ମାଲକାନଗିରି ହିଂସା; ରେଡକ୍ରସ ପକ୍ଷରୁ ପୀଡ଼ିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ, ପୁଣି ବଢିଲା ଗିରଫଦାରୀ
ହିଂସାକାଣ୍ଡର ସପ୍ତାହେ ପରେ ଏମଭି-26 ଗାଁରେ ରିଲିଫ ସାମଗ୍ରୀ ପହଞ୍ଚିଥିବା ବେଳେ ଧାନ କିଣାକୁ ଜିଲ୍ଲାରେ ୭ ଦିନ ପାଇଁ ସ୍ଥଗିତ ରଖାଯାଇଛି ।


Published : December 15, 2025 at 12:22 AM IST
ମାଲକାନଗିରି: ଜିଲ୍ଲାର mv- 26 ହିଂସାକାଣ୍ଡର 7 ଦିନ ପରେ ଗାଁରେ ପହଞ୍ଚିଲା ଭାରତୀୟ ରେଡ଼କ୍ରସ ସୋସାଇଟିର ରିଲିଫ ସାମଗ୍ରୀ । ଏପଟେ ରବିବାର ଏମଭି 26 ହିଂସାକାଣ୍ଡ ଓ ଜଳା ପୋଡା ଘଟଣାରେ ଆଉ 9 ଜଣଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୋଲିସ । ଏହି ଘଟଣାରେ ପୂର୍ବରୁ 9 ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 18 ଜଣ ଗିରଫ ହୋଇଛନ୍ତି । ଅନ୍ୟ ମାନଙ୍କୁ ମଧ୍ୟ ଖୋଜୁଛି ପୋଲିସ । ସେପଟେ ଏମଭି 26 ଓ ରାଖାଲଗୁଡା ଗାଁରୁ BNS ର ଧାରା 163 ଉଚ୍ଛେଦ ହୋଇଥିବା ବେଳେ ଜିଲ୍ଲାରେ ଇଣ୍ଟରନେଟ କଟକଣା ସୋମବାର ଦିନ 12 ପର୍ଯ୍ୟନ୍ତ ବଳବତ୍ତର ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଥିବା ବେଳେ ଥଇଥାନ କାର୍ଯ୍ୟ ଜାରି ରହିଛି । ରବିବାର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏମଭି 26 ଏବଂ ରାଖାଲଗୁଡା ଗାଁକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ ।
ମାଲକାନଗିରି ଜିଲ୍ଲାର ହିଂସାକାଣ୍ଡର ସାତ ଦିନ ପରେ ପହଞ୍ଚିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । mv 26 ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ କରିବା ପରେ mv 26 ଗାଁକୁ ଯାଇ ଘରକୁ ଘର ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝି ଥିଲେ । "ହିଂସାକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଥମ ଦିନ ଠାରୁ ଜିଲ୍ଲା ପ୍ରଶାସନ ତରଫରୁ ରିଲିଫ ସାମଗ୍ରୀ ବଣ୍ଟା ଯାଇଥିବା ବେଳେ ରନ୍ଧା ଖାଦ୍ୟ ବ୍ୟବସ୍ଥା ଚାଲିଛି । ଧିରେ ଧିରେ ଗାଁରେ ଶାନ୍ତି ଫେରୁଛି । ଏବଂ ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ," ବୋଲି ନବରଙ୍ଗପୁର ସାଂସଦ କହିଛନ୍ତି ।

