ଶାନ୍ତି ଶୃଙ୍ଖଳାରେ ସରିଲା ମାଟ୍ରିକ ପରୀକ୍ଷା, ମେ'ରେ ପ୍ରକାଶ ପାଇବ ଫଳ
ଚଳିତ ବର୍ଷ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଦେଖିବାକୁ ମିଳିଛି । ପ୍ରଶ୍ନପତ୍ର ତ୍ରୁଟି, ପ୍ରଶ୍ନ ଲିକ୍ କିମ୍ବା ଭାଇରାଲ୍ ଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇନାହିଁ ।


Published : March 2, 2026 at 4:32 PM IST
କଟକ: ଆଜି ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । କୌଣସି ପ୍ରକାର ବିଭ୍ରାଟ କିମ୍ବା ବିଶୃଙ୍ଖଳା ବିନା ପରୀକ୍ଷା ସମାପ୍ତ ହୋଇଥିବା ବେଳେ ବୋର୍ଡ ପକ୍ଷରୁ ଏବେ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ପରୀକ୍ଷା ଶେଷ ହେବା ପରେ ଏବେ ଖାତା ଦେଖା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ପ୍ରଥମ ଥର ଲାଗି ବୋର୍ଡ କାର୍ଯ୍ୟାଳୟରେ ହିଁ ଓଏମଆର (OMR) ସ୍କାନିଂ କାର୍ଯ୍ୟ କରାଯିବାର ବ୍ୟବସ୍ଥା ହୋଇଛି ।

ରାଜ୍ୟର ମୋଟ ୩,୦୮୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ଏହି ବୋର୍ଡ ପରୀକ୍ଷା ଦେଇଛନ୍ତି । ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ଥିଲା ପରୀକ୍ଷା। ଚଳିତ ଥର ପ୍ରଥମ କରି ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ସିସିଟିଭିର ବ୍ୟବହାର କରାଯାଇଥିଲା । ବୋର୍ଡ କାର୍ଯ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ସାରା ରାଜ୍ୟର ୩,୦୮୨ଟି କେନ୍ଦ୍ର ଉପରେ ସିଧାସଳଖ ନଜର ରଖାଯାଇଥିଲା ।
ଏହା ବି ପଢନ୍ତୁ- ମେ' ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ, ମୂଲ୍ୟାୟନ କରିବେ 12 ହଜାର ଶିକ୍ଷକ
ଇଟିଭି ଭାରତ, କଟକ

