ETV Bharat / state

ଶାବଳରେ ପିଟି ଭାଉଜକୁ ହତ୍ୟା କଲା ସମ୍ପର୍କୀୟ ଦିଅର

ଧର୍ମଶାଳା ଥାନା ସରୋଇ ଗ୍ରାମରେ ହତ୍ୟାକାଣ୍ଡ । ରିପୋର୍ଟ ଜ୍ଞାନ ରଞ୍ଜନ ଓଝା

MAN MURDERED NEIGHBOUR
ଶାବଳରେ ପିଟି ଭାଉଜକୁ ହତ୍ୟା କଲା ସମ୍ପର୍କୀୟ ଦିଅର (ETV Bharat Odisha)
author img

By ETV Bharat Odisha Team

Published : June 4, 2026 at 8:21 AM IST

1 Min Read
Choose ETV Bharat

ଯାଜପୁର: ସମ୍ପର୍କୀୟ ଦିଅର ଆକ୍ରମଣରେ ଭାଉଜ ମୃତ । ଆକ୍ରମଣକାରୀ ପୋଲିସ ଦ୍ୱାରା ଅଟକ । ଧର୍ମଶାଳା ଥାନା ସରୋଇ ଗ୍ରାମର ହରି ଦେହୁରୀଙ୍କ ଆକ୍ରମଣରେ ନନ୍ଦିନୀ ଦେହୁରୀ ଗୁରୁତର ହୋଇଥିଲେ । ସଙ୍ଗେସଙ୍ଗେ ପରିବାର ଲୋକ ନନ୍ଦିନୀକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ ପରେ ହରି ସେଠାରୁ ଫେରାର ହୋଇଯାଇଥିଲା ।

ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳ ଓ ଛୁରୀକୁ ଜବତ କରିବା ସହ ଅଭିଯୁକ୍ତ ହରି ଦେହୁରୀକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଜମିବାଡି ବିବାଦରୁ ଭାଉଜକୁ ହତ୍ୟା !

ନନ୍ଦିନୀଙ୍କ ପରିବାର ସହିତ ପଡୋଶୀ ହରି ଦେହୁରୀଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା । ପୂର୍ବରୁ ବହୁବାର ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ବୁଧବାର ସକାଳୁ ଏହି ଝଗଡା ଉଗ୍ରରୂପ ନେଇଥିଲା । ହରି ଦେହୁରୀ ଓ ନନ୍ଦିନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦିଅର ହରି ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ନନ୍ଦିନୀଙ୍କୁ ଆକ୍ରମଣ କରିଥିଲେ ।

ମୃତ ନନ୍ଦିନୀଙ୍କ ପୁଅ କହିଛନ୍ତି ‘‘ଛଅ ଦିନ ତଳେ ଝଗଡା ହୋଇଥିଲା । ଆଜି ପୁଣି ଝଗଡା ହୋଇଥିଲା । ହଠାତ ହରି ଦେହୁରୀ ଆସି ମୋ ମାଆକୁ ଶାବଳ ଓ ଛୁରୀରେ ଆକ୍ରମଣ କଲା । ସାମାନ୍ୟ କଥା କଟାକଟିକୁ ନେଇ ଆଜି ବିବାଦ ଉଗ୍ରରୂପ ନେଲା’’ ।

ଯାଜପୁର ରୋଡ ଏସଡିପିଓ ଶରତ ଚନ୍ଦ୍ର ପାତ୍ର କହିଛନ୍ତି ‘‘ପୂର୍ବରୁ କୌଣସି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତେବେ ଆଜି ମୃତ ନନ୍ଦିନୀ ଦେହୁରୀ ତାଙ୍କ ଘର ବାଡ଼ିରେ କିଛି ଗଛ ଲଗାଉଥିବା ବେଳେ ସମ୍ପର୍କୀୟ ଦିଅର ହରି ଦେହୁରୀ ହଠାତ ଏକ ଧାରୁଆ ଅସ୍ତ୍ର ଆଣି ହତ୍ୟା କରିଥିବା ନେଇ ଆମେ ଖବର ପାଇଥିଲୁ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦରି ଦେହୁରୀ ହିଁ ହତ୍ୟା କରିଛି । କିନ୍ତୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଭିଯୁକ୍ତକୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ।’’

ଏହା ମଧ୍ୟ ପଢନ୍ତୁ ଜମିବାଡି ବିବାଦରୁ ନେଇଥିଲେ ମୁଣ୍ଡ: 5 ଅଭିଯୁକ୍ତଙ୍କୁ ସୁରଟରୁ ଗିରଫ କଲା ଯାଜପୁର ପୋଲିସ

ଏହା ମଧ୍ୟ ପଢନ୍ତୁ 32 ବର୍ଷ ଧରି ପୋଲିସକୁ ଚକମା ଦେଇ ବୁଲୁଥିଲା ହତ୍ୟା ଅଭିଯୁକ୍ତ; ନିଜ ଘରୁ ଫିଲ୍ମ ଷ୍ଟାଇଲରେ ଧରିଲା ପୋଲିସ

ଇଟିଭି ଭାରତ, ଯାଜପୁର