ଖାପ୍ ପଞ୍ଚାୟତରେ ମାଡ଼ଖାଇବା ପରେ ଜୀବନ ହାରିଲେ ଯୁବକ ! ପ୍ରେମ ସମ୍ପର୍କକୁ ଗାଁ କମିଟିର ବିରୋଧ, ଲାଗିଥିଲା ଜୋରିମାନା
ଖାପ୍ ପଞ୍ଚାୟତରେ ମାଡ଼ ଓ ୪୫ ହଜାର ଜୋରିମାନା ପରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ରିପୋର୍ଟ: ପଞ୍ଚାନନ ଦାଶ


Published : September 1, 2026 at 10:05 PM IST
ମାଲକାନଗିରି: ଜିଲ୍ଲାର ସେରପାଲି ପଞ୍ଚାୟତ ଅନ୍ତର୍ଗତ MV-92 ଗ୍ରାମରେ ଖାପ୍ ପଞ୍ଚାୟତକୁ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ଗ୍ରାମ କମିଟି ବୈଠକରେ ବାହାର ରାଜ୍ୟର ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କକୁ ବିରୋଧ କରି ସାଗର ସରକାର ନାମକ ଯୁବକଙ୍କୁ ମାଡ଼ ମାରିବା ସହ ୪୫ ହଜାର ଟଙ୍କା ଜରିମାନା କରାଯାଇଥିଲା । ଏହି ଅପମାନ ସହି ନପାରି ଯୁବକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପଟେ ପୁଅ ଜୀବନ ହାରିବା ପରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପରିବାର ।
ଆନ୍ଧ୍ରପ୍ରଦେଶର ଚିଙ୍ଗୁଡ଼ି କମ୍ପାନୀରେ ପ୍ରେମ ସମ୍ପର୍କ-
ସୂଚନା ଅନୁଯାୟୀ ସାଗର କିଛି ଦିନ ପୂର୍ବେ ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ । ସେଠାରେ କୋଲକାତାର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟ ଆସି ମାଲକାନଗିରି କାଲିମେଳାରେ ଭଡ଼ା ଘରେ ରହୁଥିଲେ । ମହିଳାଙ୍କ ସ୍ୱାମୀ ଏ ଖବର ପାଇ ଏମଭି-୯୨ ଗ୍ରାମ କମିଟି ନିକଟରେ ଲିଖିତ ଅଭିଯୋଗ କରିଥିଲେ ।
ପ୍ରେମ ସମ୍ପର୍କକୁ ଗ୍ରହଣ କରିନଥିଲା ଗ୍ରାମ କମିଟି-
ମୃତକ ସାଗରଙ୍କ ପରିବାର ଲୋକେ ଉଭୟଙ୍କୁ ବୁଝାଇ ସହମତିରେ ଗାଁକୁ ଫେରାଇ ଆଣିଥିଲେ । କିନ୍ତୁ ଗ୍ରାମ କମିଟି ଏହି ସମ୍ପର୍କକୁ ଗ୍ରହଣ କରିନଥିଲା । ମହିଳାଙ୍କୁ ଡରାଇ ଧମକାଇ କୋଲକାତା ପଠାଇ ଦିଆଯାଇଥିବା ବେଳେ ଗତକାଲି ଗାଁ କମିଟି ବୈଠକ ଡାକି ସାଗରଙ୍କୁ ମାଡ଼ ମାରି ୪୫ ହଜାର ଜରିମାନା କରାଯାଇଥିଲା । ସାଗରଙ୍କ ବାପା ୧୫ ହଜାର ଦେବାକୁ କହିଥିଲେ ବି କମିଟି ମାନିନଥିଲା । ଏହା ପରେ ଅପମାନିତ ଓ ମାନସିକ ଭାବେ ଭାଙ୍ଗିପଡ଼ି ସାଗର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
'ଗ୍ରାମବାସୀଙ୍କ ନିର୍ଯାତନା ସହି ପାରିଲାନି ମୋ ଭାଇ'-
"ମୋ ଭାଇ ଆନ୍ଧପ୍ରଦେଶରେ କାମ କରୁଥିଲା । ସେଠାରେ କୋଲକାତାର ଝିଅ ବି କାମ କରୁଥିଲା । ପରେ ଦୁଇ ଜଣ ଭଲ ପାଇ ସେଠାରୁ ପଳାଇ ଆସିଥିଲେ । ପରେ ଆମେ ଦୁହିଁଙ୍କୁ ଘରକୁ ନେବା ପାଇଁ ଗାଁର କିଛି ଲୋକଙ୍କୁ ଜଣାଇଥିଲୁ । ପରେ ସେମାନେ ଭାଇକୁ ଗାଁଙ୍କୁ ଡକାଇଥିଲେ । ପୁଅ ଝିଅ ଗାଁକୁ ଆସିଲା ପରେ ଗାଁରେ ବୈଠକ ବସିଥିଲା । ସେଠାରୁ ଝିଅକୁ କୋଲକାତା ପଠାଇ ଦେଇଥିଲେ । ଗାଁ କମିଟି ଭାଇକୁ 45 ହଜାର ଟଙ୍କା ମାଗିଥିଲା । ଆମେ 15 ହଜାର ଟଙ୍କା ଦେବୁ କହିବାରୁ ଭାଇକୁ ଧମକ ଚମକ ଦେଇ ମାଡ ମାରିଥିଲେ । ମୋ ଭାଇ ଗ୍ରାମବାସୀଙ୍କ ନିର୍ଯାତନା ସହ ନପାରି ଜୀବନ ହାରିଛି । ଏନେଇ ଥାନାରେ ଅଭିଯୋଗ ହୋଇଛି," କହିଛନ୍ତି ମୃତ ସାଗରଙ୍କ ଭାଇ ରାକେଶ ସରକାର ।
ପରିବାରର ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ।
ଏହା ବି ପଢନ୍ତୁ- ମାଲେରିଆ ସ୍ଥିତି ସମୀକ୍ଷା କରିବ ସ୍ବତନ୍ତ୍ର ଟିମ: ଫୋକସରେ ମାଲକାନଗିରି, ନିରାକରଣ ପାଇଁ ନୂଆ ରଣନୀତି
ଇଟିଭି ଭାରତ, ମାଲକାନଗିରି

