OSRTC ବସ୍ ଯାତ୍ରୀ ଭଡା ଆତ୍ମସାତ୍ ମାମଲା, ପଶ୍ଚିମବଙ୍ଗରୁ ସୁପରଭାଇଜର ଗିରଫ
ସୁପର ଭାଇଜର ଲଳିତ ବାରିକ ୧୭ ଲକ୍ଷ ୩୦ ହଜାର ୪୪୪ ଟଙ୍କା ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଦୀର୍ଘ ଦିନର ଲୁଚକାଳି ଖେଳ ପରେ ପଶ୍ଚିମବଙ୍ଗରୁ ଗିରଫ କଲା ପୋଲିସ

Published : January 5, 2026 at 8:10 PM IST
Supervisor Arrested ରାଇରଙ୍ଗପୁର: ମିଳିଥିଲା OSRTC ବସ୍ରେ ସୁପରଭାଇଜର ଚାକିରି । ହେଲେ ଯାତ୍ରୀଙ୍କ ଭଡା ଟଙ୍କା ସରକାରଙ୍କ ନିକଟରେ ଡିପୋଜିଟ୍ କରିବା ବଦଳରେ କରୁଥିଲେ ଆତ୍ମସାତ୍ । ହଜାର କି ଲକ୍ଷେ ନୁହେଁ । 17 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହେଲା । ଧରାପଡିବା ଭୟରେ ଫେରାର ହୋଇଯାଇଥିଲେ । ଶେଷରେ ଓଏସ୍ଆରଟିସିର ଲକ୍ଷାଧିକ ଟଙ୍କା ଘୋଟାଲା ମାମଲାରେ ପଶ୍ଚିମବଙ୍ଗରୁ ଗତକାଲି(ରବିବାର) ଫେରାର ଅଭିଯୁକ୍ତ ସୁପରଭାଇଜର ଲଳିତ ବାରିକଙ୍କୁ ଗିରଫ କରିଛି ବିଶୋଇ ଥାନା ପୋଲିସ ।

କଣ ଥିଲା ମାମଲା ?
ମୟୂରଭଞ୍ଜ ଜିଲ୍ଲା ଓଏସ୍ଆରଟିସିର ସୁପରଭାଇଜର ଲଳିତ ବାରିକ ବିଶୋଇ ବ୍ଲକ ଦାୟିତ୍ଵରେ ଥିବା ବେଳେ ଗତ ୨୦୨୪-୨୫ ଓ ୨୦୨୫-୨୬ ଦୁଇ ଆର୍ଥିକ ବର୍ଷର ଯାତ୍ରୀଙ୍କ ଭଡା ଟଙ୍କା ୧୭ ଲକ୍ଷ ୩୦ ହଜାର ୪୪୪ ଟଙ୍କା ଆତ୍ମସାତ୍ କରି ନକଲି ବ୍ୟାଙ୍କ ଭାଉଚର ମୟୂରଭଞ୍ଜ ଜିଲ୍ଲା ଓଏସଆରଟିସି କାର୍ଯ୍ୟାଳୟରେ ଡିପୋଜିଟ୍ କରୁଥିଲେ । ଏହି ମାମଲା ଜଣାପଡିବା ପରେ ଓଏସଆରଟିସିର ଅଧିକାରୀ ମାନେ ଥାନାରେ ଅଭିଯୋଗ ନ କରି ତାଙ୍କ ସହିତ ଆପୋଷ ବୁଝାମଣା କରିଥିଲେ । ସେ ଆତ୍ମସାତ୍ କରିଥିବା ଅର୍ଥ ମଧ୍ୟରୁ ମାତ୍ର ୧ ଲକ୍ଷ ୬୪ ହଜାର ୫ ଶହ ଟଙ୍କା ପୈଠ କରି ଚୁପଚାପ୍ ବସି ରହିଥିଲେ ।

