ମଣ୍ତିରେ ଭିଜୁଛି ଚାଷୀଙ୍କ ଭାଗ୍ୟ;ତେଜୁଛି ରାଜନୀତି, କେବେ ଭାଙ୍ଗିବ ପ୍ରଶାସନର ନିଦ
କେତେବେଳେ ଅଦିନିଆ ବର୍ଷାର ମାଡ଼ ତ ପୁଣି କେତେବେଳେ ମିଲର୍ସଙ୍କ ମନମାନି! ଖୋଲା ଆକାଶ ତଳେ ମଣ୍ଡିରେ ପଡ଼ି ରହିଛି ଅନ୍ନଦାତାର ସୁନାର ଧାନ। ରିପୋର୍ଟ-ଅଜିତ କୁମାର ସିଂହ

Published : June 26, 2026 at 8:13 PM IST
ଭବାନୀପାଟଣା: ଦିନ ଥିଲା, କୁହାଯାଉଥିଲା 'ଚାଷ କାମ ଯାହାର, କେଡ଼େ ସୁଖ ତାହାର'। ହେଲେ କଳାହାଣ୍ଡିର ଚାଷୀକୂଳକୁ ଦେଖିଲେ ଲାଗୁଛି, ଏ ଉକ୍ତି କେବଳ ବହି ପୃଷ୍ଠାରେ ହିଁ ସୀମିତ ରହିଯାଇଛି । ଏଠି ବାସ୍ତବତା ସଂପୂର୍ଣ୍ଣ ଓଲଟା। ସମୟ ବଦଳିବା ସହ ଚାଷୀର ଦୁଃଖ ବଢିଛି । ସମସ୍ୟାରେ ବି ବଢିଛି । ଏ ଦୁଃଖ ଆଉ ସମସ୍ୟା ଯେମିତି ତାର ନିତି ଦିନିଆ ସାଥୀ ହୋଇ ଯାଇଛି । ଏଠି ଚାଷୀର ଦୁଃଖ ଚିରକାଳ... ଯେମିତି ବେଉସାକୁ ନେଇ ଅଭିଶପ୍ତ ଜୀବନ ଜିଉଁଛନ୍ତି ଚାଷୀ ।
କେତେବେଳେ ଅଦିନିଆ ବର୍ଷାର ମାଡ଼ ତ ପୁଣି କେତେବେଳେ ମିଲର୍ସଙ୍କ ମନମାନି! ଖୋଲା ଆକାଶ ତଳେ ମଣ୍ଡିରେ ପଡ଼ି ରହିଛି ଅନ୍ନଦାତାର ସୁନାର ଧାନ। ଏ ସବୁ ଭିତରେ ଚାଷୀର ଲୁହକୁ ନେଇ ଚାଲିଛି କାଦୁଅ ଫିଙ୍ଗା ରାଜନୀତି ! ଧାନ ମଣ୍ଡିରେ ଆରମ୍ଭରୁ ଅଚଳାବସ୍ଥା ଜାରି ରହିଥିବା ବେଳେ, କିଏ ବୁଝିବ ଏହି ଗରିବ ଚଷା ପୁଅର କଷ୍ଟ?


କେବଳ ଅଇଁଲାପାଲି ନୁହେଁ, ଜିଲ୍ଲାର ଅନେକ ମଣ୍ଡିରେ ଏବେ ସମାନ ଅବସ୍ଥା। ମିଲର୍ସମାନଙ୍କ ମନମାନି ଏବଂ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଚାଷୀର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଗୋଟିଏ ପଟେ ଚାଷୀର କାନ୍ଦ ବନ୍ଦ ହେଉନାହିଁ, ଅନ୍ୟପଟେ ଏହାକୁ ନେଇ ରାଜନୀତି ସରଗରମ ରହିଛି। ଚାଷୀଙ୍କ ସମସ୍ୟାକୁ ମୁଦ୍ଦା କରି ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ପର୍ବ ଥମିବାର ନାଁ ନେଉନାହିଁ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିବା ବେଳେ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ମଧ୍ୟ ପଛକୁ ହଟିନାହାନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ସରକାରଙ୍କୁ ଉଚିତ୍ ଜବାବ ଦେବେ ବୋଲି ସେ ଉଭୟେ କହିଛନ୍ତି ।

