ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ମନ୍ତ୍ରୀଙ୍କ ଘୋଷଣାକୁ ବର୍ଷେ ପରେ ବି ଆରମ୍ଭ ହୋଇନି ଉଚ୍ଛେଦ ମଠ ପୁନରୁଦ୍ଧାର କାର୍ଯ୍ୟ ? ସରକାରଙ୍କ କାଳକ୍ଷେପଣ ନୀତିକୁ ବିରୋଧ
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଏଯାଏଁ କାର୍ଯ୍ୟକାରୀ ହୋଇନି । ମଠ ସଂସ୍କୃତିର ପୁନରୁଦ୍ଧାର ବିଳମ୍ବ ପାଇଁ ମଠାଧିଶଙ୍କ ମଧ୍ୟରେ ଅସନ୍ତୋଷ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର


Published : June 1, 2026 at 5:55 PM IST
ପୁରୀ: ଆଧ୍ୟାତ୍ମିକତା ଏବଂ ଐତିହ୍ୟର ଗାରିମାମୟ ସହର ହେଉଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସହ ସହରର ପ୍ରତିଟି କୋଣ ଅନୁକୋଣରେ ଭରି ରହିଛି ମଠ ସଂସ୍କୃତି ଏବଂ ସମୃଦ୍ଧ ଇତିହାସ । ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଜଗନ୍ନାଥ୍ ସଂସ୍କୃତି ପରମ୍ପରା ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ହେଲେ ଐତିହ୍ୟ ନଗରୀରେ ଐତିହ୍ୟର ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉନାହିଁ । ଏନେଇ ମଠାଧିଶ, ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷେ ତଳେ ଆଇନମନ୍ତ୍ରୀ କହିଥିଲେ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ୧୯ଟି ମଠର ପୁନରୁଦ୍ଧାର ସରକାର କରିବେ ।
19ଟି ମଠ ଭାଙ୍ଗିଥିଲା-
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ୧୯ଟି ମଠ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମଠ ସଂସ୍କୃତିର ସୁରକ୍ଷା, ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସରକାର କେବଳ ପର୍ଯ୍ୟଟନ ଶିଳ୍ପ ବିକାଶକୁ ଗୁରୁତ୍ଵ ଦେଲେ ହେବ ନାହିଁ । ଶ୍ରୀକ୍ଷେତ୍ରର ଅସଲ ପରିଚୟ ମଠ ସଂସ୍କୃତି, ଜଗନ୍ନାଥ୍ ସଂସ୍କୃତିର ସୁରକ୍ଷା, ପୁନରୁଦ୍ଧାର ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବାକୁ ମଠାଧୀଶମାନେ ଦାବି କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହୋଇଥିବା ୧୯ଟି ମଠର ପୁନରୁଦ୍ଧାର ନେଇ ରାଜ୍ୟ ସରକାରଙ୍କ ଘୋଷଣା ଇତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ରୂପରେଖ ଆସିନାହିଁ । ମଠ ଗୁଡ଼ିକର ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଅହେତୁକ ବିଳମ୍ବ ହେଉଥିବାରୁ ଏହାକୁ ନେଇ ମଠାଧିଶ, ସେବାୟତ ଏବଂ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଗତବର୍ଷ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ୧୯ଟି ମଠର ପୁନରୁଦ୍ଧାର ସରକାର କରିବେ । ଧାର୍ମିକ ଭାବନାକୁ ସମ୍ମାନ ଦେଇ ଏକ ନୂଆ ରୂପରେଖ ପ୍ରସ୍ତୁତ କରାଯାଉଛି ଏବଂ ତିନି ମାସ ଭିତରେ ଏ ସମ୍ପର୍କରେ ସ୍ପଷ୍ଟତା ଆସିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ଏହି ଘୋଷଣାକୁ ମଠାଧିଶ ଓ ଜଗନ୍ନାଥ ପ୍ରେମୀ ସ୍ୱାଗତ କରିଥିଲେ । ଏହି ଘୋଷଣାକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପର ରୂପରେଖ ତଥା କାର୍ଯ୍ୟାନ୍ୱୟନ ନେଇ କୌଣସି ଅଗ୍ରଗତି ଦେଖିବାକୁ ମିଳିନାହିଁ ।

ଶ୍ରୀମନ୍ଦିରର ୧୦୦ ମିଟର ଦୂରରେ ଜମି ପ୍ରଦାନ ପ୍ରତିଶୃତି ଗଲା କୁଆଡେ ?
ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ଉତ୍ତର ପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ଗତ ୨୦୨୧ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରିପାଖରେ ଥିବା ୧୯ଟି ମଠର ଗାଦିକୁ ଛଡ଼ାଯାଇ ଅନ୍ୟାନ୍ୟ ଅଂଶ ଉଚ୍ଛେଦ କରାଯାଇଥିଲା । ପରିକ୍ରମା ପ୍ରକଳ୍ପ ଶେଷ ହେବାର ଏକ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ନିକଟ ଉଚ୍ଛେଦ ହୋଇଥିବା ମଠର ପୁନରୁଦ୍ଧାର ପାଇଁ ଶ୍ରୀମନ୍ଦିରର ୧୦୦ ମିଟର ଦୂରରେ ଜମି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଆମକୁ ସ୍ଥିତିବାନ ପଟ୍ଟା ଦିଆଯାଇନାହିଁ । କେବଳ ସେତିକି ନୁହେଁ ମଠର ଯେତିକି ଜାଗା ସରକାର ଅଧିଗ୍ରହଣ କରିଛନ୍ତି ମଠର ପୁନରୁଦ୍ଧାର ନେଇ ବହୁତ୍ କମ୍ ଜାଗା ଦିଆଯାଉଛି । ଏହା ଦ୍ଵାରା ମଠ ପରିଚାଳନାରେ ବହୁତ୍ ସମସ୍ୟା ସୃଷ୍ଟି ହେବ । ଏଣୁ ସରକାର ଙ୍କୁ ଅନୁରୋଧ ମଠ ଗୁଡ଼ିକୁ ତାଙ୍କର ଆବଶ୍ୟକତା ଅନୁଯାୟୀ ଜାଗା ଦିଆଯାଉ । ଆମେ ମଠାଧିଶ ମାନେ ଆଇନମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଯଥାଶୀଘ୍ର ସରକାର ତାଙ୍କ ଘୋଷଣାନାମା କାର୍ଯ୍ୟକାରୀ କରି କ୍ଷତିଗ୍ରସ୍ତ ମଠ ଗୁଡ଼ିକର ପୁନନିର୍ମାଣ କରନ୍ତୁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୧୯ ଟି ମଠର ଗାଦି ଗୃହ ବ୍ୟତୀତ ଅନ୍ୟାନ୍ୟ ଅଂଶ ଭଙ୍ଗାଯାଇଥିଲା । ଏଥି ସହ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ , ଅନ୍ନ ଯଜ୍ଞ ମଣ୍ଡପ ମଧ୍ୟ ଉଚ୍ଛେଦ ହୋଇଥିଲା । ଏହାକୁ ନେଇ ସେତେବେଳେ ବିଭିନ୍ନ ମଠର ମଠାଧୀଶ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ମଠ ଗୁଡ଼ିକ ର ପୁନରୁଦ୍ଧାର ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ସମସ୍ତଙ୍କ ମନରେ ଅନେକ ଆଶା ସୃଷ୍ଟି କରିଥିଲା । ତେବେ ନୂଆ ସରକାର ଆସିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ ସମସ୍ତ ମଠର ବିଜେସ୍ଥଳୀକୁ ଗୋଟିଏ ସ୍ଥାନରେ ବିକଶିତ କରାଯିବ । ଏହା ଦ୍ଵାରା ଭକ୍ତ ମାନେ ସହଜରେ ଦର୍ଶନ କରିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରିବେ । ଏଥିପାଇଁ ଜମି ଚିହ୍ନଟ ହୋଇସାରିଥିବା ଆଇନମନ୍ତ୍ରୀ କହିଥିଲେ । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପାର୍ଶ୍ୱରେ ଉତ୍କଳୀୟ କାରୁକାର୍ଯ୍ୟରେ ଏକ ଭବ୍ୟ ଯଜ୍ଞ ଶାଳା ନିର୍ମାଣ କରାଯାଇ ଘୃତ ଯଜ୍ଞର ବ୍ୟବସ୍ଥା କରାଯିବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଇତି ମଧ୍ୟରେ ଏହି ଘୋଷଣାନାମା ଏକ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ଯ ଅଗ୍ରଗତି ହୋଇପାରୁନି । ଫଳରେ ମଠାଧିଶ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାର ତୁରନ୍ତ ମଠ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ଯ ଆରମ୍ଭ କରିବାକୁ ମଠାଧିଶ ମାନେ ଦାବି କରିଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଆଧ୍ୟାତ୍ମିକ ବାତାବରଣ ଦେବା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡିକର ପୁନରୁଦ୍ଧାର ଆବଶ୍ୟକତା ଥିବା ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ମତବ୍ୟକ୍ତ କରିଛନ୍ତି ।
ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ କୁହନ୍ତି, "ଗତ ୨୦୨୧ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରିପାଖରେ ଯେଉଁ ମଠ ଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା ତତ୍କାଳୀନ ଜିଲ୍ଲାପାଳ ଚୁକ୍ତି କରିଥିଲେ ଶ୍ରୀମନ୍ଦିରରୁ ୧୦୦ ମିଟର ଦୂରତାରେ ମଠ ଗୁଡ଼ିକର ପୁନନିର୍ମାଣ ନେଇ ଜମି ଦିଆଯିବ । ହେଲେ ଇତି ମଧ୍ୟରେ ୬ ବର୍ଷ ହୋଇସାରିଥିବା ବେଳେ କ୍ଷତିଗ୍ରସ୍ତ ମଠ ଗୁଡ଼ିକର ପୁନରୁଦ୍ଧାର ନେଇ କୌଣସି କାର୍ଯ୍ଯ ଆଗେଇ ନାହିଁ । ଶ୍ରୀକ୍ଷେତ୍ର ମଠାଧିଶ ସେବା ସଂଘ ବାରମ୍ବାର ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ସ୍ଥାନ ଅଭାବ ହେତୁ ବାହାରୁ ଆସୁଥିବା ସାଧୁ ସନ୍ଥ, ବିଦ୍ୟାର୍ଥୀ, ଭକ୍ତ ମାନେ ମଠରେ ରହିବା ପାଇଁ କୌଣସି ବ୍ୟବସ୍ଥା ହୋଇପାରୁନି । ମଠର ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ବହୁତ୍ ସମସ୍ୟା ଦେଖାଦେଇଛି । ତେବେ ସରକାରଙ୍କ ଏଭଳି ଅବହେଳା କୁ ନେଇ ସମଗ୍ର ସାଧୁ ସନ୍ଥ ସମାଜ ଅତ୍ୟନ୍ତ ମର୍ମାହତ। ସରକାର କେବଳ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଆଧ୍ୟାତ୍ମିକତାର ବିକାଶ ଉପରେ ଧ୍ୟାନ ଦେଉନଥିବା ପରିଲକ୍ଷିତ ହେଉଛି । ପୁରୀକୁ ଆସୁଥିବା ଲୋକ ମାନେ ମୁଖ୍ୟତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଏଣୁ ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ ଅଧିକ ଧ୍ୟାନ ନଦେଇ ଜଗନ୍ନାଥ୍ ସଂସ୍କୃତି, ମଠ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବା ଉଚିତ ।"

ମଠ ସଂସ୍କୃତି ଉଜ୍ଜୀବିତ ହେବା ଜରୁରୀ-
ଶ୍ରୀମନ୍ଦିର ଚୁନରା ସେବାୟତ ଶରତ ମହାନ୍ତି କୁହନ୍ତି, ମଠ ଗୁଡ଼ିକ ସହିତ ଶ୍ରୀମନ୍ଦିରର ସମ୍ପର୍କ ରହିଛି । ମଠ ହିଁ ଆମର ଐତିହ୍ୟ, ଗର୍ବ ଓ ପରମ୍ପରାର ପ୍ରତୀକ । ଯେଉଁ ଭକ୍ତ ମାନେ ଶ୍ରୀମନ୍ଦିର ଆସୁଥିଲେ ସେମାନେ ଏହି ମଠରେ ରହୁଥିଲେ । ବିଦ୍ୟାର୍ଥୀ ମାନେ ମଠରେ ଜଗନ୍ନାଥ୍ ସଂସ୍କୃତି ସମ୍ପର୍କିତ ବିଦ୍ୟା ହାସଲ କରିଥାନ୍ତି । ରଥଯାତ୍ରା ଠାରୁ ଆରମ୍ଭ କରି ଶ୍ରୀମନ୍ଦିରର ଦୈନଦିନ ନୀତି କାନ୍ତି ମଠ ଗୁଡ଼ିକର ନିର୍ଦ୍ଦିଷ୍ଟ ସେବା ପୂଜା ରହିଛି । ଜଗନ୍ନାଥ୍ ସଂସ୍କୃତି ପ୍ରଚାର ପ୍ରସାରର ମୁଖ୍ୟ ସ୍ଥାନ ହେଉଛି ମଠ। ଏଣୁ ପରିକ୍ରମା ପ୍ରକଳ୍ପରେ ଉଚ୍ଛେଦ ହୋଇଥିବା ମଠ ଗୁଡିକର ଶୀଘ୍ର ପୁନରୁଦ୍ଧାର ହେବାର ଆବଶ୍ୟକତା ରହିଛି । ଏହା ଦ୍ଵାରା ମଠ ସଂସ୍କୃତି ଉଜ୍ଜୀବିତ ରହିବ । ମଠ ସଂସ୍କୃତି ଉଜ୍ଜୀବିତ ରହିଲେ ଜଗନ୍ନାଥ୍ ସଂସ୍କୃତି ମଧ୍ୟ ଉଜ୍ଜୀବିତ ରହିବ । ତେବେ ମଠ ଗୁଡ଼ିକର ପୁନରୁଦ୍ଧାର ନେଇ ଶ୍ରୀମନ୍ଦିର ସଂସ୍କୃତିକ ପ୍ରଚାର ପ୍ରସାର କମିଟି ବୈଠକରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଛି । ଆଗାମୀ ଦିନରେ ମଠ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ଯ ଶିଘ୍ର ଆରଂଭ ହେବ ବୋଲି ଆମର ଆଶା ରହିଛି ।
ଇଟିଭି ଭାରତ, ପୁରୀ

