ETV Bharat / state

କଣ୍ଟାବାଞ୍ଜି ଡାକ୍ତରଖାନାରେ ଅବ୍ୟବସ୍ଥା; ପୁଣି ମୃତଦେହକୁ ମୋଟର ସାଇକେଲରେ ବୋହି ଘରକୁ ନେଲେ ପରିବାର ଲୋକେ

ଶବକୁ ଅସମ୍ମାନ ଆଜି ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଘଟିନି ।  ଏହା ପୂର୍ବରୁ ମଧ୍ୟ ଜଣେ ଶିଶୁର ମୃତଦେହକୁ ବାପା କାନ୍ଧରୋ ବୋହି ନେଇ ଯାଇଥିଲେ । ରିପୋର୍ଟ-ଶେଖ ମହମ୍ମଦ ୱାହିଦ୍

minor girl dead body carried by motorbike from hospital
କଣ୍ଟାବାଞ୍ଜି ଡାକ୍ତରଖାନାରେ ଅବ୍ୟବସ୍ଥା; ପୁଣି ମୃତଦେହକୁ ମୋଟର ସାଇକେଲରେ ବୋହି ଘରକୁ ନେଲେ ପରିବାର ଲୋକେ (Etv Bharat)
author img

By ETV Bharat Odisha Team

Published : August 25, 2026 at 7:15 PM IST

2 Min Read
Choose ETV Bharat

ବଲାଙ୍ଗୀର: ଶବକୁ ମିଳିଲାନି ସମ୍ମାନ । ପୁଣି ମୋଟର ସାଇକେଲରେ ବୁହାହେଲା ମୃତଦେହ । କଣ୍ଟାବାଞ୍ଜି ଡାକ୍ତରଖାନାରୁ ଜଣେ ଶିଶୁର ମୃତ ଦେହ ତାଙ୍କ ପରିବାର ଲୋକେ ମୋଟର ସାଇକଲ ନେଇଥିବା ଭିଡିଓ ଭାଇରାଲ ହୋଇଛି । ଏହାକୁ ଦେଖିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ସରକାରୀ ବ୍ୟବସ୍ଥା ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହା ଉପରେ ପ୍ରତିକ୍ରିୟା ରଖି କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ପରିବାର ଲୋକଙ୍କ ସୂଚନା ଅନୁସାରେ, କଣ୍ଟାବାଞ୍ଜି ଖଇରପଦର ଗ୍ରାମର କ୍ଷମାନିଧି ଛୁରାଙ୍କ ୧୨ ବର୍ଷିଆ ବାଳିକା ସୂର୍ଯ୍ୟକାନ୍ତିଙ୍କର ଝାଡ଼ାବାନ୍ତି ସାଙ୍ଗକୁ ଜ୍ୱର ହେଉଥିଲା । ତାଙ୍କର ଅବସ୍ଥା ଗୁରୁତର ହୋଇ ପଡିଥିଲା । ଗତ କାଲି ଅର୍ଥାତ୍ ଅଗଷ୍ଟ ୨୪ ତାରିଖ ଦିନ ପରିବାର ଲୋକେ ତାଙ୍କୁ ବଲାଙ୍ଗୀର କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିବା ବେଳେ ନାବାଳିକାର ରକ୍ତଚାପ ସମ୍ପୂର୍ଣ୍ଣ ଭାବରେ ଖସି ଯାଇଥିଲା। ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ଭର୍ତ୍ତି ହେବାର ଅଧ ଘଣ୍ଟାଏ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଣି ଶିଶୁକନ୍ୟାର ମୃତଦେହକୁ ମୋଟର ସାଇକେଲରେ ବୋହି ଘରକୁ ନେଲେ ପରିବାର ଲୋକେ (Etv Bharat)

