ସମ୍ବଲପୁରରେ ଲଜ୍ଜ୍ୟା: ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ, ପୀଡ଼ିତା ଗର୍ଭବତୀ !
ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ଅମାନୁଷିକ କାଣ୍ଡ । 14 ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗ ।


Published : February 28, 2026 at 6:23 PM IST
ରିପୋର୍ଟ- ବାଦଶାହା ଜୁସ୍ମନ ରଣା
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି l ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ 14 ବର୍ଷୀୟ ମାନସିକ ଅନଗ୍ରସର ତଥା ମୁକ ବଧିର ନାବାଳିକାଙ୍କ ଅସ୍ବାଭାବିକ ଭାବେ ପେଟ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ତାଙ୍କ ବାପା ମା' ସନ୍ଦେହ କରିଥିଲେ l
ଗତ ବୁଧବାର ଦିନ ସେମାନେ ସମ୍ପୃକ୍ତ ନାବାଳିକାଙ୍କ ବାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡ଼ାକ୍ତରୀ ଯାଞ୍ଚ କରାଇଥିବା ବେଳେ ସେ ଗର୍ଭବତୀ ଥିବା ଜଣାପଡିଥିଲା l ମାତ୍ର ନାବାଳିକା ଜଣକ ମୁକ ବଧିର ଥିବା ବେଳେ କିଏ ତାଙ୍କ ସହ ଦୁଷ୍କର୍ମ କଲା ସେ କହି ପାରୁ ନାହାଁନ୍ତି l ଏହାକୁ ନେଇ ପୀଡ଼ିତାଙ୍କ ମାଆ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଉକ୍ତ ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଥିବା ସୂଚନା ରହିଛି l
ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗ
ପୀଡ଼ିତା ହେଉଛନ୍ତି ୧୪ ବର୍ଷିୟା ନାବାଳିକା
ସେ ଗର୍ଭଧାରଣ କରିଥିବା ଆଶଙ୍କା କରି ଡ଼ାକ୍ତରୀ ଯାଞ୍ଚ କରାଇଥିଲେ ପରିବାର ଲୋକେ
ନାବାଳିକା ଜଣକ କଥା କହିପାରନ୍ତିନି କି ଶୁଣିପାରନ୍ତିନି
ନାବାଳିକା ଜଣକ ପ୍ରାୟ 4 ମାସର ଗର୍ଭବତୀ ଥିବା ଅନୁମାନ କରାଯାଉଛି l ଗୁରୁବାର ଦିନ ତାଙ୍କ ଡ଼ାକ୍ତରିମାଇନା କରାଯାଇଛି l ଜଣେ ମୁକ ବଧିର ତଥା ମାନସିକ ଅନଗ୍ରସର ନାବାଳିକାଙ୍କ ସହ ଏପରି ଅମାନୁଷିକ ଘଟଣା ଜାଣି ସମସ୍ତେ ସ୍ତବ୍ଧ ହୋଇ ପଡିଛନ୍ତି l ଅନ୍ୟ ପଟେ ପୋଲିସ ଏନେଇ ଗୋବିନ୍ଦପୁର ଥାନାରେ ପକ୍ସୋ ଆଇନରେ ଦୁଷ୍କର୍ମ ମାମଲା ରୁଜୁ କରିଛି l ଏସଆଇ ଫିରୋଜ ଏକ୍କା ଉକ୍ତ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି l
ଅନ୍ୟପଟେ ସମ୍ବଲପୁର ଏସପି ମୁକେଶ କୁମାର ଭାମୂ ଏପରି ଘଟଣା ନେଇ ଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି l
ଏହା ବି ପଢନ୍ତୁ- ରାଜ୍ୟରେ ଦିନକୁ ହାରାହାରି 8 ଦୁଷ୍କର୍ମ ଓ 20 ଅସଦାଚରଣ ମାମଲା
ଇଟିଭି ଭାରତ, ସମ୍ବଲପୁର