ପ୍ରତିଟି ଘରେ ବିଦ୍ୟୁତ ସଂଯୋଗୀକରଣ ଓ ପାନୀୟ ଜଳ ଵ୍ୟଵସ୍ଥା ପାଇଁ ପାଇପ ଲାଇନ ବ୍ୟବସ୍ଥା କରାଯାଇଛି।ହେଲେ ଏହି ଚିନ୍ତାରେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡିଛି ଛାତ୍ରଛାତ୍ରୀ ମାନଙ୍କୁ। ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିଛି।ପିଲାଙ୍କ ପାଠ ପଢିବା ଲାଗି ବହି ପତ୍ର ନଥିବା ବେଳେ ପୋଷାକ ପତ୍ର ମଧ୍ୟ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ହେଲେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ସହ ବିଦ୍ୟାଳୟ ଖୋଲିବା ଲାଗି ପଦକ୍ଷେପ ନିଆଯିବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି ।
mv 26 ଗାଁ ରେ ଧିରେ ଧିରେ ପରିସ୍ଥିତି ସୁଧାର ଆସିଥିବା ବେଳେ BNS ଧାରା 163 ପ୍ରତ୍ୟାହାର କରାଯାଇଛି । ହେଲେ ସୁରକ୍ଷା ଦ୍ରୁଷ୍ଟିରୁ ମାଲକାନଗିରି ଜିଲ୍ଲାରେ ସୋମବାର ଦିନ ବାରଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । MV 26 ହିଂସାକାଣ୍ଡରେ ଗତକାଲି 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ 9 ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଆଗକୁ ଯେଭଳି ହିଂସାକାଣ୍ଡ ନ ହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଓଡିଶା ରେଡକ୍ରସ ଶାଖା ପକ୍ଷରୁ ପୀଡ଼ିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ-
ଓଡିଶା ରେଡକ୍ରସ ଶାଖା ପକ୍ଷରୁ ଏମଭି ୨୬ ଗ୍ରାମର ପୀଡ଼ିତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ରବିବାର ଏକ ସ୍ଵତନ୍ତ୍ର ଟ୍ରକ୍ ଯୋଗେ ଭୁବନେଶ୍ୱରରୁ ରିଲିଫ୍ ସାମଗ୍ରୀ ବୋଝେଇ ଏକ ଟ୍ରକ୍ ଏମଭି ୨୬ ଗ୍ରାମ ପହଞ୍ଚିଥିଲା । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ରହି ଏମଭି ୨୬ ଗ୍ରାମର ପୀଡିତ ମାନଙ୍କୁ ବିଭିନ୍ନ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ ।
ଏମଭି ୨୬ ଗ୍ରାମର ସମୁଦାୟ ୧୯୮ ପରିବାରଙ୍କୁ ଏହି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି କମ୍ବଳ, କିଚେନ୍ ସେଟ୍, ଟାରପଲିନ୍, ଶାଢ଼ୀ, ଗାମୁଛା, ଲୁଙ୍ଗି, ବାଲ୍ଟି, ମଗ୍, ଜାରକିନ୍ ସମେତ ୨ ରୁ ୩୦ ବର୍ଷୀୟ ଙ୍କ ପାଇଁ ପୋଷାକ ବଣ୍ଟନ କରାଯାଇଛି। କୋରକୁଣ୍ଡା ବିଡିଓ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁନା ତୁରୁକ୍ ଉପସ୍ଥିତ ରହି ସମସ୍ତ ରିଲିଫ୍ ବଣ୍ଟନ କାର୍ଯ୍ୟ ତଦାରଖ କରିଥିଲେ ।

ଜିଲ୍ଲା ରେଡକ୍ରସ ଶାଖା ସଦସ୍ୟ ମାନେ ମଧ୍ଯ ଉପସ୍ଥିତ ରହି ରିଲିଫ୍ ସାମଗ୍ରୀ ବଣ୍ଟନରେ ସହାୟତା କରିଥିଲେ। ପୂର୍ବରୁ ମଧ୍ଯ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡିତ ମାନଙ୍କୁ କମ୍ବଳ, ଶାଢ଼ୀ, ଲୁଙ୍ଗି, ଗାମୁଛା, ବିଛଣା ଓ ପଲିଥିନ ଯୋଗାଇ ଦିଆ ଯାଇଥିଲା। ମଧ୍ଯ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।
ସେହିପରି ଆରଏଫ୍ ବାହିନୀ ପକ୍ଷରୁ ଏମଭି ୨୬ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଗ୍ରାମରେ ଶାନ୍ତି ଫେରିଛି। ଗ୍ରାମବାସୀ ନିଜ ନିଜ ଘରକୁ ଫେରିଛନ୍ତି। ଆଜି ଲୋକସଭା ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଗସ୍ତ କରିଛନ୍ତି । ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଓ ଏସ୍ପି ଙ୍କ ଉପସ୍ଥିତିରେ ଏମପି ଆଦିବାସୀ ସମାଜ ଓ ବଙ୍ଗାଳୀ ସମାଜ ସହ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କିଣାକୁ ୭ ଦିନ ପାଇଁ ସ୍ଥଗିତ ରଖାଯାଇଛି । ଡ଼ିସେମ୍ବର ୨୪ରୁ ଜିଲ୍ଲା ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ମାଲକାନଗିରି

