ମାଲକାନଗିରି ପାଇଁ ମାଷ୍ଟର ପ୍ଲାନ; ଘୋଷଣା ହେଲା ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ପଦକ୍ଷେପ
ମାଲକାନଗିରି ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ 10ଟି ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତ ନିଆଯାଇଛି ।


Published : January 1, 2026 at 10:08 PM IST
ଭୁବନେଶ୍ବର: ଗୋଷ୍ଠୀ ସଂଘର୍ଷ ପରେ ମାଲକାନଗିରିର ବିକାଶ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଲେ ମାଷ୍ଟର ପ୍ଲାନ । ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଜନଜାତିଙ୍କର ଦୀର୍ଘଦିନ ରହିଥିବା ଅସମାହିତ ପ୍ରସଙ୍ଗଗୁଡିକ ଉପରେ ନିଆଯାଇଛି ବିଭିନ୍ନ ପଦକ୍ଷେପ । ମାଲକାନଗିରି ଜିଲ୍ଲା ପ୍ରଶାସନର ରିପୋର୍ଟ ଭିତ୍ତିରେ ଏମ.ଭି.୨୬ ଗାଁ'ର ପ୍ରତ୍ୟେକ ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ପ୍ରଦାନ କରାଯିବ ଆର୍ଥିକ ସହାୟତା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।
ଗତବର୍ଷ ଡିସେମ୍ବର ମାସରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡା ଏବଂ ଏମ.ଭି ୨୬ ଗାଁ'ରେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଏହାକୁ ନେଇ ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ ଘଟଣା କଥା ସାମ୍ନାକୁ ଆସିଥିଲା । ପ୍ରଶାସନର ବ୍ୟାପକ ପଦକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । ଗସ୍ତ ପରେ ସେମାନେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଗତ ଡିସେମ୍ବର 29 ତାରିଖରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୋଲିସ ଡିଜି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଦକ୍ଷିଣ କେନ୍ଦ୍ରାଞ୍ଚଳ ଡିଆଇଜି, ମାଲକାନଗିରି ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷକ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଏବଂ ମୁଖ୍ୟତଃ ଜନଜାତିମାନଙ୍କର ଦୀର୍ଘଦିନ ବ୍ୟାପୀ ରହିଆସିଥିବା ଅସମାହିତ ପ୍ରସଙ୍ଗଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ 10ଟି ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତ ନିଆଯାଇଛି । ସେହି 10ଟି ନିଷ୍ପତ୍ତି ମଧ୍ୟରେ ରହିଛି-

- ଅଘଟଣ ପରେ ହୋଇଛି ଏକାଧିକ ମାମଲା । ରେଗୁଲେସନ ୨/୫୬ ଅନୁଯାୟୀ ବିଚାରାଧୀନ ଶତାଧିକ ମାମଲାଗୁଡିକୁ ଜିଲ୍ଲାପାଳ ନିୟମିତ ଭାବେ ସମୀକ୍ଷା କରିବେ । ପ୍ରତ୍ୟେକ ପନ୍ଦର ଦିନରେ ସମୀକ୍ଷା କରି ଏହାର ପ୍ରଗତି ସମ୍ବନ୍ଧରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ସରକାରଙ୍କୁ ଅବଗତ କରାଇବେ ।
- ଭୂମିହୀନ ତଥା ବାସଗୃହହୀନ ଜନଜାତି ପରିବାରକୁ FRA ଏବଂ OGLS ଆଇନ ଅଧୀନରେ ସ୍ଥାୟୀ ପଟ୍ଟା ପ୍ରଦାନର ଆଶୁ ବ୍ୟବସ୍ଥା କରାଯିବ । ଏହାର ଅଗ୍ରଗତି ସମ୍ପର୍କରେ ପ୍ରତ୍ୟେକ ମାସରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ସରକାରଙ୍କୁ ଅବଗତ କରାଇବେ ।
