ଫିଟିବ ମହାନଦୀ ଜଳ ବିବାଦର ସମାଧାନ ବାଟ ! ଓଡ଼ିଶା ଆସୁଛନ୍ତି ଟ୍ରିବ୍ୟୁନାଲ ମୁଖ୍ୟ
ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ । ୨୬ ଫେବୃଆରୀରୁ ମାର୍ଚ୍ଚ ୨ ତାରିଖ ଯାଏଁ ମହାନଦୀ ଅବବାହିକାର ଭୂମି ପରିଦର୍ଶନ କରିବେ ।

Published : February 24, 2026 at 2:06 PM IST
ଭୁବନେଶ୍ବର: ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀକୁ ମିଳିବ ନ୍ୟାୟ । ଶେଷରେ ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ମୁଖ୍ୟ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ତାଙ୍କ ଟିମ୍ । ଆସନ୍ତା ୨୬ ଫେବୃଆରୀରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀ ଅବବାହିକାର ଭୂମି ପରିଦର୍ଶନ କରିବେ ଟ୍ରିବ୍ୟୁନାଲର ଅଧ୍ୟକ୍ଷା । ଏହି ପରିଦର୍ଶନ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକ ପ୍ରୟାସ ହେବ ବୋଲି ଆଶା କରାଯାଉଛି । ଏହି କମିଟି ମହାନଦୀର ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ମୁଖ୍ୟ:
ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ପାଇଁ ଫିଟିଲା ବାଟ । ପୂର୍ବରୁ ଟ୍ରିବ୍ୟୁନାଲ ପକ୍ଷରୁ ଏକ ବୈଷୟିକ ଟିମ୍ ଓଡ଼ିଶା ଆସି ମହାନଦୀ ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ବୁଲି ସମୀକ୍ଷା କରିଥିଲେ । ଏବେ ଖୋଦ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଏବଂ ଅନ୍ୟ ସଦସ୍ୟମାନେ ଆସୁଥିବାରୁ ଏହି ଜଳ ବିବାଦର ସମାଧାନ ହେବା ନେଇ ଆଶା ସଞ୍ଚାର ହୋଇଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ (MWDT)ର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଗଣଙ୍କ ପରିବାର ସଦସ୍ୟ ଓ ଅନ୍ୟ କର୍ମଚାରୀଙ୍କ ସହିତ ମୋଟ ୧୦ ଜଣ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯାହାଙ୍କୁ ରାଜ୍ୟ ଅତିଥି ଭାବରେ ଘୋଷଣା କରାଯାଇଛି । ସେପଟେ ପୁରୀ ଗସ୍ତ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

କିଏ କିଏ ଓଡ଼ିଶା ଆସୁଛନ୍ତି ?
ଏହି ଗସ୍ତରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ, ଜଷ୍ଟିସ୍ ଡକ୍ଟର ରବି ରଞ୍ଜନ ଏବଂ ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ, ଜଷ୍ଟିସ୍ ଇନ୍ଦରମିତ୍ କୌର କୋଚର ଏବଂ ତାଙ୍କ ପତି ଜଷ୍ଟିସ୍ ଏ.କେ. ପାଠକ, ଭାବ୍ୟ ପ୍ରିୟଦର୍ଶିନୀ, ଜଷ୍ଟିସ୍ ଡକ୍ଟର ରବି ରଞ୍ଜନଙ୍କ ଝିଅ ଏବଂ ତାଙ୍କ ନାତୀ ମାଷ୍ଟର ବିକ୍ରମାଦିତ୍ୟ, ଏ.କେ. ସିଂ, ଆସେସର , କ୍ରିଷ୍ଣାନୁନ୍ନି ଏନ୍.ଏମ୍, ଆସେସର, ଚନ୍ଦନ ମୁଖାର୍ଜୀ, ରେଜିଷ୍ଟ୍ରର ଅନିଲ ଦତ୍ତ ଶର୍ମା, ପିପିଏସ୍ ସୁଜିତ କୁମାର ଗିରି, ପିଏସ୍ ଏବଂ ମନୋଜ କୁମାର ଆଦି ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସମ୍ପର୍କରେ...
ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ପାଇଁ ସମୟସୀମା ବୃଦ୍ଧି କରିବାକୁ ଉଭୟ ସରକାର ରାଜି ଅଛନ୍ତି । ଟ୍ରିବ୍ୟୁନାଲର ସମୟ ସୀମା ଏପ୍ରିଲ ୧୩ରେ ଶେଷ ହେବାକୁ ଯାଉଛି କିନ୍ତୁ ଓଡ଼ିଶା ସରକାର ସମୟସୀମାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ କରିଛନ୍ତି ।
ଗତ ୨୦୧୭ ମସିହାରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍କାଳୀନ ଜଳ ଶକ୍ତି ମନ୍ତ୍ରୀ ଉମା ଭାରତୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଦିଲ୍ଲୀରେ ତ୍ରିପାକ୍ଷିକ ବୈଠକ ବସିଲା । ଦୀର୍ଘ ଘଣ୍ଟାର ଆଲୋଚନା ପରେ କୌଣସି ସହମତି ପ୍ରକାଶ ପାଇପାରିଲା ନାହିଁ । ବାଧ୍ୟ ହୋଇ ନ୍ୟାୟ ପାଇବା ଆଶାରେ ତତ୍କାଳୀନ ବିଜେଡି ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଗଠନ ହୋଇଥିଲା ମହାନଦୀ ୱାଟର ଟ୍ରିବ୍ୟୁନାଲ ।
ଏହି ଟ୍ରିବ୍ୟୁନାଲ ଆଇନର ଅବଧି ହେଉଛି ଅଢ଼େଇ ବର୍ଷ । ଆଇନରେ ବ୍ୟବସ୍ଥା ଅଛି ବିଶେଷ ପରିସ୍ଥିତିରେ ଏହି ଅବଧିକୁ ଆଉ ଥରେ ବୃଦ୍ଧି କରିହେବ । ସେହି କ୍ରମରେ ଟ୍ରିବ୍ୟୁନାଲର ସମୟ ୫ ବର୍ଷ ଶେଷ ହୋଇ ସାରିଛି । ୩ ବର୍ଷରେ ମହାନଦୀ ଜଳ ବିବାଦର ସମାଧାନ ହେବା କଥା । ପୁଣି ୨ ବର୍ଷ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି କରାଯାଇଥିଲା । ସମାଧାନର ରାସ୍ତା ନ ବାହିବାରୁ ପୁନର୍ବାର ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ପୂର୍ବରୁ ଆସିଥିଲେ ଜଷ୍ଟିସ ଏଏମ ଖାଁନଭିଲକର :
ଗତ ୨୦୨୩ ଏପ୍ରିଲ ମାସରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ତତ୍କାଳୀନ ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନଭିଲକରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଛତିଶଗଡ଼ ଉପର ମୁଣ୍ଡରେ ବୁଲି ସମୀକ୍ଷା କରିଥିଲେ । ପରେ ମେ ମାସରେ ଓଡ଼ିଶା ଗସ୍ତରେ ଆସି ହୀରାକୁଦ ଠାରୁ ପାରାଦୀପ ପର୍ଯ୍ୟନ୍ତ ବୁଲି ଦେଖିଥିଲେ । ହେଲେ ସେ ଅବସର ନେବା ପରେ ଦୀର୍ଘ ୯ ମାସ ପଦବୀ ଖାଲି ପଡିଥିଲା । ଜାନୁଆରୀ ୨୦୨୫ରେ ସୁପ୍ରିମକୋର୍ଟ ବିଚାରପତି ବେଲା ତ୍ରିବେଦୀଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ... ମହାନଦୀକୁ ଜଳ ବିବାଦ ପ୍ରସଙ୍ଗ: ମୋହନ ସରକାରଙ୍କ ଭୂମିକା ଉପରେ ବିଜେଡିର ପ୍ରଶ୍ନ ଏହା ମଧ୍ୟ ପଢନ୍ତୁ... ମହାନଦୀ ଜଳ ବିବାଦ; ଏବେବି ଅସମାହିତ ସମସ୍ୟା, କେଉଁଠି ରହିଛି ତ୍ରୁଟି ? |
ଇଟିଭି ଭାରତ, ଭୁବନେଶ୍ବର