କେତେଦିନ ଧାନ ଏମିତି ବର୍ଷାରେ ଭିଜୁଥିବ ?
ଏହି ରାଜନୈତିକ କାଦୁଅ ଫିଙ୍ଗା ଭିତରେ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ସ୍ଥାନୀୟ ସାଂସଦ। ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ ମଣ୍ଡିରୁ ଧାନ ଉଠାଣ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ୩୦ ତାରିଖ ପର୍ଯ୍ୟନ୍ତ କଣ ଚାଷୀର ଧାନ ଏମିତି ବର୍ଷାରେ ଭିଜୁଥିବ? ଆଉ କେତେ ଧାନ ଗଜା ହେବା ପରେ ପ୍ରଶାସନର ନିଦ ଭାଙ୍ଗିବ?"

ଏନେଇ ଚାଷୀ ମୀନକେତନ ସାହୁ କହିଛନ୍ତି, " ମେ' ୨୦ ତାରିଖରୁ ମଣ୍ଡି ଖୋଲିଲାଣି । ଆମେ ସେହି ଦିନ ଠାରୁ ଧାନ ଆଣି ରଖିଛୁ । ୩ଟି ମିଲର୍ସ ଆସିଛନ୍ତି । କେବଳ ୧୦୦ କ୍ଵିଣ୍ଟାଲ ଧାନ ଦିନକୁ ଉଠାଣ ହେଉଛି । ସେପଟେ କାଳ ବୈଶାଖୀ ବର୍ଷା ହେଉଛି । ଏଠି ସେଡର ବ୍ୟବସ୍ଥା କିଛି ନାହିଁ କି ପାଳର ବ୍ୟବସ୍ଥା ମଧ୍ୟ ନାହିଁ। ଏପରିକି ଏଠି ଅଖା ବସ୍ତା ମଧ୍ୟ ଚାଷୀଙ୍କୁ ଦେଉ ନାହାନ୍ତି । ଚାଷୀକୁ ଆଣିବାକୁ ପଡୁଛି । ୬ ମାସ ଧରି ରକ୍ତକୁ ପାଣି କରି ଚାଷ କରିଛି, ଆଉ ସେହି ଚାଷ ଯଦି ନଷ୍ଟ ହେବ ଆମେ କଣ କରିବୁ "ବୋଲି ସେ ଦୁଃଖ ପ୍ରକାଶ କରି କହିଛନ୍ତି ।


ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି " ସମଗ୍ର ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଶିଥିଳ ହୋଇଯାଇଛି। ସରକାର ପ୍ରୋକ୍ୟୁରମେଣ୍ଟ କରିବେ ବୋଲି କହି କରୁନାହାନ୍ତି। ଆଉ ଆମ ଜିଲ୍ଲାରେ ମଧ୍ୟ ସେ ଅବ୍ୟବସ୍ଥା ଅଛି। ମିଲର ମାନଙ୍କର ମିଲରେ ଧାନ ରଖିବା ପାଇଁ ଜାଗା ନାହିଁ। ସରକାରଙ୍କର ଯୋଉ ପ୍ରକାର ନୀତି ରହିଛି ତାହା ଡିଫେକ୍ଟିଭ୍ । ଚାଷୀଙ୍କ ପାଇଁ ଆମେ ଆନ୍ଦୋଳନ କରୁଛୁ, ଚାଷୀଙ୍କ ପାଇଁ ଡିମାଣ୍ଡ କରୁଛୁ। ସମସ୍ତ ଚାଷୀଙ୍କ ଧାନ ଉଠାଯାଉ। ସରକାର ରବିପୂର୍ବରୁ, ଖରିଫ ପୂର୍ବରୁ ଏ ନେଇ ପ୍ଲାନିଙ୍ଗ କରିବା କଥା।"

