ETV Bharat / state

ରାଇରଙ୍ଗପୁର ADMଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଟେଣ୍ଡର କାମ ପାଇଁ ଆସିଥିବା ସ୍ଥାନୀୟ ଲୋକଙ୍କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ରାଇରଙ୍ଗପୁର ଥାନାରେ ଏତଲା । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ADM ।

ADDITIONAL DISTRICT MAGISTRATE
ଦୁର୍ବ୍ୟବହାର ଅଭିଯୋଗ (ETV Bharat Odisha)
author img

By ETV Bharat Odisha Team

Published : January 11, 2026 at 11:20 AM IST

2 Min Read
Choose ETV Bharat

ରାଇରଙ୍ଗପୁର(ମୟୂରଭଞ୍ଜ): ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ । ଏକ ଟେଣ୍ଡର କାମକୁ ନେଇ ଆସିଥିବା କିଛି ସ୍ଥାନୀୟ ଲୋକଙ୍କୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ଦୁର୍ବ୍ୟବହାରର ଶିକାର ହୋଇଥିବା ପରିବାର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହ ଟାଉନ ଥାନାରେ ଏତଲା ଦେଇଛନ୍ତି ଦୁର୍ବ୍ୟବହାରର ଶିକାର ହୋଇଥିବା ଲୋକେ । ସେପଟେ ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ ।

ରାଇରଙ୍ଗପୁର ADMଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ (ETV Bharat Odisha)

ଦୁର୍ବ୍ୟବହାର ଅଭିଯୋଗ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ:

ରାଇରଙ୍ଗପୁର ସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ ସ୍ଥାନୀୟ ଲୋକଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଦୁର୍ବ୍ୟବହାରର ଶିକାର ସୁଲୋଚନା ସାହୁ ଓ ପରିବାର ଲୋକେ ଗତକାଲି(ଶନିବାର) ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି । ଏଥିସହ ଦୁର୍ବ୍ୟବହାର ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ସୁଲୋଚନା ସାହୁ ଓ ପରିବାର ଲୋକେ ଏକ ଟେଣ୍ଡର କାମ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ଚାମ୍ବରରୁ ବାହାରକୁ ଯିବାକୁ କହୁଛନ୍ତି । ନଚେତ୍‌ ପୋଲିସ ଡାକିବେ ବୋଲି କହୁଛନ୍ତି । ପାଟିତୁଣ୍ଡର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ADDITIONAL DISTRICT MAGISTRATE
ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ (ETV Bharat Odisha)

କଣ ରହିଛି ଅଭିଯୋଗ ?

ସାମ୍ବାଦିକ ସମ୍ମିଳନୀରେ ସୁଲୋଚନା ସାହୁଙ୍କ ପରିବାର ଆଣିଥିବା ଅଭିଯୋଗ ଅନୁସାରେ, ରାଇରଙ୍ଗପୁର ସ୍ଥିତ କଚେରୀ କ୍ୟାଣ୍ଟିନ ନିର୍ମାଣ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ପାଇଁ ତାହାର ଆରମ୍ଭ ହୋଇପାରୁନି । ଉକ୍ତ କ୍ୟାଣ୍ଟିନ ପରିଚାଳନା ନିମନ୍ତେ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ସାହୁଙ୍କୁ ଟେଣ୍ଡର ପ୍ରଦାନ କରାଯାଇଛି । ଏନେଇ ୯,୭୦,୦୦୦ଟଙ୍କା ଖର୍ଚ୍ଚ କରିଥିଲେ ବୋଲି କହିଛନ୍ତି ସନ୍ତୋଷ ସାହୁ । ୩ ବର୍ଷ ୬ମାସର ଏଗ୍ରିମେଣ୍ଟ ମଧ୍ୟ ହୋଇଥିବା କହିଛନ୍ତି । କିଛି ଦିନ ପୂର୍ବରୁ ସାଂସଦ ନବ ଚରଣ ମାଝୀ କଚେରୀ କ୍ୟାଣ୍ଟିନ ଉଦଘାଟନ କରିଥିବା ବେଳେ ପୁନଶ୍ଚ ଓକିଲ ସଂଘର ପ୍ରତିବାଦ କରିବାରୁ ପୁଣି ବନ୍ଦ ହୋଇଯାଇଛି । ୬ମାସ ହେବ ତାଙ୍କୁ ଟେଣ୍ଡର ମିଳିଥିବା ସତ୍ତ୍ୱେ କ୍ୟାଣ୍ଟିନ ଆରମ୍ଭ କରି ନ ପାରିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ କ୍ୟାଣ୍ଟିନ ଚାବି ମାଗିବା ପାଇଁ ସେ ଓ ତାଙ୍କ ସ୍ୱାମୀ, ପୁଅ ଏବଂ ମହିଳା ଜଣକ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କ ପାଖକୁ ଯାଇଥିଲେ ।

ଚାବିକୁ ନେଇ ପାଟିତୁଣ୍ଡ:

ସନ୍ତୋଷ ସାହୁ ଅନେକ ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାଣ୍ଟିନ ଆରମ୍ଭ ନକରି ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ତାଙ୍କୁ କ୍ୟାଣ୍ଟିନ ଚାବି ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କୁ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ପାଟିତୁଣ୍ଡ ହୋଇଥିଲା । ସନ୍ତୋଷ କୁମାର ସାହୁଙ୍କ ପୁଅ ମୋବାଇଲରେ ସେ ସମୟର ଭିଡ଼ିଓ ଉତ୍ତୋଳନ କରିବାରୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଚ୍ୟାମ୍ବରରୁ ବାହାର କରି ଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସନ୍ତୋଷ ସାହୁଙ୍କ ପରିବାର ସଦସ୍ୟ ।

ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ:

ତେବେ ଅତିରିକ୍ତ ଜିଲ୍ଲାପାଳଙ୍କ ନାଁରେ ଆସିଥିବା ଦୁର୍ବ୍ୟବହାର ଅଭିଯୋଗ ସମ୍ପର୍କରେ ଇଟିଭି ଭାରତ ସୁଚାରୁ ବଳଙ୍କ ସହ ଯୋଗାଯୋଗ କରିଥିଲା । ସେ ଫୋନୋ ଯୋଗେ କହିଛନ୍ତି, ‘ମୋତେ(ଅତିରିକ୍ତ ଜିଲ୍ଲାପାଳ) ଦୁର୍ବ୍ୟବହାର କରିବା ସହ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିବାରୁ ସେମାନଙ୍କୁ ଚ୍ୟାମ୍ବରରୁ ବାହାର କରିଦେଇଥିଲି । ଏନେଇ ଥାନାରେ ଅଭିଯୋଗ କରିନାହିଁ ।’

ଏହା ମଧ୍ୟ ପଢନ୍ତୁ:

ବିଡିଓଙ୍କୁ ଆକ୍ରମଣ ଘଟଣା; ବିଜେଡି-ବିଜେପି ରାଜନୈତିକ କାଦୁଅଫିଙ୍ଗା ଜାରି, ଜିଲ୍ଲାପାଳ କହିଲେ ଖୁବଶୀଘ୍ର ଆକ୍ସନ

ମହିଳା ବିଡ଼ିଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ; ଡିଜିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

ଥାନାରେ ଏତଲା, ରୁଜୁ ହୋଇନି ମାମଲା:

ତେବେ ସୁଲୋଚନା ସାହୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ନେଇ ରାଇରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କ୍ୟାଣ୍ଟିନ ଚାବି ପାଇବା ପାଇଁ ଆଗକୁ ଆଇନ ଆଶ୍ରୟ ନେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର