ତାସ ଖେଳରୁ ନାବାଳକକୁ ହତ୍ୟା କଲା ସାଙ୍ଗ; ଗାଁରେ ଉତ୍ତେଜନା, ପୋଲିସ ତଦନ୍ତ ଜାରି
ମୃତକଙ୍କ ପରିବାର ଲୋକେ ଦୋଷୀକୁ ଗିରଫ ଦାବି କରିବା ସହ କଠୋର ଦଣ୍ଡ ବିଧାନ ଦାବି କରିଛନ୍ତି । ରିପୋର୍ଟ- ଶେଖ୍ ମହମ୍ମଦ ଓ୍ୱାହିଦ


Published : August 26, 2026 at 10:23 PM IST
ବଲାଙ୍ଗୀର: ଝିମିଟି ଖେଳରୁ ମହାଭାରତ ! ନାବାଳକକୁ ହତ୍ୟା କଲା ସାଙ୍ଗ । ତାସ ଖେଳରେ କଥା କଟାକଟି ପରେ ଛୁରୀ ଭୁଷି ହତ୍ୟା ଅଭିଯୋଗ । ଗାଁରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି ।
ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ରୋତ ଗ୍ରାମରୁ ଆସିଛି । ଏହି ଗ୍ରାମରେ ଆଜି ସ୍କୁଲ ଛୁଟି ଥିବାରୁ ପିଲାମାନେ ଏଠିକାର କ୍ଲବରେ ତାସ ଖେଳୁଥିଲେ । ଏଠି ସାହିଲ ପଟେଲ ବୟସ ୧୨ ବର୍ଷ ହେବ ସାଙ୍ଗରେ ଖେଳୁଥିଲା । ଖେଳ ମଧ୍ୟରେ ତାର ଅନ୍ୟ ଜଣେ ସାଙ୍ଗ ସହ ଖେଳକୁ ନେଇ କଥା କଟାକଟି ହୋଇଥିଲା । ଅଭିଯୁକ୍ତ ବାଳକ ଘରକୁ ଆସି ଏକ ଛୁରୀ ନେଇ ଖେଳ ସ୍ଥାନକୁ ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ସେ ସାହିଲ ପଟେଲଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଦେଖୁ ଦେଖୁ ଛାତି ବେକରେ ଛୁରୀରେ ଆକ୍ରମଣ କରିଥିଲା ।
ସେପଟେ ଏହି ଘଟଣା ଜାଣି ପାରି ପରିବାର ଲୋକେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଆଗଲପୁର ଡାକ୍ତରଖାନାକୁ ଆଣିଥିଲେ । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ହଙ୍ଗାମା କରିଥିଲେ ।
ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ମୃତକଙ୍କ ପରିବାର ଲୋକେ ଦୋଷୀକୁ ଗିରଫ ଦାବି କରିବା ସହ କଠୋର ଦଣ୍ଡ ବିଧାନ ଦାବି କରିଛନ୍ତି । ସମାନ ଭାବରେ ସ୍ଥାନୀୟ ଲୋକେ ନିଶା କାରବାର ଯୋଗୁଁ ଛୋଟରୁ ବଡ଼ ସମସ୍ତେ ପଥ ଭ୍ରଷ୍ଟ ହୋଇ ଏଭଳି ଅପରାଧ ଘଟାଉ ଥିବାର ଅଭିଯୋଗ ମଧ୍ୟ ଆଣିଛନ୍ତି ।
