ଶାଗ ତୋଳିବାକୁ ଯାଇଥିବା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ଅଭିଯୁକ୍ତ ଗିରଫ
ଅନୁଗୋଳ NTPC ଥାନା ଅଞ୍ଚଳର ଜଣେ 12 ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ହତ୍ୟା କରାଯାଇଛି । ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି ।

Published : February 28, 2026 at 12:45 PM IST
ରିପୋର୍ଟ: ସଂଗ୍ରାମ ରଞ୍ଜନ ନାଥ
ଅନୁଗୋଳ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘର ନିକଟସ୍ଥ କ୍ଷେତକୁ ଯାଇଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅନୁଗୋଳ ଜିଲ୍ଲା NTPC ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ନାବାଳିକାଙ୍କୁ ହତ୍ୟା:
ଅନୁଗୋଳ SP ରାହୁଲ ଜୈନଙ୍କ କହିବା ଅନୁସାରେ, ଗତ 26 ତାରିଖରେ ଅନୁଗୋଳ NTPC ଥାନା ଅଞ୍ଚଳର ଜଣେ 12 ବର୍ଷିୟା ନାବାଳିକା ତାଙ୍କ ଘର ନିକଟସ୍ଥ କ୍ଷେତକୁ ଯାଇଥିଲେ । ସେଠାରୁ ଘରକୁ ନଫେରିବାରୁ ପରିବାର ଲୋକ NTPC ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ନିଖୋଜ ରିପୋର୍ଟ ପାଇବା ପରେ, NTPC ପୋଲିସ ତୁରନ୍ତ କେସ ନମ୍ବର. 44/2026ରେ FIR ପଞ୍ଜିକୃତ କରିଥିଲା । ଏନେଇ ତାଳଚେର ଏସଡିପିଓ ଏବଂ ସ୍ଥାନୀୟ ଥାନା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଏକାଧିକ ସନ୍ଧାନ ଟିମ୍ ଗଠନ କରାଯାଇଥିଲା ।

ଘଞ୍ଚ ବୁଦା ମୂଳରୁ ମୃତଦେହ ଠାବ:
ଘଟଣା ଦିନ ସାରା ରାତି ପୋଲିସ ନିକଟସ୍ଥ କ୍ଷେତ, ଜଙ୍ଗଲ ଅଞ୍ଚଳ ଏବଂ ଜଳାଶୟଗୁଡ଼ିକୁ ଭଲ ଭାବରେ ଖୋଜିଥିଲା । ପରେ 27 ତାରିଖ ସକାଳେ, ଘଞ୍ଚ ବୁଦା ମୂଳରୁ ନାବାଳିକାଙ୍କ ମୃତଦେହ ଠାବ କରାଯାଇଥିଲା । ଅନୁଗୋଳର ପୋଲିସ ଅଧିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ତଦାରଖ କରିଥିଲେ । ଅଧିକ ତଦନ୍ତପାଇଁ ଅତିରିକ୍ତ SP ସମୀର ପଣ୍ଡା, ତାଳଚେର SDPO ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ସହ K9 ସ୍କ୍ୱାଡ୍ ଦ୍ବାରା ଘଟଣାସ୍ଥଳ ଯାଞ୍ଚ କରାଯାଇଥିଲା । ଅଭିଯୁକ୍ତକୁ ଧରିବା ପାଇଁ ଆଉ ଏକ ଦଳ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।
ଅଭିଯୁକ୍ତ ଗିରଫ:
ସେପଟେ ମୃତଦେହ ଉଦ୍ଧାର ହେବାର 24 ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ମୃତ ନାବାଳିକାଙ୍କ ଗାଁର ଅଭିମନ୍ୟୁ ନାଏକଙ୍କ ପୁଅ ଆଶିଷ ନାଏକ (20) । ସେ ନାବାଳିକାଙ୍କୁ ହତ୍ୟା କରିବା ପରେ ଫୋନ ସ୍ବିଚ୍ ଅଫ କରି ଫେରାର ହୋଇଯାଇଥିଲା ।

ଅନୁଗୋଳ SP ରାହୁଲ ଜୈନ କହିଛନ୍ତି, "ନାବାଳିକା ଜଣଙ୍କ ଶାଗ ତୋଳାବା ପାଇଁ କ୍ଷେତକୁ ଯାଇଥିଲା । ଅଭିଯୁକ୍ତ ଜଣଙ୍କ ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା । ନାବାଳିକା ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ହତ୍ୟା କରି ଫୋରାର ହୋଇଯାଇଥିଲା ।"
ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ:
ଏହି ମାମଲାକୁ ଏକ SR (ସ୍ପେଶାଲ୍ ରିପୋର୍ଟ)ମାମଲା ଭାବରେ ବିଚାର କରାଯାଇଛି । IUCAWର DSP, ଯୋଗେଶ୍ୱରୀ ବେହେରାଙ୍କୁ ଏକ ପୁଙ୍ଖାନୁପୁଙ୍ଖ ଏବଂ ସମୟସୀମା ମଧ୍ୟରେ ତଦନ୍ତ ପାଇଁ ନ୍ୟସ୍ତ କରାଯାଇଛି । ଅନୁଗୋଳ SP ରାହୁଲ ଜୈନ ମାମଲାର ତଦନ୍ତ ତଦାରଖ କରୁଛନ୍ତି । ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ଫୋରେନସିକ୍ ପରୀକ୍ଷା ସମେତ ସମସ୍ତ ଆଇନଗତ ପ୍ରକ୍ରିୟା ଆଇନ ଅନୁଯାୟୀ କରାଯାଉଛି । ଆଇନର ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଯୁବତୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ, ପ୍ରେମିକ ସମେତ 2 ଗିରଫ 4 ମହଲାରୁ ଖସି ଯୁବତୀଙ୍କ ମୃତ୍ୟୁ: ପ୍ରେମିକ ସହ 3 ଅଟକ, ରହସ୍ୟ ଖୋଲିବ ବ୍ୟବଚ୍ଛେଦ ରିପୋର୍ଟ |
ଇଟିଭି ଭାରତ, ଅନୁଗୋଳ

