ETV Bharat / state

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି: ଘଡଘଡି ସହ ବର୍ଷିବ, 16 ଜିଲ୍ଲାକୁ ସତର୍କତା

ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାର ପ୍ରଭାବରେ ଫେବୃଆରୀ 23ରୁ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ସତର୍କତା ଜାରି କଲା ପାଣିପାଗ ବିଭାଗ

Odisha Weather Update
ଭୁବନେଶ୍ବର ବର୍ଷା ହେବାର ସଡକର ଦୃଶ୍ୟ (ETV Bharat Odisha File Photo)
author img

By ETV Bharat Odisha Team

Published : February 22, 2026 at 11:04 AM IST

2 Min Read
Choose ETV Bharat

Odisha Weather Update ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର 15ରୁ ଅଧିକ ଜିଲ୍ଲାରେ ଘଡଘଡି ସହ ବର୍ଷିବ । ବଜ୍ରପାତ ସହ 30ରୁ 40 କିମି ବେଗରେ ବହିବ ପବନ । କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ସକ୍ରିୟ ଲଘୁଚାପ କ୍ଷେତ୍ର:

ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗର ଓ ସୀମାବର୍ତ୍ତୀ ଭାରତ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଫେବୃଆରୀ 23 (ସୋମବାର) ଠାରୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଶନିବାର ଅପରାହ୍ନ 2 ଟା 30 ସମୟରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ସମୁଦ୍ର ପତନରୁ ପ୍ରାୟ 5.8 କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଆସନ୍ତା 24 ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି ।

ODISHA WEATHER REPORT
ଓଡ଼ିଶା ପାଣିପାଗ (ETV Bharat Odisha)

23 ପରେ ବଦଳିବ ପାଗ:

ଆସନ୍ତାକାଲି (ଫେବୃଆରୀ 23) ସକାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଶୁଷ୍କ ପାଗ ରହିବାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ କୌଣସି ସତର୍କତା ଜାରି ହୋଇନାହିଁ । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହୋଇପାରେ ।

23ରୁ 24 ଏସବୁ ଜିଲ୍ଲାକୁ ସତର୍କ ସୂଚନା:

ଫେବୃଆରୀ 23 ରୁ 24 ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଯାଜପୁର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।

ODISHA WEATHER REPORT
ଓଡ଼ିଶା ପାଣିପାଗ (ETV Bharat Odisha)


ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:

ଏହା ସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହ 30–40 କି.ମି ବେଗର ଝଟକା ପବନ ବହିବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।



ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା:

ଆସନ୍ତା 24 ରୁ 25 ତାରିଖ ମଧ୍ୟରେ ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଏଥିପାଇଁ ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବଜ୍ରପାତ ସହ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ:

ଆଗାମୀ 48 ଘଣ୍ଟାରେ ଲଘୁଚାପ ସମ୍ଭାବନା: ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଘଡଘଡି ସହ ବର୍ଷିବ

25 ପରଠୁ ପାଗ ଶୁଖିଲା:

ତେବେ ଆସନ୍ତା 25 ପରଠୁ ପାଗରେ ପରିବର୍ତ୍ତନ ହେବ । ଫେବୃଆରୀ 25ରୁ 28 ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା ବଢି 36 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ରେକର୍ଡ କରାଯାଇଛି । ଶନିବାର ଦିନ ପାରଳାଖେମୁଣ୍ଡିରେ ରାଜ୍ୟରେ ସର୍ବାଧିକ ତାପମାତ୍ରା 36.2 ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଦିନ ତାପମାତ୍ରା 35.4 ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।