ଦେଶର ପ୍ରଥମ ପ୍ଲାଟିନମ୍ ରେଟିଂ ପାଇଥିବା ସବୁଜ କ୍ୟାମ୍ପସ ହେଲା ଓଡ଼ିଶା ଲୋକଭବନ
ଏହା ପରେ ପୁରୀସ୍ଥିତ ରାଜଭବନକୁ ମଧ୍ୟ ଖୁବଶୀଘ୍ର ସବୁଜ ଭବନରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମପାଟି। ରିପୋର୍ଟ-ମିନତି ସିଂହ

Published : September 1, 2026 at 7:48 PM IST
ଭୁବନେଶ୍ୱର: ଓଡ଼ିଶାର ଲୋକଭବନ କେବଳ ଏକ ସରକାରୀ କାର୍ଯ୍ୟାଳୟ କିମ୍ବା ଏକ ପ୍ରାସାଦ ନୁହେଁ ବରଂ ସମଗ୍ର ଦେଶରେ ପରିବେଶ ସୁରକ୍ଷା ଓ ପରିଚାଳନାର ଏକ ଉଦାହରଣ ପାଲଟିଛି। ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ଲୋକଭବନ ଦେଶରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC) ପକ୍ଷରୁ ଏହାକୁ ପ୍ଲାଟିନମ୍ ରେଟିଂ ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି ହାସଲ କରିବା ପରେ ଲୋକଭବନ ଭାରତର ପ୍ରଥମ କୋଠା ଭାବେ ଏହି ଗୌରବ ଅର୍ଜନ କରିଛି।
ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଜ୍ୟପାଳ ଡ. କମ୍ଭମପାଟି ଏହି ସ୍ୱୀକୃତିକୁ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିବା ସହ ଲୋକ ଭବନକୁ ସବୁଜ ପରିସରରେ ପରିଣତ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଏହା ଫଳ ବୋଲି କହିଥିଲେ। ଏନେଇ ରାଜ୍ୟପାଳ କହିଛନ୍ତି, “ପ୍ରତିବର୍ଷ ୩୦୦ରୁ ଅଧିକ ଦିନ ସୂର୍ଯ୍ୟକିରଣ ମିଳୁଥିବା ସତ୍ତ୍ୱେ ଯଦି ଆମେ ସୌର ଶକ୍ତିକୁ ଶକ୍ତିର ଏକ ପ୍ରମୁଖ ଉତ୍ସ ଭାବେ ବ୍ୟବହାର ନକରୁ, ତାହେଲେ ଏହା ଅପରାଧ ସଦୃଶ। ଲୋକଭବନ ପରିସର ପୂର୍ବରୁ ମଧ୍ୟ ପ୍ରାୟ ସବୁଜ ଥିଲା। ଆମେ କେବଳ ଭିତ୍ତିଭୂମିରେ ନୁହେଁ, ଜୀବନଶୈଳୀରେ ମଧ୍ୟ କିଛି ପରିବର୍ତ୍ତନ ଆଣିଛୁ। ଏବେ ଆମର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଅକ୍ଷୟ ଶକ୍ତିର ଅନ୍ୟ ଏକ ଉତ୍ସ ଭାବେ ପବନ ଶକ୍ତିକୁ ବ୍ୟବହାର କରିବା।”

ପବନ ଶକ୍ତି ସମ୍ପର୍କରେ ରାଜ୍ୟପାଳ କହିଛନ୍ତି, “ପବନ ଶକ୍ତି କହିଲେ ଆମେ ସାଧାରଣତଃ ପାହାଡ଼, ଖୋଲା ପଡ଼ିଆ କିମ୍ବା ଉପତ୍ୟକାରେ ଲାଗିଥିବା ବିଶାଳ ୱିଣ୍ଡମିଲ୍ କଥା ଭାବୁ। କିନ୍ତୁ ଆବାସିକ ବ୍ୟବହାର ପାଇଁ ଛୋଟ ଆକାରର ୱିଣ୍ଡ ଟର୍ବାଇନ୍ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ କରିପାରେ ।” ଏଥିସହ ପୁରୀସ୍ଥିତ ରାଜଭବନକୁ ମଧ୍ୟ ଖୁବଶୀଘ୍ର ସବୁଜ ଭବନରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

