କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଡାଇରିଆ ଆତଙ୍କ, ୨୦ରୁ ଅଧିକ ଛାତ୍ରୀ ଆକ୍ରାନ୍ତ, ୩ ଗୁରୁତର ହସ୍ପିଟାଲରେ ଭର୍ତ୍ତି
ମୟୂରଭଞ୍ଜ କୁଳିଅଣା ବ୍ଲକ ଅନ୍ତର୍ଗତ ଚାନ୍ଦୁଆରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରାୟ 20 ଜଣ ଛାତ୍ରୀ ଡାଇରିଆ ବ୍ୟାପିବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି । ରିପୋର୍ଟ: ସଞ୍ଜୟ ପରିଡ଼ା

Published : July 5, 2026 at 7:08 AM IST
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଚାନ୍ଦୁଆ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । 20ରୁ ଅଧିକ ଛାତ୍ରୀ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ 3 ଜଣ ଛାତ୍ରୀ ଗୁରୁତର ହେବାର ଖବର ସାମ୍ନାକୁ ଆସିଛି । ଦୂଷିତ ଜଳ କିମ୍ବା ଖାଦ୍ୟଜନିତ କାରଣରୁ ଡାଇରିଆ ବ୍ୟାପିଥିବାର ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ ସ୍କୁଲ ପରିସରରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।
KGBVରେ ଡାଇରିଆ ଆତଙ୍କ:
ସୂଚନା ମୁତାବକ, ବିଦ୍ୟାଳୟର 20ରୁ ଅଧିକ ବାଳିକା ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ପାଇବା ମାତ୍ରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତୁରନ୍ତ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ । ମେଡିକାଲ ଟିମ୍ ସ୍କୁଲରେ ହିଁ ଅସ୍ଥାୟୀ ଭାବେ ଆକ୍ରାନ୍ତ ଛାତ୍ରୀମାନଙ୍କର ପ୍ରାଥମିକ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କୁ ସ୍ୱତନ୍ତ୍ର ନଜରରେ ରଖି ଚିକିତ୍ସା କରାଯାଉଛି । ବର୍ତ୍ତମାନ ସ୍କୁଲର ଅନ୍ୟ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି । ସୁସ୍ଥ ଥିବା ଅନ୍ୟ ଛାତ୍ରୀମାନେ ଯେପରି ଡାଇରିଆରେ ଆକ୍ରାନ୍ତ ନ ହୁଅନ୍ତି ସେନେଇ ଖାଦ୍ୟ ଓ ପାନୀୟର ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ପାର୍ବତୀ ବିନ୍ଧାଣୀ କହିଛନ୍ତି, "ପାଖାପାଖି 20 ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଗୁରୁତର ଥିବାରୁ 3 ଜଣଙ୍କୁ ହସ୍ପିଟାଲକୁ ଅଣାଯାଇଛି ।"
ସପଟେ ସ୍ୱାସ୍ଥ୍ୟ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ଦୂଷିତ ପାନୀୟ ଜଳ କିମ୍ବା ଖାଦ୍ୟ ଯୋଗୁଁ ଏହି ରୋଗ ହୋଇଥାଇପାରେ । ରିପୋର୍ଟ ଆସିବା ପରେ ହିଁ ଏହାର କାରଣ ସ୍ପଷ୍ଟ ହେବ ବୋଲି ସେମାନେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ କାକବନ୍ଧ ଆଶ୍ରମ ସ୍କୁଲରେ ହଷ୍ଟେଲ ଖାଦ୍ୟ ଖାଇବା ପରେ ୧୪୬ ଜଣ ଅନ୍ତେବାସୀ ଝାଡାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ସମସ୍ତଙ୍କ ଛାତି ଓ ପେଟରେ ଯନ୍ତ୍ରଣା ସହ ଜ୍ବର ଓ ଝାଡାବାନ୍ତି ହୋଇଥିଲା । ସମସ୍ତଙ୍କୁ ରାସଗୋବିନ୍ଦପୁର ସିଏଚସିରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୬୦ ଜଣ ଗୁରୁତର ଅନ୍ତେବାସୀଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଇଥିଲା । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଛାତ୍ରୀଙ୍କ ଆଇସିୟୁରେ ଥିବା ସମୟରେ ମୃତ୍ୟୁ ଘଟିଥିଲା ।
ସେ ସମୟରେ ମେଡିକାଲରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହିତ ରାଜରାସ୍ତାକୁ ଓହ୍ଲାଇ ଥିଲେ ଉତ୍ୟକ୍ତ ଲୋକେ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ତେବେ ଏପରି ପରିସ୍ଥତି ସୃଷ୍ଟି ନ ହେବା ପାଇଁ ଚାନ୍ଦୁଆ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି । ବିଦ୍ୟାଳୟରେ ଆକ୍ରାନ୍ତ ଛାତ୍ରୀମାନଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି । ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଡାଇରିଆ ନ ବ୍ୟାପିବା ପାଇଁ ବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ |
ଇଟିଭି ଭାରତ, ମୟୂରଭଞ୍ଜ

