ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା: 'ଅଭିଯୁକ୍ତ ଭୀମସେନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ, ହୋଇପାରେ ମିଛ ଧରା ପରୀକ୍ଷା'- କଟକ ଡିସିପି
ଆବଶ୍ୟକ ପଡ଼ିଲେ ଅଭିଯୁକ୍ତ ଭୀମସେନଙ୍କର କରାଯାଇପାରେ ଲାଇ-ଡିଟେକ୍ସନ ବା ମିଛ ଧରା ପରୀକ୍ଷା, ବୋଲି କହିଛନ୍ତି କଟକ ଡିସିପି । ରିପୋର୍ଟ- ନାରାୟଣ ସାହୁ

Published : June 23, 2026 at 4:39 PM IST
DCP ON CHANDRIKA DEATH ISSUE, କଟକ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାକୁ ଅତି ଗୁରୁତ୍ୱର ସହ ନେଇଛି କଟକ କମିଶନରେଟ ପୋଲିସ । ଅଧିକ ଖୋଳତାଡ଼ ପାଇଁ ଅଭିଯୁକ୍ତ ପ୍ରେମିକ ଭୀମସେନ ଟୁଡୁଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବାରଙ୍ଗ ପୋଲିସ । ଏନେଇ ପ୍ରତିକ୍ରିୟା ରଖି କଟକ ଡିସିପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି ଯେ, "ତଦନ୍ତ ସମୟରେ ଚନ୍ଦ୍ରିକାଙ୍କ ପରିବାରବର୍ଗ ଏବଂ ବୈଷୟିକ ତଦନ୍ତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପୋଲିସ ହାତରେ ଲାଗିଛି । ବିଶେଷକରି ଫୋନରେ ବାର୍ତ୍ତାଳାପ, ଫଟୋ ଆଦି ପୋଲିସ ହାତରେ ଲାଗିଛି । ଯେଉଁଥିରେ ଭୀମସେନଙ୍କ ପରିବାର ଲୋକଙ୍କ ସହ ଚନ୍ଦ୍ରିକାଙ୍କ ଅତି ନିବିଡ଼ ସମ୍ପର୍କ ରହିଥିଲା ।
ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତ ଭୀମସେନ, ପୂର୍ବରୁ ଚନ୍ଦ୍ରିକାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ପରେ ସେଥିରୁ ଓହରି ଯାଇଥିଲେ । ଭୀମସେନଙ୍କ ପରିବାର ଲୋକଙ୍କ ଏଥିରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି । ଏପରିକି ବିବାହ ପ୍ରତିଶୃତି ଦେଇ ଭୀମସେନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଥିବା ଅଭିଯୋଗ ହୋଇଛି । ତେଵେ ଏହି ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ପୋଲିସ ଟିମ୍ ମୟୂରଭଞ୍ଜର ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରକୁ ଯାଇ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି ।
ଏହାବ୍ୟତୀତ ସାଇବର ଫୋରେନ୍ସିକ୍ ତଦନ୍ତ ମାଧ୍ୟମରେ ଚନ୍ଦ୍ରିକାଙ୍କ ମୋବାଇଲରୁ ହ୍ୱାଟସଆପ୍ ଚାଟ୍, ଫଟୋଗ୍ରାଫ୍ ଏବଂ ଅଡିଓ ରେକର୍ଡିଂ ଜବତ କରାଯାଇଛି । ଯାହା ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅଧିକ ଦୃଢ଼ କରୁଛି । ଡିସିପି ରିଷିକେଶ ଖିଲାରୀଙ୍କ କହିବା ଅନୁସାରେ, ଏବେ ସିଡିଆର୍ ଓ ସିସିଟିଭି ଫୁଟେଜ୍ ଆଧାରରେ ଚନ୍ଦ୍ରିକାଙ୍କ ଗତିବିଧିର ଯାଞ୍ଚ କରାଯାଉଛି । ତଦନ୍ତ ପରିସରକୁ ବ୍ୟାପକ କରାଯିବା ସହ, ଏହି ଘଟଣାରେ ଯାହାର ସମ୍ପୃକ୍ତି ସାମ୍ନାକୁ ଆସିବ, ସେମାନଙ୍କୁ ପଚରାଉଚରା ପାଇଁ ଡକାଯିବ ।
ନିୟମାନୁଯାୟୀ, ଚାର୍ଜଶିଟ୍ ଦାଖଲ କରିବାର ଉପର ସୀମା ୯୦ ଦିନ ଥିଲେ ମଧ୍ୟ ପୋଲିସ ଏହାକୁ ଯଥାଶୀଘ୍ର ଦାଖଲ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତ ଭୀମସେନଙ୍କର କରାଯାଇପାରେ ଲାଇ-ଡିଟେକ୍ସନ ବା ମିଛ ଧରା ପରୀକ୍ଷା, ବୋଲି କହିଛନ୍ତି କଟକ ଡିସିପି । ଗତ ଜୁନ୍ 4 ତାରିଖରେ ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ି ନିକଟରୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ଭୀମସେନଙ୍କୁ ଗିରଫ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ- ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପ୍ରେମିକ ଭୀମସେନ ଟୁଡୁ ଗିରଫ୍
ଏହା ମଧ୍ୟ ପଢ଼ନ୍ତୁ- ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣା: 'ପୁରୁଷ ବନ୍ଧୁଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ'- ଡିସିପି
ଏହା ମଧ୍ୟ ପଢ଼ନ୍ତୁ- ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୁରୁଷ ବନ୍ଧୁ
ଏହା ମଧ୍ୟ ପଢ଼ନ୍ତୁ- ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା; ବନ୍ଧା ହେବେ ପୁରୁଷ ବନ୍ଧୁ ! ଫେରାର ଥିବା କହିଲା ପୋଲିସ
ଏହା ମଧ୍ୟ ପଢ଼ନ୍ତୁ- କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ
ଇଟିଭି ଭାରତ, କଟକ

