ମାର୍ଚ୍ଚ 3ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, କେତେ ସମୟ ରହିବ ଗ୍ରହଣ ?
ଆସନ୍ତା ମାର୍ଚ୍ଚ ୩ରେ ପବିତ୍ର ଦୋଳପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ ପଡୁଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ ।

Published : February 22, 2026 at 5:19 PM IST
Lunar Eclipse Puri Srimandir ପୁରୀ: ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଏଥିସହ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟକୁ ନେଇ ଆସନ୍ତା ୨୪ରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମହାପ୍ରଭୁଙ୍କ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟର ଚୁଡାନ୍ତ ସମୟ ସାରଣୀ ନିର୍ଘଣ୍ଟ କରାଯିବ ।
ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି:
ଦୋଳପୂର୍ଣ୍ଣିମା (ମାର୍ଚ୍ଚ 3) ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଥିବାରୁ ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ରାତ୍ର ୩ଟାରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତିକୁ ବନ୍ଦ କରାଯିବ । ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ମିନିଟ୍ ସୂର୍ଯ୍ୟୋଦୟ ସମୟ ଥିବାବେଳେ ଏହି ସମୟରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ । ଭକ୍ତମାନେ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରିପାରିବେ ।

ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ:
ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରୀପାଠୀ ଶର୍ମା କହିଛନ୍ତି, ‘ଗ୍ରହଣ ସ୍ନାନ ନୀତି ପରେ ରୋଷହୋମ, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇକୋରା ଭୋଗ ଅନୁଷ୍ଠିତ ହେବ । ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ବିଜେ କରିବେ । ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ବା ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହେବ । ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହିତ ଦୋଳବେଦୀରେ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ ।’

ପଞ୍ଜିକାରେ ଥିବା ସୂଚନା ଅନୁସାରେ ମାର୍ଚ୍ଚ ୩ (ମଙ୍ଗଳବାର)ରେ ଦୋଳପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଛି ।
- ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ସମୟ ଥିବାବେଳେ ସନ୍ଧ୍ୟା ୬ ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ ।
- ବିଧି ଓ ପରମ୍ପରା ଅନୁଯାୟୀ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ ନିଷେଧ ।
- ମଙ୍ଗଳବାର ସକାଳ ୬ଟା ୮ ମିନିଟରେ ସୂର୍ଯ୍ୟୋଦୟ ସମୟରୁ ଦେବନୀତି ଏବଂ ପାକତ୍ୟାଗ ବିଧି ରହିଛି ।
- ସନ୍ଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ଦୋଳପର୍ବ ପାଳନ କରୁଥିବା ବ୍ୟକ୍ତି ମାନେ ଠାକୁରଙ୍କୁ ଦୋଳବେଦୀରେ ବିଜେ କରି ଏହି ପର୍ବ ପାଳନ କରିପାରିବେ ।

ବରାଦି ଭୋଗ କରାଯିବ ନାହିଁ:
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ‘ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେଲାବେଳକୁ ସନ୍ଧ୍ୟା ୭ଟା ହୋଇଯାଇଥିବ । ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ମହାପ୍ରସାଦ ନେବାକୁ ଇଚ୍ଛା କରିବେ ସେମାନେ ସନ୍ଧ୍ୟା ବେଳେ ସକାଳ ଧୂପରୁ ବାହାରିଥିବା ମହାପ୍ରସାଦ ସହ ଶୁଖିଲି ଭୋଗ ମଧ୍ୟ ନେଇପାରିବେ । ତେବେ ବରାଦି ଭୋଗ ବାହାରିବାରେ ଅହେତୁକ ବିଳମ୍ବ ହେବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କ ପାଇଁ ବରାଦି ଭୋଗ କରାଯିବନାହିଁ ।’

ଫେବୃଆରୀ 24ରେ ଛତିଶା ନିଯୋଗ ବୈଠକ:
ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟକୁ ନେଇ ଆସନ୍ତା ୨୪ ତାରିଖରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମହାପ୍ରଭୁଙ୍କ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟର ଚୁଡାନ୍ତ ସମୟ ସାରଣୀ ନିର୍ଘଣ୍ଟ କରାଯିବ । ସେହିପରି ଆଗାମୀ ଦିନରେ ହେବାକୁ ଥିବା ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ ।
ଇଟିଭି ଭାରତ, ପୁରୀ

