ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦୁବାଇ ଯିବେ ମୋହନ ସରକାର; ଫୋକ୍ସରେ ପେଟ୍ରୋକେମିକାଲ, ଗ୍ରୀନ ଏନର୍ଜି, ଇଲେକ୍ଟ୍ରୋନିକ୍ସ
ଓଡ଼ିଶାରେ ବୃହତ୍ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୁବାଇ ଯିବାକୁ ପ୍ରସ୍ତୁତି ଚାଲିଛି । ରିପୋର୍ଟ: ଭବାନୀ ଶଙ୍କର ଦାସ


Published : August 31, 2026 at 9:25 PM IST
Team Mohan Plan to Visit Dubai, ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପରିଣତ କରିବା ଲକ୍ଷ୍ୟରେ ବିଦେଶୀ ନିବେଶକଙ୍କ ନିକଟରେ ପହଞ୍ଚିବା ଉପରେ ଜୋର ଦେଉଛନ୍ତି ମୋହନ ସରକାର । ସିଙ୍ଗାପୁର ପରେ ଏବେ ଦୁବାଇରେ ନିବେଶକଙ୍କୁ ଓଡ଼ିଶା ମୁହାଁ କରାଇବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଓଡ଼ିଶାରେ ବୃହତ୍ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ରାଜ୍ୟ ପ୍ରତିନିଧି ଦଳ ଦୁବାଇ ଗସ୍ତ କରିବାକୁ ପ୍ରସ୍ତୁତି ଚାଲିଛି । ଗସ୍ତର ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଶିଳ୍ପ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ପ୍ରସ୍ତାବିତ ଦୁବାଇ ଗସ୍ତ ପ୍ରାୟ ସାତ ଦିନିଆ ହୋଇପାରେ । ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ସାମିଲ ହେବେ । ଏହି ଗସ୍ତ ସମୟରେ ଦୁବାଇରେ ଦୁଇ ଦିନିଆ ଇନଭେଷ୍ଟର୍ସ ମିଟ୍ରେ ଓଡ଼ିଶାର ଶିଳ୍ପ ଓ ନିବେଶ ସମ୍ଭାବନାକୁ ବିଦେଶୀ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ । ବିଭିନ୍ନ ବୃହତ୍ ଶିଳ୍ପ ସଂସ୍ଥାର ମୁଖ୍ୟ ଓ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବେ । ନିବେଶକମାନଙ୍କୁ ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଲବ୍ଧ ସୁଯୋଗ, ଶିଳ୍ପ ନୀତି, ଭିତ୍ତିଭୂମି ଓ ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଯିବ ।

ପେଟ୍ରୋକେମିକାଲ ଓ ଗ୍ରୀନ ଏନର୍ଜି ଉପରେ ନଜର :-
ଦୁବାଇ ଗସ୍ତ ସମୟରେ ପେଟ୍ରୋକେମିକାଲ, ସବୁଜ ଶକ୍ତି, ଇଲେକ୍ଟ୍ରୋନିକ୍ସ, ବନ୍ଦର ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ରହିଥିବା ଶିଳ୍ପ ଭିତ୍ତି, ବନ୍ଦର ଭିତ୍ତିକ ଶିଳ୍ପ ପରିବେଶ, ପ୍ରଚୁର ପ୍ରାକୃତିକ ସମ୍ପଦ ଓ ନବୀକରଣୀୟ ଶକ୍ତିର ସମ୍ଭାବନା ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରାଯିବ । ବିଶେଷକରି ଗ୍ରୀନ ହାଇଡ୍ରୋଜେନ, ନବୀକରଣୀୟ ଶକ୍ତି ଓ ପେଟ୍ରୋକେମିକାଲ ଶିଳ୍ପରେ ବୃହତ୍ ନିବେଶ ଆକୃଷ୍ଟ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିପାରେ । ଏହା ସହ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବନ୍ଦର ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ନୂଆ ପ୍ରକଳ୍ପ ପାଇଁ ନିବେଶକଙ୍କ ସହ ଆଲୋଚନା କରାଯିବ ।

ଶିଳ୍ପ ସଂସ୍ଥା ପରିଦର୍ଶନ, ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା :-
ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପ ସଂସ୍ଥାର ମୁଖ୍ୟାଳୟ ପରିଦର୍ଶନ କରିବା ସହ ସେମାନଙ୍କ ଶିଳ୍ପ ପରିଚାଳନା, ନିଯୁକ୍ତି ବ୍ୟବସ୍ଥା ଓ ଆନୁଷଙ୍ଗିକ ଶିଳ୍ପ ବିକାଶ ମଡେଲ୍ ସମ୍ପର୍କରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ମାଧ୍ୟମରେ ଓଡ଼ିଶାରେ ନିବେଶ ପାଇଁ ନୂଆ ସୁଯୋଗ ଚିହ୍ନଟ କରାଯିବ । ସେହିପରି ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ରହିପାରେ । ରାଜ୍ୟର ବିକାଶ ଓ ଶିଳ୍ପାୟନରେ ପ୍ରବାସୀ ଓଡ଼ିଆଙ୍କ ଭୂମିକା ନେଇ ଆଲୋଚନା ହେବା ସମ୍ଭାବନା ରହିଛି ।

ଏହି ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ଔପଚାରିକ ଅନୁମତି ମିଳିନଥିବାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏଯାବତ୍ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଅନିଚ୍ଛୁକ ଅଛନ୍ତି । ଅନୁମତି ମିଳିବା ପରେ ଗସ୍ତର ତାରିଖ, ପ୍ରତିନିଧି ଦଳର ସଦସ୍ୟ ଓ ଇନଭେଷ୍ଟର୍ସ ମିଟ୍ର କାର୍ଯ୍ୟସୂଚୀ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପରେ ଦୁବାଇ ଗସ୍ତ ନେଇ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦୁବାଇ ଗସ୍ତ ସଫଳ ହେଲେ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ସହ ନୂଆ ଶିଳ୍ପ ଓ ବ୍ୟାପକ ନିଯୁକ୍ତି ସୃଷ୍ଟିର ରାସ୍ତା ଖୋଲିପାରେ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଭରଣ ପୋଷଣ ସହାୟତା ନ ଦେଲେ ଦରମାରୁ ସିଧାସଳଖ କଟିବ ପ୍ରତିପୋଷଣ ଖର୍ଚ୍ଚ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏହା ମଧ୍ୟ ପଢ଼ନ୍ତୁ: କୂଳ ଲଂଘୁଛି ସମୁଦ୍ର, ସରକାରଙ୍କୁ ଘାରିଲା ଚିନ୍ତା; ଖୋଳାଯିବ ନଦୀ ମୁହାଣ ଓ କଢ଼ାଯିବ ପଟୁ: ରାଜସ୍ୱ ମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ବର