ମିଲର୍ସ ପାଖରେ ଟାର୍ଗେଟ୍ ନାହିଁ
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, "ଏ ସରକାରରେ ଚାଷୀମାନଙ୍କୁ ହଇରାଣ କରାଯାଉଛି । ଏବେ ରବିଧାନ ସଂଗ୍ରହ ଚାଲିଛି । ଧାନ ମଣ୍ଡିରେ ଧାନ ହଜାର ହଜାର କୁଇଣ୍ଟାଲ୍ ରହିଛି। ମିଲର୍ସ ପାଖରେ ଟାର୍ଗେଟ୍ ନାହିଁ ଏବଂ ଯେଉଁଠି ଟାର୍ଗେଟ୍ ଅଛି, ସେଠି ମଧ୍ୟ ଠିକ୍ ଭାବରେ ଧାନ ଉଠାଣ କରାଯାଉନାହିଁ। ବିଜୁ ଜନତା ଦଳ ସରକାର ସମୟରେ ୯୦ ପ୍ରତିଶତ ଟାର୍ଗେଟ୍ ଦିଆଯାଉଥିଲା । କିନ୍ତୁ ଆମର ଜିଲ୍ଲା ପ୍ରଶାସନ ପାଖରେ ଅପର୍ଯ୍ୟାପ୍ତ ଟାର୍ଗେଟ୍ ନାହିଁ। ଯାହାଫଳରେ ଧାନ ଉଠାଣ ହେଇପାରୁନାହିଁ। ଚାଷୀ ମାସ ମାସ ଧରି ମଣ଼୍ଡିରେ ପଡ଼ି ରହୁଛନ୍ତି। ଲୋକ ଯୋଉ ପ୍ରକାର ତେଜିଲେଣି, ଆସନ୍ତା ପଞ୍ଚାୟତ ନିର୍ବାଚନ ଏବଂ ଏନଏସି ନିର୍ବାଚନରେ ଉଚିତ୍ ଜବାବ ଦେବେ" ।

ସେପଟେ କଳାହାଣ୍ଡି ସାଂସଦ ମାଳବିକା ଦେବୀ କହିଛନ୍ତି, " ଆମେ ବୈଠକ କରି ମିଲର୍ସ ସଂଘର ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଛୁ । ତୁରନ୍ତ ଧାନ ଉଠାଣ କରିବା ପାଇଁ କୁହା ଯାଇଛି। ଟ୍ୟାଗିଙ୍ଗ ସହ ଟୋକନ ମଧ୍ୟ ହୋଇଛି । ସବୁ କ୍ଷେତ୍ରକୁ ନେଇ ବୈଠକରେ ଆଲୋଚନା ହୋଇଛି । କେତେ ଧାନ ଉଠିଲାଣି, ଯେତେ ବାକି ଅଛି , କେଉଁ ମିଲର୍ସ କେତେ ଉଠାଇବେ ସେ ସବୁକୁ ନେଇ ଆଲୋଚନା ହୋଇଛି। ଆସନ୍ତା ୩୦ ତାରିଖ ପରେ ଚାଷୀଙ୍କର ଗୋଟିଏ ବସ୍ତା ଧାନ ବି ରହିବ ନାହିଁ " ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ଭବାନୀପାଟଣା
ଏହା ମଧ୍ୟ ପଢନ୍ତୁ କନ୍ଧପଡ଼ା ଗାଁ ଆଦିବାସୀଙ୍କ ବିଶ୍ୱାସର ସନ୍ତକ ନିଆରା 'ଧାନ ବ୍ୟାଙ୍କ', ଅଭାବ ବେଳେ ହେଉଛି ସାହା
ଏହା ମଧ୍ୟ ପଢନ୍ତୁ ଧାନ ଉଠାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ, ସାମିଲ ହେଲେ ପିସିସି ସଭାପତି