- ମାଛକୁଣ୍ଡ ଜଳସେଚନ ଯୋଜନାରେ ବିସ୍ଥାପିତ ପରିବାରକୁ ସ୍ଥାୟୀ ପଟ୍ଟା ପ୍ରଦାନର ବ୍ୟବସ୍ଥା କରାଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳସେଚନ ବିଭାଗ ସହ ସମନ୍ବୟ ରଖି ଏହି ସମସ୍ୟାର ଦୀର୍ଘ ମିଆଦି
ସମାଧାନ କରିବ । - ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ତିନି ମାସରେ ମାଲକାନଗିରି ଜିଲ୍ଲାର ଉପରୋକ୍ତ ତଥା ଅନ୍ୟାନ୍ୟ ରାଜସ୍ବ ମାମଲା ଉପରେ ନିୟମିତ ସମୀକ୍ଷା କରି ସରକାରଙ୍କୁ ଅବଗତ କରାଇବେ ।
- ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଲୋକମାନଙ୍କର ଜଳ ଭଣ୍ଡାର ପାଖରେ ଥିବା ଉଚ୍ଚ ଚାଷଜମିରେ ଜଳସେଚନ ସୁବିଧା କରାଯିବା ନିମନ୍ତେ ଆଗାମୀ ଦିନରେ ଜଳ ସମ୍ପଦ ବିଭାଗ ଦ୍ବାରା ପ୍ରୟାସ କରାଯିବ ।
- ମୁଖ୍ୟମନ୍ତ୍ରୀ କୃଷି ଉନ୍ନୟନ ଯୋଜନା, PMEGP ଓ PMFME ଅଧୀନରେ ଜନଜାତି ବର୍ଗର ପ୍ରାର୍ଥୀ କିପରି ଲାଭବାନ ହୋଇପାରିବେ ଏହାର ବ୍ୟବସ୍ଥା କରାଯିବ ।
- ପ୍ରାଥମିକ ବିଦ୍ୟାଳୟରେ କୋୟା, ଡିଡାଇ, ବଣ୍ଡା ଜନଜାତି ଭାଷାର ଖାଲିଥିବା MLE ଶିକ୍ଷକ ପଦକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ପୂରଣ କରିବେ ।
- ଜନଜାତି ତଥା ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ଦଶମ ଶ୍ରେଣୀ ପରେ ମଧ୍ୟ ପଢା ଜାରି ରଖି ପାରିବେ, ସେଥିପାଇଁ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅଧିକ ସଂଖ୍ୟକ ଆସନ ସୃଷ୍ଟି କରାଯିବ ।
- ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଜିଲ୍ଲାର ଦୂର-ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ରହଣି ନିମନ୍ତେ ଅଧିକ ସଂଖ୍ୟାରେ ଛାତ୍ରାବାସ ନିର୍ମାଣ କରାଯିବ ।
- ମୃତ ଲାକେ ପଡିଆମିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ଜିଲ୍ଲା ପ୍ରଶାସନର ରିପୋର୍ଟ ଭିତ୍ତିରେ ଏମ.ଭି.୨୬ ଗାଁର ପ୍ରତ୍ୟେକ ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ସହାୟତା ରାଶି ପ୍ରଦାନ କରାଯିବ । ନଷ୍ଟ ହୋଇଥିବା ଘରର ମୂଲ୍ୟାଙ୍କନ ପରିମାଣ ଅନୁସାରେ ସର୍ବାଧିକ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିପରି କ୍ଷତିଗ୍ରସ୍ତ ଦୋକାନ ମରାମତି ନିମନ୍ତେ ପ୍ରତ୍ୟେକ ଦୋକାନୀଙ୍କୁ ଦୋକାନର ମୂଲ୍ୟାଙ୍କନ ପରିମାଣ ଅନୁସାରେ ସର୍ବାଧିକ ୨୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ନିଷ୍ପତ୍ତିର କାର୍ଯ୍ୟକାରୀତା ସମ୍ବନ୍ଧରେ ସମ୍ପୃକ୍ତ ବିଭାଗମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିୟମିତ ଭାବେ ଅବଗତ କରାଇବେ ।
ଏହା ମଧ୍ୟ ପଢ଼ନ୍ତୁ- ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ; ଶାସନ-ପ୍ରଶାସନକୁ ଅଧିକ ଦକ୍ଷ କରିବା ପାଇଁ ଦେଲେ 15 ନିର୍ଦ୍ଦେଶନାମା
ଏହା ମଧ୍ୟ ପଢ଼ନ୍ତୁ- ମାଲକାନଗିରି ଏମଭି-୨୬ ଗ୍ରାମରେ ଫେରିଛି ଶାନ୍ତି; ଜିଲ୍ଲାପାଳଙ୍କ ଉପସ୍ଥିତିରେ କ୍ଷୟକ୍ଷତିର ଆକଳନ
ଏହା ମଧ୍ୟ ପଢ଼ନ୍ତୁ- ମାଲକାନଗିରିରେ ଗାଁ ଜାଳିଦେଲେ ଆଦିବାସୀ, 24 ଘଣ୍ଟା ଇଣ୍ଟରନେଟ ବନ୍ଦ, ଗ୍ରାଉଣ୍ଡରେ ପହଞ୍ଚିଲେ ପୋଲିସ୍ ଡିଜି
ଇଟିଭି ଭାରତ, ଭୁବନେଶ୍ବର