IGBC ମୂଲ୍ୟାଙ୍କନରେ ଲୋକଭବନ ୧୦୦ରୁ ୮୮ ପଏଣ୍ଟ ହାସଲ କରି ସର୍ବୋଚ୍ଚ ପ୍ଲାଟିନମ୍ ବର୍ଗରେ ସ୍ଥାନ ପାଇଛି। ଶକ୍ତି ସଞ୍ଚୟ, ଅକ୍ଷୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା, ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ଏବଂ ସ୍ଥାୟୀ ଯାତାୟାତ ବ୍ୟବସ୍ଥା ଆଦି ବିଭିନ୍ନ ମାନଦଣ୍ଡରେ ଲୋକଭବନ ଉତ୍କୃଷ୍ଟ ପ୍ରଦର୍ଶନ କରିଛି।

ଲୋକଭବନକୁ କାହିଁକି ପ୍ଲାଟିନମ୍ ରେଟିଂ
ଲୋକଭବନର ୮୦ ପ୍ରତିଶତରୁ ଅଧିକ ଅଞ୍ଚଳ ସବୁଜ ଆବରଣରେ ରହିଛି। ପରିସରରେ ୨,୩୭୪ଟି ଗଛ ଏବଂ ୭୨ ପ୍ରଜାତିର ଉଦ୍ଭିଦ ଚିହ୍ନଟ କରାଯାଇଛି। ଏହା ସହ ଲୋକଭବନ ପରିସରର ୨୭ଟି ପ୍ରାଣୀ ଅଛନ୍ତି । ଜଳ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଲୋକଭବନ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପାନୀୟ ଜଳ ବ୍ୟବହାରରେ ୩୫ ପ୍ରତିଶତରୁ ଅଧିକ ହ୍ରାସ କରାଯାଇଛି। ବର୍ଷାଜଳ ସଂଗ୍ରହ ଓ ଭୂତଳ ଜଳ ପୁନର୍ଭରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। କମ୍ ଜଳ ବ୍ୟବହାର କରି ଅଧିକ ବର୍ଷାଜଳକୁ ମାଟି ଭିତରକୁ ପଠାଇବା ଭଳି ପଦକ୍ଷେପ ମଧ୍ୟ ନିଆଯାଇଛି।
ସୌର ଶକ୍ତି କ୍ଷମତା ଓ ବର୍ଜ୍ୟ ପରିଚାଳନା
ପରିସରରେ ୬୩୫ କିଲୋୱାଟ୍-ପିକ୍ (kWp) ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଏଥିସହ ଶକ୍ତି ସଞ୍ଚୟକାରୀ LED ଆଲୋକ ଏବଂ ସ୍ମାର୍ଟ ଟାଇମର୍ ଆଧାରିତ ନିୟନ୍ତ୍ରଣ ବ୍ୟବସ୍ଥା ଲଗାଯାଇଛି, ଯାହା ଅନାବଶ୍ୟକ ବିଦ୍ୟୁତ୍ ବ୍ୟବହାରକୁ କମାଉଛି। ଲୋକଭବନର ଏନର୍ଜି ପରଫର୍ମାନ୍ସ ଇଣ୍ଡେକ୍ସ (EPI) ୫୦.୫୭ kWh/ବର୍ଗମିଟର/ବର୍ଷ ରହିଛି।
ସେହିପରି ବର୍ଜ୍ୟ ପରିଚାଳନାରେ ମଧ୍ୟ ପରିବେଶ ଅନୁକୂଳ ପଦକ୍ଷେପ ନିଆଯାଇଛି। ପରିସର ଭିତରେ ଯାତାୟାତ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର କରାଯାଉଥିବା ବେଳେ ଇଭି ଚାର୍ଜିଂ ଭିତ୍ତିଭୂମି ମଧ୍ୟ ଉପଲବ୍ଧ ରହିଛି।