ଘଟଣା ପ୍ରଘଟ ପରେ ମାମଲା ରୁଜୁ:
ଏହି ଘଟଣା ପ୍ରଚାରିତ ହେବା ପରେ ବିଭାଗୀୟ ପଦାଧିକାରୀ ବିଶୋଇ ଥାନାରେ ଏକ ମାମଲା ରୁଜୁ କରିଥିଲେ । ମାମଲା ରୁଜୁ ହେବା ପରେ ସୁପରଭାଇଜର ଲଳିତ ବାରିକ ଫେରାର ହୋଇଯାଇଥିଲେ । ତାଙ୍କ ମୋବାଇଲ ଟ୍ରାକିଙ୍ଗ କରି ବିଶୋଇ ପୋଲିସକୁ ଏହି ସଫଳତା ମିଳିଛି । ଏଵେ ତଦନ୍ତ ହେଲେ ତାଙ୍କର ଏହି ଅର୍ଥ ଆତ୍ମସାତ ମାମଲାରେ ସେ କେବଳ ଅଛି କିମ୍ବା ଓଏସଆରଟିସିର ଅନ୍ୟ କୌଣସି କର୍ମଚାରୀ/ ଅଧିକାରୀ ରହିଛନ୍ତି ତାହା ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି ।

କେଉଁଠୁ ଗିରଫ କଲା ପୋଲିସ ?
ବିଶୋଇ ପୋଲିସର ସବ ଇନ୍ସପେକ୍ଟର ଘନଶ୍ୟାମ ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ପଶ୍ଚିମବଙ୍ଗ ଯାଇଥିଲା । ପଶ୍ଚିମବଙ୍ଗ ପୋଲିସ୍ ସହାୟତାରେ ଝାଡଗ୍ରାମ ଥାନା ଅନ୍ତର୍ଗତ ରାଧାପଡା ଗ୍ରାମର ତାଙ୍କ ସମ୍ପର୍କୀୟଙ୍କ ଘରୁ ଗତକାଲି(ରବିବାର) ବିଳମ୍ବିତ ରାତିରେ ଲଳିତ ବାରିକଙ୍କୁ ଗିରଫ କରିଛି ।
ଟଙ୍କା ଆତ୍ମସାତ୍ ମାନିଲା ଅଭିଯୁକ୍ତ:
ଘଟଣା ସମ୍ପର୍କରେ ବିଶୋଇ ଥାନାର ପୋଲିସ ଏସଆଇ ଘନଶ୍ୟାମ ମଲ୍ଲିକଙ୍କୁ ଇଟିଭି ଭାରତ ଯୋଗାଯୋଗ କରିଥିଲା । ସେ ଫୋନୋ ଯୋଗେ କହିଛନ୍ତି, ‘ଅଭିଯୋଗ ଆଧାରରେ ବିଶୋଇ ଥାନାରେ ପୋଲିସ କେସ ନଂ ୨୩୨/୨୫ରେ ଏକ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିଲା । ହେଲେ ଅଭିଯୁକ୍ତ ଜଣକ ବିଶୋଇ ବ୍ଲକ ଓଏସ୍ଆରଟିସି ସୁପରଭାଇଜର ଲଳିତ ବାରିକ ଫେରାର ଥିବାରୁ ତଦନ୍ତରେ ଅସୁବିଧା ହୋଇଥିଲା । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ତାଙ୍କୁ ସମ୍ପର୍କୀୟଙ୍କ ଘରୁ ଗିରଫ କରାଯାଇ ମୟୂରଭଞ୍ଜ ଅଣାଯାଇଛି । ପଚରାଉଚରା ପରେ ୧୭ ଲକ୍ଷ ୩୦ ହଜାର ୪୪୪ ଟଙ୍କା ଆତ୍ମସାତ କରିଥିବା ବେଳେ ୧ ଲକ୍ଷ ୬୪ ହଜାର ୫୦୦ ଟଙ୍କା ପୈଠ କରିଥିବାର ସ୍ବୀକାର କରିଛନ୍ତି ।’
ଆସନ୍ତାକାଲି କୋର୍ଟଚାଲାଣ:
ପୋଲିସ ଏସଆଇ ଘନଶ୍ୟାମ ଆହୁରି କହିଛନ୍ତି ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତଦନ୍ତ ସମୟରେ ଯଦି ଉକ୍ତ ଘଟଣାରେ କେହି ସଂପୃକ୍ତ ଥିବେ ତାଙ୍କୁ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ଲଳିତ ବାରିକକୁ ଆସନ୍ତାକାଲି(ମଙ୍ଗଳବାର) କୋର୍ଟ ଚାଲାଣ କରାଯିବ ।
ଇଟିଭି ଭାରତ, ମୟୂରଭଞ୍ଜ

