ବ୍ରଜରାଜନଗରରେ ୮ କୋଟି ପ୍ରକଳ୍ପର ଲୋକାର୍ପଣ କଲେ ରାଜସ୍ବ ମନ୍ତ୍ରୀ, ନିର୍ମାଣ ହେବ ଅତ୍ୟାଧୁନିକ ପାଠାଗାର ଓ ଆମିଷ ମାର୍କେଟ କମ୍ପ୍ଲେକ୍ସ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।ରିପୋର୍ଟ: ଭବାନୀ ଶଙ୍କର ଦାସ

Published : October 12, 2026 at 7:03 AM IST
ଭୁବନେଶ୍ବର: ବ୍ରଜରାଜନଗର ପୌରପରିଷଦ ଅଞ୍ଚଳର ଭିତ୍ତିଭୂମି ବିକାଶ ତଥା ସାମଗ୍ରିକ ଉନ୍ନତି ପାଇଁ ଏକାଧିକ ଜନହିତକର ପ୍ରକଳ୍ପର ଶୁଭ ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାୟ ୮ କୋଟି ଟଙ୍କା ବ୍ୟୟଅଟକଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ଏସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ:
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ୩.୬୦ କୋଟି ଟଙ୍କା ବିନିମୟରେ ନୂତନ ଆମିଷ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସେହିପରି ୩.୪୨ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ପାଠାଗାର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଅତ୍ୟାଧୁନିକ ପାଠାଗାର ନିର୍ମାଣ ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ । ସାଧାରଣ ପାଠକମାନେ ମଧ୍ୟ ବିଶେଷ ଭାବରେ ଉପକୃତ ହେବେ । ଏହା ସହିତ ଲଜକୁରାରେ ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରଥମ ପର୍ଯ୍ୟାୟ ଗୋଶାଳାର ଶୁଭ ଉଦଘାଟନ ହୋଇଛି । ସେହିପରି ଗୋଲ ଛକରେ ୪୦ ଲକ୍ଷ ଟଙ୍କା ବିନିମୟରେ ଆଧୁନିକୀକରଣ କରାଯାଇଛି ।

ଡ୍ରାମା ପେଣ୍ଡାଲ ଏବଂ ଗାନ୍ଧୀ ଛକ ଠାରେ ୨୩.୫ ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ ହୋଇଥିବା ନୂତନ ଗୋଷ୍ଠୀ କେନ୍ଦ୍ର ତଥା ପେଣ୍ଡାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଡ୍ରାମା ପେଣ୍ଡାଲର ଉନ୍ନତୀକରଣ ଫଳରେ ଅଞ୍ଚଳର କଳା, ସଂସ୍କୃତି ଓ ନାଟ୍ୟପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ମଞ୍ଚ ସୃଷ୍ଟି ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ଗାନ୍ଧିଛକ ଠାରେ ୧୯,୯୯,୯୦୦ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର ଏବଂ ୩,୫୦,୦୦୦ ଟଙ୍କା ବ୍ୟୟରେ ଦୁର୍ଗା ପୂଜା ପେଣ୍ଡାଲ ଉପରେ ଟିଣଛାତ ନିର୍ମାଣ କାର୍ଯ୍ୟର ଶୁଭ ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ବେଶ୍ ସହାୟକ ହେବ । "
ଏହା ମଧ୍ୟ ପଢ଼ନ୍ତୁ... ସମ୍ବଲପୁରକୁ 'ମଡେଲ' ବନାଇବାକୁ ଯୋଜନା: କୃଷି, ମାଛ ଚାଷ ଓ ପଞ୍ଚାୟତ ଉନ୍ନୟନ ଉପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଗୁରୁତ୍ଵ ସମ୍ବଲପୁରରେ ରାସ୍ତା ସମସ୍ୟା, ଧୂଳି ପ୍ରଦୂଷଣ ଓ ସିଏସଆର କାର୍ଯ୍ୟ ଉପରେ ଧର୍ମେନ୍ଦ୍ରଙ୍କ କ୍ଷୋଭ |
ଇଟିଭି ଭାରତ, ଭୁବନେଶ୍ବର