ଏହି ଅବସରରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ସବୁଜ ପଦକ୍ଷେପ ଗ୍ରହଣ କରି ନିଜ ନିଜ ପରିସରକୁ ଗ୍ରୀନ୍ ବିଲ୍ଡିଂରେ ପରିଣତ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ଅନ୍ୟାନ୍ୟ ସାର୍ବଜନୀନ ପ୍ରତିଷ୍ଠାନ ପାଇଁ ବାର୍ତ୍ତା ସ୍ପଷ୍ଟ। ଲୋକଭବନ ଏକ ଉଦାହରଣ ସୃଷ୍ଟି କରିଛି, ଯାହାକୁ ଅନ୍ୟ ସରକାରୀ ଓ ସାର୍ବଜନୀନ ପ୍ରତିଷ୍ଠାନ ଅଧ୍ୟୟନ କରି ଅନୁସରଣ କରିପାରିବେ।”
ମଙ୍ଗଳବାର ଲୋକ ଭବନର ନ୍ୟୁ ଅଭିଷେକ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଜିବିସିର ଜାତୀୟ ଅଧ୍ୟକ୍ଷ ସି. ଶେକର ରେଡ୍ଡୀଙ୍କଠାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଲୋକ ଭବନ ୧୦୦ରୁ ୮୮ ଅଙ୍କ ହାସଲ କରି ଆଇଜିବିସି ରେଟିଂ ବ୍ୟବସ୍ଥାର ସର୍ବୋଚ୍ଚ ବର୍ଗରେ ସ୍ଥାନ ପାଇଛି। ଶିଲଡ୍ ପ୍ରଦାନ କରି IGBCର ଅଧ୍ୟକ୍ଷ ସି. ଶେକର ରେଡ୍ଡୀ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୨୮୫ଟି ସରକାରୀ ଓ ଘରୋଇ କୋଠା IGBC ପ୍ରମାଣପତ୍ର ପାଇଁ ପଞ୍ଜୀକୃତ ହୋଇଛି।
ସେ କହିଛନ୍ତି, “ଗ୍ରୀନ୍ ବିଲ୍ଡିଂ ନିର୍ମାଣର ଖର୍ଚ୍ଚକୁ ନେଇ ବିଭିନ୍ନ ଧାରଣା ରହିଛି। ଏକ କୋଠାକୁ ସ୍ଥାୟୀ ଓ ପରିବେଶ ଅନୁକୂଳ କରିବା ପାଇଁ ନିର୍ମାଣ ଖର୍ଚ୍ଚରେ ମାତ୍ର ୩ରୁ ୫ ପ୍ରତିଶତ ଅତିରିକ୍ତ ଖର୍ଚ୍ଚ ହୋଇଥାଏ। ଆବଶ୍ୟକତା ହେଉଛି ଅଧିକ ସଚେତନତା।” ସେ ଆହୁରି କହିଛନ୍ତି ଯେ, ବଜାରରେ ବର୍ତ୍ତମାନ ପ୍ରାୟ ୧୫,୦୦୦ IGBC ପ୍ରମାଣିତ ନିର୍ମାଣ ସାମଗ୍ରୀ ଓ ଉତ୍ପାଦ ଉପଲବ୍ଧ ଅଛି, ଯାହା ଗ୍ରୀନ୍ ବିଲ୍ଡିଂ ନିର୍ମାଣରେ ସହାୟକ ହୋଇପାରିବ।
ଲୋକଭବନରେ ରହିଛି-
- ୮୦%ରୁ ଅଧିକ ପରିସର ସବୁଜ ଆବରଣରେ
- ୨,୩୭୪ଟି ଗଛ, ୭୨ ପ୍ରଜାତି
- ୨୭ ପ୍ରଜାତିର ଜୀବଜନ୍ତୁ
- ପାନୀୟ ଜଳ ବ୍ୟବହାରରେ ୩୫%ରୁ ଅଧିକ ହ୍ରାସ
- ବ୍ୟାପକ ବର୍ଷାଜଳ ସଂଗ୍ରହ ଓ ଭୂତଳ ଜଳ ପୁନର୍ଭରଣ ବ୍ୟବସ୍ଥା
- ୬୩୫ kWp ସୌର ଶକ୍ତି କ୍ଷମତା
- ଏନର୍ଜି ପରଫର୍ମାନ୍ସ ଇଣ୍ଡେକ୍ସ: ୫୦.୫୭ kWh/ବର୍ଗମିଟର/ବର୍ଷ
- LED ଆଲୋକ ଓ ସ୍ମାର୍ଟ ଟାଇମର୍ ଆଧାରିତ ଶକ୍ତି ନିୟନ୍ତ୍ରଣ
- ପରିସର ଭିତରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର
- ଇଭି ଚାର୍ଜିଂ ଭିତ୍ତିଭୂମି ଉପଲବ୍ଧ
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ E20 Fuelକୁ ନେଇ ବଦଳୁଛି ଓଡ଼ିଶାରେ ବ୍ୟବହୃତ କାର୍ ବଜାର ଗଣିତ ! କମୁଛି ପୁରୁଣା ପେଟ୍ରୋଲ ଗାଡ଼ି ବିକ୍ରି, ବଢ଼ୁଛି ସ୍କ୍ରାପିଂ ଚିନ୍ତା

