ETV Bharat / state

ସରକାରୀ କାର୍ଯ୍ୟରେ ଲାଗିଥିବା JCBକୁ ଜାଳିଦେଲେ ଦୁର୍ବୃତ୍ତ, ଚିଠିରେ ୫୦ ଲକ୍ଷ ଟଙ୍କା ଦାବି ସହ ହତ୍ୟା ଧମକ

ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ JCB ଜାଳିଦେଲେ ଦୁର୍ବୃତ୍ତ । ଚିଠିରେ ୫୦ ଲକ୍ଷ ଟଙ୍କା ଦାବି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ । ରିପୋର୍ଟ- ସତ୍ୟଜିତ ରାଉତ

JCB CAUGHT FIRE
ଭୁବନେଶ୍ବରେ JCB ଜାଳିଦେଲେ ଦୁର୍ବୃତ୍ତ୍, ଚିଠିରେ ୫୦ ଲକ୍ଷ ଟଙ୍କା ଦାବି ସହ ହତ୍ୟା ଧମକ (ETV Bharat Odisha)
author img

By ETV Bharat Odisha Team

Published : August 27, 2026 at 4:50 PM IST

1 Min Read
Choose ETV Bharat

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରେ JCB ଜାଳିଦେଲେ ଦୁର୍ବୃତ୍ତ୍ । ୟୁନିଟ୍ ୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଏକ ସରକାରୀ ପ୍ରକଳ୍ପ କାମରେ ଲାଗିଥିବା ଏକ JCBକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି (ଗୁରୁବାର) ସାମ୍ନାକୁ ଆସିଛି । ଗାଡ଼ିଟି ୩୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଛି । ଏନେଇ JCB ମାଲିକ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ କେସ୍ ନଂ.୬୬୫/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଉକ୍ତ ଅଞ୍ଚଳରେ ଏଭଳି କାଣ୍ଡକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । କେଉଁମାନେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।ଏଥିସହ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି ପୋଲିସ । ତେବେ କାମକୁ ନେଇ ଅସହିଷ୍ଣୁ ଥିବା କୌଣସି ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି ।

JCB CAUGHT FIRE
ଭୁବନେଶ୍ବରେ JCB ଜାଳିଦେଲେ ଦୁର୍ବୃତ୍ତ୍, ଚିଠିରେ ୫୦ ଲକ୍ଷ ଟଙ୍କା ଦାବି ସହ ହତ୍ୟା ଧମକ (ETV Bharat Odisha)

କାମ କରୁଥିବା ରଞ୍ଜନ କୁମାର ଦାସ କହିଛନ୍ତି,"ଏଠାରେ ଗତ ତିନି ମାସ ହେଲା ମୁଖ୍ୟମନ୍ତ୍ରୀଙ୍କ ଜନାଶ୍ରୟ ଭବନ ଯୋଜନାରେ ଘର ଭଙ୍ଗା କାର୍ଯ୍ୟ ଚାଲିଛି । ୨୧୭ଟି ସରକାରୀ ଘର ଭଙ୍ଗାଯାଉଛି । ଆମକୁ ଏଜେନ୍ସି ଭାବେ କାମ ଦିଆଯାଇଥିଲା । ୩ ମାସ ହେଲା ଘର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗତକାଲି ରାତି ପ୍ରାୟ ୩ଟାରୁ ୫ଟା ମଧ୍ୟରେ କେହି ଦୁର୍ବୃତ୍ତ JCBରେ ନିଆଁ ଲଗାଇ ଦେଇଛନ୍ତି । ଏନେଇ ପୋଲିସ ଖବର ପାଇ ଆମକୁ ଜଣାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏପରିକି JCBରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମରାଯାଇଥିଲା । ସେଥିରେ ୫୦ ଲକ୍ଷ ଟଙ୍କା ଦେବାକୁ ଧମକ ଦିଆଯାଇଛି । ଟଙ୍କା ନ ଦେଲେ ୨୮ ତାରିଖ ସୁଦ୍ଧା କାମ ବନ୍ଦ କରିବ ଏବଂ ହତ୍ୟା ଧମକ ମଧ୍ୟ ଦିଆଯାଇଛି । ଉକ୍ତ ଚିଠିରେ ମାଓବାଦୀ ବୋଲି ଉଲ୍ଲେଖ ରହିଛି ।"

କ୍ୟାପିଟାଲ ଥାନାଧିକାରୀ ରାଧାକାନ୍ତ ସାହୁ କହିଛନ୍ତି," ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଏହି କାମକୁ କଣ୍ଟ୍ରାକ୍ଟରଙ୍କ ପକ୍ଷରୁ ଅନ୍ୟକୁ କାମ ଦିଆଯାଇଥିଲା । ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ।"

ଏହା ମଧ୍ୟ ପଢନ୍ତୁ... ପୂର୍ବତନ ପୋଲିସ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ, ୱାଇ.ବି ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା

ଏହା ମଧ୍ୟ ପଢନ୍ତୁ... ଚୀନର 2 କ୍ରୁ ସଦସ୍ୟଙ୍କୁ ଅଣାଗଲା ପାରାଦୀପ

ଇଟିଭି ଭାରତ, ଭୁବନେଶ୍ବର