ନୂଆବର୍ଷରେ ନନ୍ଦନକାନନ ବୁଲିଲେ 37260 ପର୍ଯ୍ୟଟକ
ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ସମସ୍ତ ସୁବିଧା କରାଯାଇଥିଲା । 025 ମସିହାରେ ମୋଟ 40 ଲକ୍ଷ 20 ହଜାର 539 ପର୍ଯ୍ୟଟକ ନନ୍ଦନକାନନ ବୁଲିଛନ୍ତି ।

Published : January 1, 2026 at 7:29 PM IST
ଭୁବନେଶ୍ବର: ଆଜି ନୂଆବର୍ଷ ଥିବାରୁ ନନ୍ଦନକାନନକୁ ଛୁଟିଥିଲା ପର୍ଯ୍ୟଟକଙ୍କ ସୁଅ । ଦିନକରେ ବୁଲିଲେ 37260 ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ସମସ୍ତ ସୁବିଧା କରାଯାଇଥିଲା । ସୁରକ୍ଷାକର୍ମୀମାନେ ନିୟୋଜିତ ହେବା ସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।
ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ମୌଳିକ ସୁବିଧା କିଭଳି ଭାବରେ ମିଳିପାରିବ ସେନେଇ ଅଧିକ ଧ୍ୟାନ ଦିଆଯାଇଛି । ଜଣେ ପର୍ଯ୍ୟଟକ କିପରି ସହଜରେ ନନ୍ଦନକାନନ ମଧ୍ୟକୁ ପ୍ରବେଶ କରିବା ପରେ ସ୍ୱଚ୍ଛ ପିଇବା ପାଣି ସହିତ ଶୌଚାଳୟ ଆଦିର ସୁବିଧା କେମିତି ମିଳିବ ସେନେଇ ବ୍ୟବସ୍ଥା ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମେଡିକାଲ ଟିମ୍ ମଧ୍ୟ ରହିଥିଲା । ସେହିପରି ଭାବରେ ବୋଟିଂ ସ୍ଥଳରେ ଓଡ୍ରାଫ ଟିମ ସାଙ୍ଗକୁ ଫାୟାର ଟିମ ନିୟୋଜିତ ହୋଇଥିବା କହିଛନ୍ତି ପ୍ରାଣୀଉଦ୍ୟାନ ପର୍ଯ୍ୟଟକ ପରିଚାଳନା ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ୍) ମନସ୍ମିତା ମହାରଣା ।

ଗତବର୍ଷ ଜାନୁଆରୀ 1 ତାରିଖରେ 43 ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି । ଦିନ 12 ଟା ସୁଧା ନନ୍ଦନକାନନକୁ 10-11 ହଜାର ପର୍ଯ୍ୟଟକ ବୁଲିଥିଲେ । ସନ୍ଧ୍ୟା ସୁନ୍ଧା 37 ହଜାରରୁ ଅଧିକ ପର୍ଯ୍ୟଟକ ବୁଲିଥିବା ସୂଚନା ଦେଇଛନ୍ତି ଏସିଏଫ୍ ମନସ୍ମିତା ।
ତେବେ ଶନିବାର ଓ ରବିବାର ଅଧିକ ପର୍ଯ୍ୟଟକ ଆସିବେ, ସେମାନଙ୍କର ସୁରକ୍ଷାକୁ ନେଇ ଗୁରୁତ୍ୱ ଦିଆଯାଇଛି । ନନ୍ଦନକାନନରେ ସମସ୍ତ ଟଏ ଟ୍ରେନ, ବୋଟିଂ ସାଙ୍ଗକୁ ରୋପ ୱେ ଚାଲୁଛି । ସେନେଇ ସକାଳ 8 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଉଭୟ ଓଡ୍ରାଫ ସହିତ ଫାୟାର ଆଦି କଡା ନଜର ରଖିଛି ବୋଲି କହିଛନ୍ତି ନନ୍ଦନକାନନ ପ୍ରାଣୀଉଦ୍ୟାନ ପର୍ଯ୍ୟଟକ ପରିଚାଳନା ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ୍) ମନସ୍ମିତା ମହାରଣା ।
ଏପଟେ କିଛି ପର୍ଯ୍ୟଟକ କହିଛନ୍ତି ଯେ ଆମେ ପ୍ରଥମ ଥର ପାଇଁ ଆସିଛୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସୋସିଆଲ ମିଡିଆରେ ବହୁତ ଭଲ ଫିଡବ୍ୟାକ ପାଇଛୁ । ଜୀବଜନ୍ତୁଙ୍କୁ ଭଲ ଭାବରେ ଦେଖିପାରୁଛନ୍ତି ପର୍ଯ୍ୟଟକ, ବହୁତ ସୁନ୍ଦର ହୋଇଛି, ନୂଆ ନୂଆ ଏନକ୍ଲୋଜର ପ୍ରସ୍ତୁତ କରାଯାଉଛି, କିନ୍ତୁ ବ୍ୟାଟେରି ଚଳିତ ଗାଡି ପାଇଁ ବହୁତ ଲମ୍ବା ଲାଇନ ଲଗାଇବାକୁ ପଡୁଛି । କିଛି ବାଟ ଚାଲିଲା ପରେ ସମ୍ପୂର୍ଣ୍ଣ ବୁଲିବାକୁ ସକ୍ଷମ ହେବ ନାହିଁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନନ୍ଦନକାନନ @୬୬; କାଚଘରେ ବାଘକୁ ଦେଖିବେ ପର୍ଯ୍ୟଟକ, ୧୨ ଶାବକଙ୍କ ନାମକରଣ
ଇଟିଭି ଭାରତ, ଭୁବନେଶ୍ବର