ଏହାପରେ ପରିବାର ଲୋକେ ମୃତଦେହକୁ ଏକ ବାଇକ ଯୋଗେ ନେଇ ସେଠାରୁ ଚାଲି ଯାଇଥିଲେ। ଅନ୍ୟପକ୍ଷେ କାହାକୁ କିଛି ନ ଜଣାଇ ସେମାନେ ମୃତଦେହକୁ ମୋଟର ସାଇକଲରେ ଧରି ପଳାଇ ଆସିଥିଲେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କଣ୍ଟାବାଞ୍ଜି ଡାକ୍ତରଖାନାରେ କାହିଁକି ବାରମ୍ବାର ଏପରି ଅବ୍ୟବସ୍ଥା ଦେଖା ଯାଉଛି ? କାରଣ ଶବକୁ ଅସମ୍ମାନ ଆଜି ପ୍ରଥମ ଥର ପାଇଁ ଏଠାରେ ଘଟିନି । 2 ମାସ ତଳେ ଜଣେ କ୍ୱାକଙ୍କ ଚିକିତ୍ସାରେ ଗୋଟିଏ ଶିଶୁ ଗୁରୁତର ଅବସ୍ଥାରେ ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସକୁ ମାମଲା ତଦନ୍ତ ପାଇଁ କୁହାଯାଇଥିଲା । ହେଲେ ଶବକୁ କାନ୍ଧରେ ବୋହି ବାପା ଚାଲି ଚାଲି ପଲାଇଥିଲେ, ଯାହାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ଦ୍ୱିତୀୟ ଥର ପାଇଁ ଏପରି ଘଟଣା ଘଚିଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ଏ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରିଣୀ ପୁଷ୍ପାଞ୍ଜଳି ମିଶ୍ର କହିଛନ୍ତି "କଣ୍ଟାବାଞ୍ଜି ଡାକ୍ତରଖାନାରୁ ଗତକାଲି ଏଭଳି ଅଭିଯୋଗ ଆସିଥିଲା। ଆମେ ତାର ତଦନ୍ତ କରିଛୁ। ସୂର୍ଯ୍ୟକାନ୍ତି ଡାକ୍ତରଖାନାରେ ଭର୍ତ୍ତି ହେବା କ୍ଷଣି ଆମ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା। ତାର ରକ୍ତ ଚାପ ସମ୍ପୂର୍ଣ୍ଣ ଖସି ସାରିଥିଲା। ତାଙ୍କୁ ସିପିଆର ଇତ୍ୟାଦି ଦେବା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ପରିବାର ଲୋକେ କାହାକୁ କିଛି ସୂଚନା ନଦେଇ ଶବ ନେଇ ଚାଲି ଯାଇଥିଲେ।”


ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର କହିଥିଲେ, ‘ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା। 2 ମାସ ତଳେ ଜଣେ କ୍ଵାକଙ୍କ ଚିକିତ୍ସାରେ ଗୋଟିଏ ଶିଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ତାର ମୃତ୍ୟୁ ହୋଇଥିଲା। ଯାହାପରେ ପୋଲିସକୁ ମାମଲା ଯାଇଥିଲା। ହେଲେ ପରିବାର ଲୋକେ ଶବ ବ୍ୟବଚ୍ଛେଦକୁ ବାରଣ କରିଥିଲେ। ଏପରିକି ସେମାନେ ଶବର୍ ଆଦିବାସୀ ହୋଇଥିବାରୁ ମୃତଦେହ ବ୍ୟବଚ୍ଛେଦ କଲେ ଜାତିରୁ ବାସନ୍ଦ କରିବେ ବୋଲି କହି ମୃତଦେହକୁ କାନ୍ଧରେ ନେଇ ବାପା ପଲାଇ ଥିଲେ । ଆମର ସୁରକ୍ଷା କର୍ମୀ, ପୋଲିସ୍ ସମସ୍ତେ ଯାଇ ତାଙ୍କୁ ରାସ୍ତାରୁ ଉଦ୍ଧାର କରିଥିଲେ। ବୁଝା ଶୁଝା ପରେ ମଧ୍ୟ ସେମାନେ ନ ମାନିବାରୁ ଆମେ ତାଙ୍କୁ ଗାଡ଼ିରେ ପୁଣି ଘରକୁ ନେଇ ଛାଡ଼ିଥିଲୁ " ବୋଲି କହିଛନ୍ତି ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର ।

ଇଟିଭି ଭାରତ, ବଲାଙ୍ଗୀର

ଏହା ମଧ୍ୟ ପଢନ୍ତୁ ପୁରୀରେ ‘ଦୃଶ୍ୟମ୍‌’ ! ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିଦେଲା ପୁଅ

ଏହା ମଧ୍ୟ ପଢନ୍ତୁ ଗାଁକୁ ନାହିଁ ରାସ୍ତା, କାନ୍ଧରେ ବୁହାହେଲା ମୃତଦେହ