ମୃତ ବାଳକର ସହପାଠୀ କହିଛନ୍ତି, "ଆମେ ସମସ୍ତେ ମିଶି ସ୍ଥାନୀୟ କ୍ଲବରେ ତାସ ଖେଲୁଥିଲୁ । ସାହିଲ ପଟେଲ ସହ ଆଉ ଜଣକର କଥା କଟା କଟି ହୋଇଥିଲା । ପରେ ସେ ଅଭିଯୁକ୍ତ ଘରକୁ ଯାଇଥିଲା । ମୁଁ ମଧ୍ୟ ପାଖ ଏକ ଦୋକାନକୁ କିଛି କିଣିବାକୁ ଆସିଥିଲି । ସେଠି ଯାଇ ଦେଖିବା ପରେ ସାହିଲକୁ ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରି ଅନ୍ୟ ଜଣେ ସେଠୁ ଫେରାର ମାରି ଥିଲା ।"
ସେପଟେ ମୃତ ବାଳକର ବାପା ପ୍ରଭାସ ପଟେଲ କହିଛନ୍ତି, "ମୋ ପୁଅ ମାତ୍ର ୧୨ ବର୍ଷର ଥିଲା । ଆଜି ଛୁଟି ଥିଲା । ପାଖ କ୍ଲବରେ ସେ ତା ସାଙ୍ଗମାନଙ୍କ ସହ ତାସ ଖେଳୁଥିଲା । ଛୁଟିରେ ଏମାନେ ରୁଣ୍ଡ ହୋଇ ଖେଳନ୍ତି । ହେଲେ ଆଉ ଜଣେ ସାମାନ୍ୟ କଥା କଟାକଟିରୁ ତାକୁ ଚାକୁ ମାରି ଦେଇଥିଲା । ଯେଉଁଥିରେ ତାର ପ୍ରାଣ ଚାଲି ଯାଇଛି । ମୁଁ ଆଉ କଣ କରିବି । ମୋତେ ନ୍ୟାୟ ଦିଆଯାଉ ।"
ସେହିପରି ଗାଁର ଜଣେ ବାସିନ୍ଦା ତଥା ସ୍ଵେଚ୍ଛାସେବୀ ସଚିକାନ୍ତ ପଟେଲ କହିଛନ୍ତି ଯେ ଏସବୁର କାରଣ ଆମ ଅଞ୍ଚଳରେ କଫ ସିରଫ ନିଶା କାରବାର ରୋକ୍ ଠୋକ୍ ଚାଲିଛି । ଛୋଟରୁ ବଡ଼ ସମସ୍ତେ ନିଶା କରି ଏଠି ଅପ୍ରିକର ପରିସ୍ଥିତି ସୃଷ୍ଟି କରି ଆସୁଛନ୍ତି । ଆମେ ବାରମ୍ବାର ପ୍ରଶାସନ ପୋଲିସକୁ ଅଭିଯୋଗ କରି ମଧ୍ୟ କୌଣସି ରୋକ୍ ଲାଗି ପାରୁ ନାହିଁ । ଆଜି ଏହି ବାଳକର ହତ୍ୟା ମଧ୍ୟ ଏହି କାରଣରୁ ହୋଇଥିବା ଆମେ ସନ୍ଦେହ କରୁଛୁ । ତାସ ଖେଳରେ ଉପୁଜିଥିବା କଳହରେ ବୋଧେ ସେହି ନିଶାଗ୍ରସ୍ତ ବାଳକ ଏଭଳି କାଣ୍ଡ ଭିଆଇଛି ବୋଲି ଆମେ ସନ୍ଦେହ କରୁଛୁ । ତେଣୁ ଏ ଅଞ୍ଚଳରେ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେ ପୁଣି ଦାବି କରୁଛୁ ।
ଏନେଇ ଫୋନ୍ ଯୋଗେ ବଲାଙ୍ଗୀର ଏସଡିପି ଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି ଯେ, ପିଲାମାନେ ତାସ ଖେଳୁଥିଲେ । କଥା କଟାକଟି ପରେ ଜଣେ ଆଉ ଜଣକୁ ରାଗରେ ଉତକ୍ଷିପ୍ତ ହୋଇ ଛୁରୀ ମାରି ଥିଲା । ଯାହାପରେ ସେହି ବାଳକର ମୃତ୍ୟୁ ହୋଇଛି । ଆମେ ଅଭିଯୁକ୍ତ ବାଳକକୁ ଅଟକ ରଖିଛୁ ଏବଂ ଅଧିକ ତଦନ୍ତ ଜାରି ରଖିଛୁ ।
ଇଟିଭି ଭାରତ, ବଲାଙ୍ଗୀର

