ଦୁଇ ବାଇକ ମୁହାଁମୁହିଁ ଧକ୍କା; ଚାଲିଗଲା ନାବାଳକଙ୍କ ଜୀବନ, ଦୁଇ ଗୁରୁତର
ଆଳି ଥାନା ଅନ୍ତର୍ଗତ ଭୂଇଁପୁର ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏଣ୍ଡୋଳ ଗାଁର ରାକେଶ ମଲ୍ଲିକ ନାମକ ଜଣେ ନାବାଳକଙ୍କ ମୃତ୍ୟୁୁ ଘଟିଛି । ରିପୋର୍ଟ- ରାଧାକାନ୍ତ ମହାନ୍ତି

Published : August 31, 2026 at 4:25 PM IST
କେନ୍ଦ୍ରାପଡ଼ା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର । ଆଳି ଥାନା ଅନ୍ତର୍ଗତ ଭୂଇଁପୁର ରାସ୍ତାରେ ଆଜି (ସୋମବାର) ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ନାବାଳକ ଜଣକ ଏଣ୍ଡୋଳ ଗ୍ରାମର ରାକେଶ ମଲ୍ଲିକ (୧୭) ବୋଲି ଜଣାପଡ଼ିଛି ।
ଦୁଇ ନାବାଳକ ରାକେଶ ମଲ୍ଲିକ ଓ ତାଙ୍କ ସାଙ୍ଗ ସୌମ୍ୟରଞ୍ଜନ ଧଳ ନିଜ ଗାଁରୁ ବାଇକ୍ ଯୋଗେ ଆଳି ବଜାରକୁ ଆସୁଥିଲେ । ଏହି ସମୟରେ ଆଳି ପଟୁ ଭୂଇଁପୁର ଆଡ଼କୁ ଯାଉଥିବା ଯାଜପୁର ଜାରକା ଅଞ୍ଚଳର ବଳରାମ ପାଣିଙ୍କ ବାଇକ୍ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ରାକେଶ ଓ ସୌମ୍ୟ ଛିଟିକି ପଡ଼ି ରାସ୍ତା ପାଖରେ ଥିବା ଜଳମଗ୍ନ ବିଲ ଭିତରେ ପଡ଼ିଯାଇଥିଲେ ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଆଳି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବଂ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନିର୍ବାଣ ବୋଷ କହିଛନ୍ତି,"ଆଜି ବାଇକ୍ ଦୁର୍ଘଟଣାର ଶିକାର ହୋଇଥିବା ତିନି ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ଜଣଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡ଼ା ରେଫର୍ କରାଯାଇଛି ।"
ଇଟିଭି ଭାରତ, କେନ୍ଦ୍ରାପଡ଼ା

