ETV Bharat / state

ହୋଲି ପୂର୍ବରୁ ରାଜଧାନୀରେ ହତ୍ୟା; ରାସ୍ତା ଉପରେ ପତ୍ନୀଙ୍କୁ ଛୁରି ଭୁସିଦେଲେ ଯୁବକ

ରାତି ପ୍ରାୟ ୯ଟା ୩୦ ବେଳେ ସ୍ୱାମୀ ଓ ସ୍ତ୍ରୀ ରାତ୍ରିଭୋଜନ କରିବା ସମୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ କିଛିସମୟ ଭିତରେ ଏହି ଝଗଡ଼ା ଭୀଷଣ ରୂପ ଧାରଣ କରିଥିଲା।

Murder in the capital, Man stabs wife to death
ହୋଲି ପୂର୍ବରୁ ରାଜଧାନୀରେ ହତ୍ୟା (Etv Bharat)
author img

By ETV Bharat Odisha Team

Published : March 4, 2026 at 10:46 AM IST

1 Min Read
Choose ETV Bharat

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲିକୁ ହସଖୁସିରେ ପାଳିବାକୁ ସଭିଏଁ ଉତ୍ସାହର ସହ ଚାହିଁ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ସ୍ୱାମୀର ଛୁରା ମାଡ଼ରେ ପତ୍ନୀଙ୍କ ମୃତ୍ୟୁ ହୋଇଛି। ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରୀ ବସ୍ତି ନିକଟ ରାସ୍ତାରେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତା ମହିଳା ହେଲେ ସାବିତ୍ରୀ ମଲ୍ଲିକ (୩୦)। ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ (୩୫)କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ଶବ ସଂରକ୍ଷଣ ଗୃହରେ ରଖିଛି। ଆଜି (ବୁଧବାର) ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ସାବିତ୍ରୀଙ୍କ ଭାଇ ବସନ୍ତ ମଲ୍ଲିକଙ୍କ ଏତଲାକୁ ଆଧାର କରି ଭରତପୁର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଭୀଷଣ ଝଗଡ଼ା ବେଳେ ରକ୍ତମୁଖା ହେଲା ସ୍ୱାମୀ

ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ରଙ୍କ ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ କିଛିବର୍ଷ ହେବ ପତ୍ନୀଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ। ଗତକାଲି (ମଙ୍ଗଳବାର) ରାତି ପ୍ରାୟ ୧୦ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ରାତି ପ୍ରାୟ ୯ଟା ୩୦ ବେଳେ ସ୍ୱାମୀ ଓ ସ୍ତ୍ରୀ ରାତ୍ରିଭୋଜନ କରିବା ସମୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ କିଛିସମୟ ଭିତରେ ଏହି ଝଗଡ଼ା ଭୀଷଣ ରୂପ ଧାରଣ କରିଥିଲା। ଝଗଡା ଏତେ ବଢ଼ିଯାଇଥିଲା ଯେ ଉଭୟ ଘରୁ ବାହାରି ରାସ୍ତାକୁ ଚାଲି ଆସିଥିଲେ। ପୂର୍ଣ୍ଣଚନ୍ଦ୍ର ଓ ସାବିତ୍ରୀ ପରସ୍ପରକୁ ଗାଳିଗୁଲଜ କରୁଥିଲେ। ଉଭୟଙ୍କ ମଧ୍ୟରେ ହତାହାତି ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ଅଧିକ ରାଗିଯାଇଥିଲା। ସେ ଘରୁ ଏକ ଛୁରି ଆଣି ସାବିତ୍ରୀଙ୍କ ପେଟକୁ ରାସ୍ତା ମଝିରେ ଭୁସି ଦେଇଥିଲା। ଚିତ୍କାର ଶୁଣି ସ୍ଥାନୟ ଲୋକମାନେ ରୁଣ୍ଡ ହୋଇପଡିଥିଲେ। ଖବର ପାଇ ପୋଲିସ ପହଞ୍ଚି ପୂର୍ଣ୍ଣଚନ୍ଦ୍ରକୁ କାବୁ କରିଥିଲା। ଗୁରୁତର ସାବିତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ ସ୍ୱାମୀକୁ ଆଜି କରାଯିବ କୋର୍ଟଚାଲାଣ

ଏ ନେଇ ଭରତପୁର ଥାନା ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହେବା ପରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରାଯିବା ସହ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରାଯାଇଛି। ଏ ଘଟଣାକୁ ନେଇ ସାବିତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ନୟାଗଡ଼ରୁ ଗାଁ ଲୋକ ଆସିଛନ୍ତି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରକୁ ଆଜି କୋର୍ଟଚାଲାଣ କରାଯିବ ବୋଲି ରାଜେନ୍ଦ୍ର କହିଛନ୍ତି।