼ନ୍ତୁ- ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ତିନି ଦିନିଆ ପୋଲିସ ରିମାଣ୍ଡରେ ପାଞ୍ଚ ଅଭିଯୁକ୍ତ
ଇଟିଭି ଭାରତ, ବାଲେଶ୍ୱର

